Site icon Odisha.com

ଦୁର୍ବୁତଙ୍କ ଗୁଳିମାଡରେ ବ୍ୟବସାୟୀଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

 

ଭୁବନେଶ୍ୱର, ଜାନୁଆରୀ ୧୭(ଓଡ଼ିଶା ଡ଼ଟ୍ କମ୍)- ବୁଧବାର ପୂର୍ବାହ୍ଣରେ ୫ନମ୍ବର ଜାତୀୟ ରାଜପଥର ବଇଁଚୁଆ ନିକଟରେ କେତେକ ଦୁର୍ବୃତଙ୍କ ଗୁଳିମାଡରେ ଆହତ ହୋଇଥିବା ଯୁବ ବ୍ୟବସାୟୀ ପ୍ରଭାତକୁମାର ଆଚାର୍ଯ୍ୟଙ୍କ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

ବୁଧବାର ଦିନ ପୂର୍ବାହ୍ଣ ପ୍ରାୟ ୧୦ଟାରେ ଛତିଆ ସମସେରପୁର ଅଞ୍ଚଳର ସୁରେନ୍ଦ୍ର ଆଚାର୍ଯ୍ୟଙ୍କ ପୁଅ ପ୍ରଭାତ (୪୨) ପୁତୁରା ସହିତ ଟାଟା ଏସି ଗାଡିରେ ସଉଦା ଆଣିବା ପାଇଁ କଟକ ମାଲଗୋଦାମ ଆସୁଥିଲେ । ଡ୍ରାଇଭର ଲକ୍ଷ୍ମୀଧର ପ୍ରଧାନ ଗାଡି ଚଳାଉଥିବାବେଳେ ପ୍ରଭାତ ଆଗରେ ବସିଥିଲେ ।

ସେମାନେ ଜାତୀୟ ରାଜପଥର ବନ୍ଦାଣ-ବଇଁଚୁଆ ନିକଟରେ ହୋଇଥିବାବେଳେ ୪ଜଣ ଦୁର୍ବୃତ ୨ଟି ପଲସର ବାଇକରେ ଆସି ଗାଡ଼ିକୁ ଜୋରଜବରଦସ୍ତ ଅଟାଇଥିଲେ । ଗାଡି ରହିବାକ୍ଷଣି ଦୁଇଜଣ ଦୁର୍ବୃତ ଲକ୍ଷ୍ମୀଧରଠାରୁ ଗାଡି ଚାବି ଛଡ଼ାଇ ନେଇଥିଲେ ।

ଅନ୍ୟ ଜଣେ ଦୁର୍ବୃତ ପ୍ରଭାତଙ୍କୁ ଟଙ୍କା ମାଗିଥିଲା; କିନ୍ତୁ ଟଙ୍କା ନ ଦେବାରୁ ଜଣେ ଦୁର୍ବୃତ ନିଜ ପାଖରେ ରଖିଥିବା ରିଭଲଭରରୁ ପ୍ରଭାତଙ୍କ ଉପରକୁ ୨ରାଉଣ୍ଡ ଗୁଳି ଚଳାଇ ବାଇକରେ ଫେରାର ହୋଇଯାଇଥିଲେ ।

ରାଜପଥରେ ଆସୁଥିବା କେତେକ ଚାଳକ ଗୁରୁତର ଅବସ୍ଥାରେ ପ୍ରଭାତଙ୍କୁ ଉଦ୍ଧାର କରି ହାଇୱେ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ କଟକ ବଡ଼ମେଡିକାଲରେ ତାଙ୍କର ଶବ ବ୍ୟବଚ୍ଛେଦ କରାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version