Site icon Odisha.com

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପାଇଲଟ୍ ପ୍ରକଳ୍ପ ଶୁଭାରମ୍ଭ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୮(ଓଡିଶା ଡଟ୍ କମ୍ )- ରାଜ୍ୟରେ ମ୍ୟାଲେରିଆ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା । ଏହାର ଉଚିତ ମୁକାବିଲା କରି ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନିରବଚ୍ଛିନ ଉଦ୍ୟମ ଜାରି ରହିଛି ।

ଜାତୀୟ ଭେକ୍ଟର ବର୍ଣ୍ଣ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ବିଧ ପଦକ୍ଷେପ ଗ୍ରହଣ କରାଯାଇ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଉଦ୍ୟମ କରାଯାଉଛି । ଏ କ୍ଷେତ୍ରରେ ଆଉ ଏକ ନୂତନ କର୍ମସମ୍ପାଦନା ଗବେଷଣା ପ୍ରକଳ୍ପ ଭାବେ ପଥଦର୍ଶୀ ବ୍ୟାପକ କେଶ୍ ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଆଇ.ଏମ୍.ଏ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ( ଆଇ.ସି.ଏମ୍.ଆର୍ )ର ଏକ ପ୍ରମୁଖ ସଂଗଠନ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ( ଏନ୍.ଆଇ.ଏମ୍.ଆର୍ ) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଯୋଗରେ ନୂତନ ମ୍ୟାଲେରିଆ ଔଷଧ ପ୍ରସ୍ତୁତକାରୀ ଆନ୍ତର୍ଜାତିକ ଫାଉଣ୍ଡେସନ -ମ୍ୟାଲେରିଆ ଔଷଧ ଭେଞ୍ଚର ( ଏମ୍.ଏମ୍.ଭି) ତରଫରୁ ଓଡିଶାର ୩ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ ।

ଅନୁଗୋଳ , ଢେଙ୍କାନାଳ ଏବଂ ବଲାଙ୍ଗିର ଭଳି ଅତ୍ୟଧିକ ,ମଧ୍ୟମ ଓ କମ୍ ମ୍ୟାଲେରିଆ ପ୍ରବଣ ଜିଲ୍ଲାର ଦୁଇଟି ଲେଖା ବ୍ଲକ୍ ରେ ଏହି କାର୍ଯ୍ୟକ୍ରମ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାତୀୟ ପତଙ୍ଗ ବାହୀତ ରେଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ( ଏନ୍.ଭି.ବି.ଡି.ପି.ସି ) ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ ।

ଏଥିରେ ସଂପୃକ୍ତ ବ୍ଲକ୍ ଅଞ୍ଚଳର ସମସ୍ତ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଆରମ୍ଭରୁ ଚିହ୍ନଟକରି ପୂର୍ଣ୍ଣ ମାତ୍ରା ଔଷଧ ସେବନ କରିବାକୁ ଦିଆଯିବା ସହିତ ଚିକିତ୍ସା କରାଯିବ ।

ଉକ୍ତ ଚିକିତ୍ସାରେ ଆକ୍ରାନ୍ତ ମଣିଷଙ୍କ ଦେହରୁ ମ୍ୟାଲେରିଆ ପାରାସାଇଟ ମଶାଙ୍କ ଦେହକୁ ଯାଇ ପାରିବନି ,ଫଳରେ ମ୍ୟାଲେରିଆ ଦ୍ରୃତ ହାରରେ ହ୍ରାସ ପାଇବ ଏବଂ ସଂପୃକ୍ତ ଅଞ୍ଚଳର ଅନ୍ୟ ଲୋକମାନେ ସହଜରେ ଆକ୍ରାନ୍ତ ହେବେ ନାହିଁ ।

ଏଣୁ ଯଦି ପ୍ରାରମ୍ଭିକ ସ୍ତରରେ ମ୍ୟାଲେରିଆ ରୋଗୀକୁ ଚିହ୍ନଟ କରାଯାଇ ଚିକିତ୍ସା ମାଧ୍ୟମରେ ତାହା ଦେହରେ ଥିବା ପାରାସାଇଟଗୁଡିକୁ ସମ୍ପୂର୍ଣ୍ଣ ମାରିଦିଆ ଯାଇ ପାରିବ ତାହା ହେଲେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯାଇ ପାରିବ, ଯାହାକି ଏହି ନୂତନ ପ୍ରକଳ୍ପ ମାଧ୍ୟମରେ ଉଦ୍ୟମ କରାଯିବ ।

ପ୍ରଥମ କରି ଆରମ୍ଭ କରାଯାଇଥିବା ଏହି ଗବେଷଣା ମୂଳକ ପ୍ରକଳ୍ପର ସଫଳତା ବା ଫଳାଫଳ ଉପରେ ଆମ ଦେଶ ସମେତ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ମାନଙ୍କରେ ମ୍ୟାଲେରିଆ ନିରାକରଣ ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ତ୍ରିବିକ୍ରମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏନ୍.ଆଇ.ଏମ୍.ଆର୍ ନିଦେ୍ର୍ଧଶକ ଡାଃ ନିନା ଭୋଲେଚ୍ଚା , ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାଃ ଶିବା , ଜେନେଭା ସ୍ଥିତ ଏମ୍.ଏମ୍.ଭିର ପେନି ଗ୍ରେୱାଲ , ଭାରତ ସରକାରଙ୍କ ଏନ୍.ଭି.ବି.ଡି.ସି.ପିର ପୂର୍ବତନ ନିଦେ୍ର୍ଧଶକ ଡାଃ ପି.ଏଲ୍.ଯୋଶୀ ପ୍ରମୁଖ ଉଦ୍ବୋଧନ ଦେଇ ଏହି ପାଇଲଟ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version