Site icon Odisha.com

ମର୍ଦ୍ଧଳ ବାଦନ, ସଙ୍ଗୀତରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୯(ଓଡିଶା ଡଟ୍ କମ୍)- ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜି ଦ୍ୱିତୀୟ ବର୍ଣ୍ଣାଢ୍ୟ ଓ ଚିତ୍ୟାକର୍ଷକ ସନ୍ଧ୍ୟା ସାଙ୍ଗକୁ ଓଡ଼ିଶୀ ମର୍ଦ୍ଧଳ ବାଦନ ଓ କର୍ଣ୍ଣାଟକୀ ସଙ୍ଗୀତ ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା  ।

ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ମର୍ଦ୍ଧଳ ବାଦକ ଗୁରୁ ବନମାଳୀ ମହାରଣା ଓ ତାଙ୍କ ଛାତ୍ରମାନଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଧଳ ବାଦନର ବିଭିନ୍ନ ବାଦନ କ୍ରିୟା । ଝମ୍ପାତାଳ ଦଶମାତ୍ରାରେ ଏବଂ ଆଦିତାଳ ଷୋଳମାତ୍ରାରେ ଓଡ଼ିଶୀ ମର୍ଦ୍ଧଳରେ ଜମାଣ, ଛନ୍ଦ ପ୍ରକରଣ, ରଗଡ଼, ଖଣ୍ଡି, ବଡ଼ି, ଅରଶା ଓ ଭଉଁରୀ ଅରଶା ଇତ୍ୟାଦିର ବାଦନ ସହ ଓଡ଼ିଶୀ ସଙ୍ଗୀତର ମୁର୍ଚ୍ଛନାକୁ ଅତି ଚମତ୍କାର ଭାବେ ପରିବେଷଣ କରିଥିଲେ ।

ତାଙ୍କ ସହିତ ସହଯୋଗ କରିଥିଲେ ହାରମୋନିୟମ୍‍ରେ ରାସ ବିହାରୀ ନାଥ, ବେହେଲାରେ ସୁରମଣି ରମେଶ ଚନ୍ଦ୍ର ଦାସ, ମଞ୍ଜିରାରେ ସୌମ୍ୟରଞ୍ଜନ ନାୟକ ।

ଓଡ଼ିଶା ମର୍ଦ୍ଧଳ ଏକାଡ଼େମୀର କଳାକାରମାନେ ମର୍ଦ୍ଧଳର ବିଭିନ୍ନ ଛନ୍ଦ ପ୍ରକରଣକୁ ଗୁରୁ ବନମାଳୀଙ୍କ ନିର୍ଦ୍ଦେଶନାରେ ପରିବେଷଣ କରି ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ ।

ସହଯୋଗ କରିଥିଲେ ଗୁରୁ ବିଜୟ କୁମାର ବାରିକ, ସୁରେନ୍ଦ୍ର ମହାରଣା, ନିରଞ୍ଜନ ସାହୁ, ମନୋରଞ୍ଜନ ମହାନ୍ତି, ଦିବାକର ପରିଡ଼ା ଓ ମାନସ କୁମାର ଶଡ଼ଙ୍ଗୀ ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାଜୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଗାୟକ ଡ଼. ଏମ. ବାଲମୁରଲୀକ୍ରୀର୍ଷ୍ଣନଙ୍କର ଦ୍ୱାରାକର୍ଣ୍ଣାଟକୀ ସଙ୍ଗୀତର ବିଭିନ୍ନ ରାଗ ଓ ତାଳକୁ ନେଇ ସଙ୍ଗୀତ ପରିବେଷଣ ।

ପ୍ରଥମ ଅର୍ଘରେ ରାଗ ହଂସଧ୍ୱନୀ ଏବଂ ଆଦିତାଳରେ ଗଣପତି ବନ୍ଦନା ବାତାପା ଗଣପତି ଭଜେ ପରେ ପରେ ରାଗ କାନ୍ତାମଣୀ ଓ ତାଳ ତ୍ରୀପଟାରେ ଭୁବନେଶ୍ୱରୀଙ୍କ ବନ୍ଦନା ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମ ଭିତରେ ସେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ବିଭବକୁ ଉଚ୍ଚାଙ୍ଗ ସ୍ୱରରେ ଗାନ କରି ଉପସ୍ଥିତ ଶ୍ରୋତାମାନଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ ।

ତାଙ୍କର ଏହି ଉଚ୍ଚକୋଟୀର ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣକୁ ସମସ୍ତେ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ । ତାଙ୍କୁ କଣ୍ଠରେ ସହଯୋଗ କରିଥିଲେ ଗାଲା ମୁରଲୀ, ବେହେଲାରେ ପେରୀ ଶ୍ରୀ ରାମ ମୂର୍ତୀ ଏବଂ ମୃଦଙ୍ଗମରେ ଶ୍ରୀ ଡ଼ି. ଇସ.ଆର.ମୂର୍ତୀ । ଏହି ସଙ୍ଗୀତ ଉତ୍ସବକୁ ଦ୍ୱିତୀୟ ଦିବସ ଶେଷ ଶୁଦ୍ଧା ୩୧୭୪ ଜଣ ଦେଶୀୟ ଓ ୬୧ ଜଣ ବିଦେଶୀ ଦର୍ଶକ ଉପଭୋଗ କରିଥିଲେ ।

ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଶ୍ରୀଯୁକ୍ତ ଏସ୍‍.କେ.ଚକ୍ରବର୍ତୀ ଓ ଓଟିଡ଼ିସିର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ପଟ୍ଟନାୟକ । ଏହି ସଙ୍ଗୀତ କାର୍ଯ୍ୟକ୍ରମର ବିଷୟବସ୍ତୁକୁ ନିଜ ତୁଳିରେ କାନଭାସ ଉପରେ ଆଙ୍କୁଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ବଳଦେବ ମହାରଥା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀମତୀ ସାଧନା ଶ୍ରୀବାସ୍ତବ ଏବଂ ଇଂ. ଶ୍ରୀନିବାସ ଘଟୁଆରୀ ।

ଓଡିଶା ଡଟ୍ କମ୍

Exit mobile version