Site icon Odisha.com

ମହିଳା କ୍ରିକେଟ ମହାକୁମ୍ଭ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୃତି: ଓସିଏ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ,୨୧(ଓଡିଶା ଡଟ୍ କମ୍)-ବିଭିନ୍ନ ସଂଗଠନର ବିରୋଧ ସତ୍ୱେ ଓଡିଶାରେ ସୁରୁଖୁରୁରେ ହେବ ମହିଳା କ୍ରିକେଟ ମହାକୁମ୍ଭ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଏହି ମର୍ମରେ ପ୍ରତିଶ୍ରୃତି ଦେଇଥିବା ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ପ୍ରକାଶ ।

ଆଜି ଓସିଏ ସଭାପତି ରଣଜିବୀ ବିଶ୍ୱାଳ ଓ ସଂପାଦକ ଆର୍ଶୀବାଦ ବେହେରା ପ୍ରଥମେ ପୋଲିସ ଡିଜି ଓ ପରେ ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ଭେଟି ସୁରକ୍ଷା ପ୍ରସଂଗରେ ଆଲୋଚନା କରିଥିଲେ ।

ପାକିସ୍ତାନ ଟିମ୍ ଖେଳିବା ନେଇ ଓଡିଶାରେ ଆନ୍ଦୋଳନ ସୃଷ୍ଟି ହୋଇଛି ବୋଲି ଓସିଏ କର୍ମକର୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇ ଥିଲେ । ଏହାପରେ ରାଜ୍ୟ ସରକାରଙ୍କ ଠାରୁ ସୁରକ୍ଷା ବ୍ୟବସ୍ଥା ପାଇଁ ନିର୍ଭର ପ୍ରତିଶ୍ରୃତି ମିଳିଛି ବୋଲି ଓସିଏ ସଂପାଦକ ଆର୍ଶୀବାଦ ବେହେରା ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଗଲାବେଳେ ପୋଲିସ ଡିଜି ପ୍ରକାଶ ମିଶ୍ର,କ୍ରୀଡାମନ୍ତ୍ରୀ ରମେଶ ମାଝୀ,କଟକ ବାରବାଟି ବିଧାୟକ ଦେବାଶୀଷ ସମାନ୍ତରାୟ ସେମାନଙ୍କ ସହିତ ଥିଲେ ।

ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ଯେ,ବିଶ୍ୱକପ୍ ପାଇଁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ । ବିରୋଧିଙ୍କ ଭାବନା ପ୍ରତି ଆମର ସମ୍ମାନ ରହିଛି କିନ୍ତୁ ଏହା ପାକିସ୍ଥାନ ଇଣ୍ଡିଆ କଥା ନୁହେଁ । ଏହା ଆଇସିସି ଦ୍ୱାରାପରିଚାଳିତ ଆନ୍ତର୍ଜାତୀୟ ମ୍ୟାଚ । ଏଥିରୁ କୌଣସି ଟିମ୍ କୁ ବାଦ କରାଯାଇ ପାରିବ ନାହିଁ ।

ଆସନ୍ତା ୩୧ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ମହିଳା କ୍ରିକେଟ ବିଶ୍ୱକପ ପାଇଁ ପାକିସ୍ଥାନ ଦଳ ୨୬ ତାରିଖ ଦିନ ଓଡିଶା ଆସିବ । କଟକ ଓ ଟାଙ୍ଗୀରେ ଦୁଇଟି ଅଭ୍ୟାସ ମ୍ୟାଚ ସହ ସମୁଦାୟ ୧୩ଟି ମ୍ୟାଚ ଖେଳାଯିବ ।

ଓଡିଶା ଡଟ୍ କମ୍

Exit mobile version