ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)-ଓଡିଶାରେ ମହିଳା କ୍ରିକେଟ ବିଶ୍ୱକପ୍ କରାଯିବାକୁ ସରକାର ସମ୍ମତି ଦେବାପରେ ବିସିସିଆଇ ଓ ଆଇସିସିର ପ୍ରତିନିଧି ଆସି କାର୍ଯ୍ୟସୂଚୀ ଚୂଡାନ୍ତ କରିଛନ୍ତି ।
କଟକ ବାରବାଟୀ ଷ୍ଟାଡିୟମରେ ପାକିସ୍ତାନ ମହିଳା କ୍ରିକେଟ ଟିମ ତାର ସମସ୍ତ ମ୍ୟାଚ ଖେଳିବ ବୋଲି ସେମାନେ ପ୍ରସ୍ତାବ ଦେଇଥିବା ବେଳେ ମହିଳା ବିଶ୍ୱକପ୍ ରେ ଅନ୍ୟ ମ୍ୟାଚ ଗୁଡିକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଷ୍ଟାଡିୟମରେ ଖେଳାଯିବାକୁ ପ୍ରସ୍ତାବ ଦେଇଛନ୍ତି ।
ମହିଳା କ୍ରିକେଟ ବିଶ୍ୱକପ ମ୍ୟାଚ ପାଇଁ ଟିକେଟ ବ୍ୟବସ୍ଥା ନାହିଁ । ନିମନ୍ତ୍ରଣପତ୍ର ଆଧାରରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଏଥିସହିତ ଖେଳାଳିମାନଙ୍କର ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରିବାକୁ ବିସିସିଆଇ ସରକାରଙ୍କୁ ଅନୁରୋଧ କରିଛି ।
ବିସିସିଆଇର ମ୍ୟାନେଜର ଓ ଆଇସିସିର ଆଣ୍ଟି କରପ୍ସନ ୱଙ୍ଗ ନିର୍ଦ୍ଦେଶକ ରବି ସୱାନି ଓ ସୁର ନାୟକ ଓଡିଶା ଆସି ମଙ୍ଗଳବାର ଦିନ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା ଏବଂ କ୍ରୀଡା ବିଭାଗ ସଚିବ ଆଇ.ଶ୍ରୀନିବାସଙ୍କୁ ଭେଟିଥିଲେ ।
ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ନିକଟରେ ଏବିଭିପି,ବଜ୍ରଙ୍ଗଦଳ,ରାଷ୍ଟ୍ରସୁରକ୍ଷା ମଞ୍ଚ ତରଫରୁ ବିସିସିଆଇ ଓ ଆଇସିସିର ପ୍ରତିନିଧିଙ୍କୁ ବିରୋଧ କରାଯାଇ ଥିଲା ।
ଓଡିଶା ଡଟ୍ କମ୍
Leave a Reply