Site icon Odisha.com

୨୮ରେ ବିଜେଡି ସଭାପତି ନିର୍ବାଚନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)-ଆସନ୍ତା ୨୮ତାରିଖରେ ବିଜେଡି ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୨୫ତାରିଖରେ ନାମାଙ୍କନପତ୍ର ଦାଖଲ ହେବ ।

ବର୍ତମାନର ସଭାପତି ଆସନ୍ତା ୨୫ରେ ନାମାଙ୍କନପତ୍ର ଦାଖଲ କରିବେ । ୨୮ରେ ମଧ୍ୟ ରାଜ୍ୟର କାର୍ଯ୍ୟନିର୍ବାହୀ କମିଟି, ଉପସଭାପତି ଏବଂ ଅନ୍ୟାନ୍ୟ ଛାମୁଆ ସଙ୍ଗଠନର ମୋଟ ୮୧ଜଣିଆ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଜିଲା ସଭାପତି ନିର୍ବାଚନ ପରେ ବିଜେଡି ରାଜ୍ୟ ପରିଷଦ ନିର୍ବାଚନ ଶେଷ ହୋଇଛି । ପରିଷଦକୁ ୩୩୧ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ସର୍ବସମ୍ମତି କ୍ରମେ ଏହି ନିର୍ବାଚନ ହୋଇଥିବା ଦଳର ନିର୍ବାଚନ ଅଧିକାରୀ ବିଧାୟକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଏହି ନିର୍ବାଚନ ମତୈକ ଭିତିରେ ହୋଇଥିବା ନିର୍ବାଚନ ଅଧିକାରୀ କହୁଥିଲେ ହେଁ ଏଥିନେଇ ଦଳୀୟ ମହଲରେ ଅସନ୍ତୋଷ ଭରି ରହିଛି । ନୂଆ ପରିଷଦରେ ଜିଲାସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୁବ ନେତା, ମହିଳା, ସଂଖ୍ୟାଲଘୁ, ଯାଦବ ସମ୍ପ୍ରଦାୟ ସମେତ ବିଭିନ୍ନ ବର୍ଗର ଅନୁଭବୀ ନେତାଙ୍କୁ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ପରିଷଦକୁ ୧୪୭ଟି ବିଧାନସଭା ଆସନରୁ ୧୪୭ଜଣ ସଦସ୍ୟ ମନୋନୀତ ହୋଇଥିବାବେଳେ ୧୦୩ ବିଧାୟକ, ୩୨ ସାଙ୍ଗଠନିକ ଜିଲା ସଭାପତି, ୧୪ଜଣ ଲୋକସଭା ସଭ୍ୟ, ୬ଜଣ ରାଜ୍ୟସଭା ସଭ୍ୟ ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବା ୨୫ଜଣ ଓ ସାଂସଦ ନିର୍ବାଚନରେ ପରାଜିତ ୪ଜଣ ନେତାଙ୍କୁ ମନୋନୀତ କରାଯାଇଛି ।

ନୂଆ ପରିଷଦରେ ଗତ ଥର ବାଦ ପଡ଼ିଥିବା ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ଏଥର ସାମିଲ କରାଯାଇଛି । ବିଶେଷ କରି ଖୋର୍ଦ୍ଧା ଜିଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ କଟକରୁ ଧର୍ମାନନ୍ଦ ବେହେରାଙ୍କୁ ପରିଷଦରେ ରଖାଯାଇଛି ।

ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ମିନୀଶେଖର ଦେଓଙ୍କ ସମେତ ମାନସ ମାଡ଼କାନି, ରାମକୃଷ୍ଣ ଦାସମହାପାତ୍ର, ମୁନ୍ନା ଖାଁ, ନଗେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ପରିଷଦକୁ ମନୋନୀତ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version