Site icon Odisha.com

ମେଟାଲିକ୍ସ ସ୍ପଞ୍ଜ ଲୁହା କାରଖାନା ମାଲିକଙ୍କୁ ହତ୍ୟା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଯୋଡା, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)- ଠାକୁରାଣୀ ମଧ୍ୟସ୍ଥଳୀ ସେଡିଂ ବସ୍ତିସ୍ଥିତ ରାଜୀବ ବିହାର କଲୋନୀଠାରେ ସୁମ୍ରିତ୍ ମେଟାଲିକ୍ସ ସ୍ପଞ୍ଜ ଲୁହା କାରଖାନା ନିର୍ଦେଶକ ତଥା ମାଲିକଙ୍କ ବାଦ କୁଳଭୂଷଣ କୁମାର ଚୁଙ୍ଗ୍ ଙ୍କୁ ରାଜୀବ ବିହାର କଲୋନୀରୁ ବାହାରୁଥିବା ସମୟରେ ଗୁଳିକରି ହତ୍ୟା କରାଯାଇଛି ।

ଗୁରୁତର ଆହତ ବାଦ କୁଳଭୂଷଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଯୋଡା ଟାଟା ଷ୍ଟିଲ ଚିକିତ୍ସାଳୟର ଆଇସିୟୁ ରେ ଭର୍ତି କରାଯାଇଥିଲା । ଗୁଳିଗୁଡ଼ିକୁ ଶରୀରରୁ ବାହାର କରାଯିବା ପୂର୍ବରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କୁଳଭୂଷଣଙ୍କ ଡାହାଣ ପଟ ଛାତିରେ ଗୋଟିଏ ଗୁଳି ଓ ତଳି ପେଟରେ ଦୁଇଟି ଗୁଳି ବିଦ୍ଧ ହୋଇଥିଲା ।

ଏକ କଳା ରଙ୍ଗର ମୋଟର ସାଇକେଲ ଯୋଗେ ଦୁଇ ଜଣ ଅଜଣା ଦୁର୍ବୃତ ସାଧା ପୋଷାକରେ ଆସି ତାଙ୍କ ସହ କଥାବାର୍ତା କରିଥିଲେ । ଦାଦା ଚାନ୍ଦା ବା କମିଶନିଂ ବାବଦକୁ ବକେୟା ଅର୍ଥକୁ କେନ୍ଦ୍ର କରି ଏହି ଅଜଣା ଦୁର୍ବୃତ ଦ୍ୱୟ କୁଳଭୂଷଣଙ୍କ ସାଙ୍ଗରେ ଯୁକ୍ତିତର୍କ କରିଥିଲେ ।

ଏମାନଙ୍କ ମଧ୍ୟରୁ ଜଣେ ପକେଟ୍ ରୁ ରିଭଲଭର କାଢି ହଠାତ୍ କୁଳଭୂଷଣଙ୍କ ଉପରକୁ ତିନି ରାଉଣ୍ଡ ଗୁଳି କରିଥିଲେ । ନିକଟରେ ପହରା ଦେଉଥିବା ସୁରକ୍ଷା କର୍ମୀ ଓ କଲୋନୀର ଅନ୍ୟ ବାସିନ୍ଦାମାନେ ଘଟଣା ସ୍ଥଳକୁ ଆସିବା ପୂର୍ବରୁ ଆତତାୟୀ ଦ୍ୱୟ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ ।

ଖବର ପାଇ ବଡବିଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ନିମନ୍ତେ ପ୍ରତ୍ୟକ୍ଷଦର୍ଶୀ ସୁରକ୍ଷା କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛନ୍ତି । ଆତତାୟୀଦ୍ୱୟଙ୍କୁ ପୁନର୍ବାର ଦେଖିଲେ ସହଜରେ ଚିହ୍ନଟ କରି ପାରିବେ ବୋଲି ସୁରକ୍ଷା କର୍ମଚାରୀ ପୁଲିସ ନିକଟରେ ପ୍ରକାଶ କରିଛି ।

ଓଡିଶା ଡଟ୍ କମ୍

Exit mobile version