Site icon Odisha.com

ସ୍ପେସ୍ ଆପ୍ଲିକେସନ୍ ଭାରତ ରୋଲ୍ ମଡେଲ୍:ଇସ୍ରୋ ଅଧ୍ୟକ୍ଷ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୩(ଓଡିଶା ଡଟ କମ୍)-ଅତ୍ୟାଧୁନିକ ଢ଼ଙ୍ଗରେ ଅନ୍ତରୀକ୍ଷ ଗବେଷଣା ଜାରି ରଖି ସ୍ପେସ୍ ଆପ୍ଲିକେସନ୍ ଭାରତ ବିଶ୍ୱର ଏକ ରୋଲ ମଡ଼େଲ୍ ଭାବେ ପ୍ରତିପାଦିତ ହୋଇପାରିଛି ବୋଲି କହିଛନ୍ତି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. କେ. ରାଧାକ୍ରିଷ୍ଣନ ।

କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ଦେଇ ସେ କହିଲେ, ପୃଥିବୀର ଜୀବର କ୍ରମବିକାଶ ପାଇଁ ମଙ୍ଗଳ ଗ୍ରହର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭାରତ ଭବିଷ୍ୟତରେ ମଙ୍ଗଳ ଗ୍ରହ ଉପରେ ଅଧିକ ଗବେଷଣା କରିବ ।

ଇସ୍ରୋର ଆଭିମୁଖ୍ୟ ଉପରେ ସୂଚନା ଦେଇ ରାଧାକ୍ରିଷ୍ଣନ କହିଲେ, ଇସ୍ରୋ କୃତ୍ରିମ ଉପଗ୍ରହର ବିକାଶ ଓ ମହାକାଶକୁ ପ୍ରେରଣ ନିମନ୍ତେ ଉନ୍ନତ୍ତ ଯାନ ପ୍ରସ୍ତୁତ କରିବା ଦିଗରେ ସଂପ୍ରତି ଧ୍ୟାନ ଦେଉଛି ।

ନାଭିଗେସନ୍ ଉପଗ୍ରହ ସଂପର୍କରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଚଳିତବର୍ଷ ଜୁନ୍ ଶେଷ ସୁଦ୍ଧା ଭାରତ ନାଭିଗେସନ ଉପଗ୍ରହ ପ୍ରେରଣ କରିବା ପାଇଁ ଯୋଜନା ରଖିଥିବା ବେଳେ ରିଜିଓନାଲ୍ ନାଭିଗେସନ୍ ସାଟେଲାଇଟ ନାମକ ଏକ ନାଭିଗେସନ୍ ସାଟେଲାଇଟ ସିଷ୍ଟମ୍ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଇସ୍ରୋର ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟକ୍ରମ ହେବ ଜିଏସ୍ଏଲ୍ଭି ରକେଟ୍ ପ୍ରେରଣ । ୨୦୧୩ ଏପ୍ରିଲ ଶେଷ କିମ୍ବା ମେ ମାସ ପ୍ରଥମାର୍ଦ୍ଧରେ ଏହା ପ୍ରେରଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ଉନ୍ନତ୍ତ ମହାକାଶ ଗବେଷଣା ଉପରେ ସୂଚନା ଦେଇ ସେ କହିଲେ, ବହୁ ଗବେଷଣା ପ୍ରତିଷ୍ଠାନ ଓ ବିଜ୍ଞାନଗାର ଜୀବନ ଓ ମାନବ କ୍ରମବିକାଶ ଉପରେ ଗବେଷଣା ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ମଙ୍ଗଳ ଗ୍ରହ ଉପରେ ଗବେଷଣାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଇସ୍ରୋ ମଧ୍ୟ ଚନ୍ଦ୍ର, ମଙ୍ଗଳ ଓ ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଗୁରୁତ୍ୱାରୋପ କରୁଛି ।

ଭବିଷ୍ୟତରେ ଚନ୍ଦ୍ର ଓ ମଙ୍ଗଳରେ ଥିବା ପରିବେଶ ଉପରେ ଅଧିକ ଗବେଷଣା କରାଯିବା ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇ ସେ କହିଲେ, ୨୦୩୦ରୁ ୪୦ ମଧ୍ୟରେ ମଙ୍ଗଳ ଅଭିଯାନ ସଫଳତା ପାଇଁ ଚନ୍ଦ୍ରକୁ ମଧ୍ୟବର୍ତ୍ତି ସ୍ପେସ୍ ଷ୍ଟେସନ୍ ଭାବେ ପ୍ରତିଷ୍ଠା କରାଯାଇସାରିଥିବ ।

ମହାକାଶକୁ ଉପଗ୍ରହ ମାଧ୍ୟମରେ ବ୍ୟବହାର କରି ସର୍ବାଧିକ ବ୍ୟବସାୟିକ କାରବାର ଚାଲୁଥିବା ବେଳେ ୨୦୧୨-୧୩ ବର୍ଷରେ ୧୭୭ କୋଟି ଆମେରିକୀୟ ଡଲାର କାରବାର ହୋଇଥିଲା ।

ଆମେରିକା, ଋଷ୍ ଓ ଚୀନ ଭଳି ରାଷ୍ଟ୍ର ମହାକାଶ ଗବେଷଣା ଦିଗରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରୁଥିବା ବେଳେ ଭାରତରେ ଶିକ୍ଷା, ଦାରିଦ୍ର୍ୟ ଓ ପ୍ରାକୃତିକ ଦୁର୍ବିପାକ ଭଳି ସମସ୍ୟା ଯୋଗୁଁ ଅଧିକ ଉନ୍ନତି ହୋଇପାରୁନାହିଁ ବୋଲି ସେ କହିଥିଲେ ।

ତଥାପି ଭାରତ ସମେତ ଆମେରିକା, ଇଉରୋପିଆନ୍ କମ୍ୟୁନିଟି, ଜାପାନ ଓ ଚୀନ ଭଳି ଛ’ଟି ଦେଶ ମହାକାଶ ଗବେଷଣାରେ ଆଗରେ ଅଛନ୍ତି । ଏଥିପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କିଟ୍ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇ ମହାକାଶ ଉପରେ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ ପାଇଁ ବିଭିନ୍ନ ଅନୁଷ୍ଠାନ ପାଠ୍ୟକ୍ରମ ଆରମ୍ଭ କରୁଥିବା ସୂଚନା ଦେଇଥିଲେ ।

କିଟ୍ ପରିଦର୍ଶନ ପରେ ଏହାକୁ ଏକ ଜାତୀୟସ୍ତରର ବିଶ୍ୱବିଦ୍ୟାଳୟ ଭାବେ ଅଭିହିତ କରାଯାଇଥିବା, ତାଙ୍କର ମନେ ରହିବ ବୋଲି କହିଥିଲେ । ସେହିପରି କିସ୍ ଜରିଆରେ ଏଠାରେ ଏକ ସାମାଜିକ ବିପ୍ଳବ ସୃଷ୍ଟି କରାଯାଇପାରିଛି ବୋଲି ସେ କହିଥିଲେ ।

ଓଡିଶା ଡଟ କମ୍

Exit mobile version