Site icon Odisha.com

କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତିବାଦରେ ବିଜେପିର ରାଜ୍ୟରେ ବିକ୍ଷୋଭ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଜୟପୁରରେ କଂଗ୍ରେସର ଚିନ୍ତନ ବୈଠକରେ , ଦେଶରେ ଗୈରିକ ଆତଙ୍କବାଦ ବିଜେପି ଓ ସଂଘ ତାଲିମରେ ଚାଲିଛି ।

ଦେଶରେ ଏଭଳି ଆତଙ୍କବାଦର ବିସ୍ତାର ଲାଗି ଉଭୟ ବିଜେପି ଓ ସଂଘ ‘ଉଗ୍ରବାଦୀ ଶିବିର’ ଚଳାଇଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ । ଗୃହମନ୍ତ୍ରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଯୋଗୁ ଗୁରୁବାର ଦିନ ଦେଶବ୍ୟାପୀ ଯୋରଦାର ବିକ୍ଷୋଭ କରିଛି ବିଜେପି । ଆଜି ରାଜ୍ୟରେ ମଧ୍ୟ ବିକ୍ଷୋଭ କରାଯାଇଛି । ରାଜରାସ୍ତାକୁ ଓହ୍ଲାଇଛନ୍ତି ନେତା ଓ କର୍ମୀ ।

ରାଜଧାନୀ ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାମ ମନ୍ଦିର ଛକରେ ବିକ୍ଷୋଭ କରିଥିଲେ । କର୍ମୀ ସେଠାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ ।

ଗୃହମନ୍ତ୍ରୀ ତାଙ୍କର ମନ୍ତବ୍ୟ ଫେରାଇ ନନେଲେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ବିଜେପି ଧମକ ଦେଇଛି ।

ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଭାରତର ଆଧ୍ୟାତ୍ମ ଓ ଧାର୍ମିକ ଐତିହ୍ୟର ପଥପ୍ରଦର୍ଶକ ତଥା ପ୍ରତୀକ ହେଉଛି ଗୈରକ । ଗୈରକକୁ ଉଗ୍ରବାଦ ସହ ତୁଳନା କରି ଭାରତୀୟ ସାଧୁସନ୍ଥଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ସିନ୍ଦେ ଅପମାନିତ କରିଛନ୍ତି । ତେଣୁ ସେ ତାଙ୍କ ପଦରୁ ପଦରୁ ଇସ୍ତଫା ଦିଅନ୍ତୁ ଏବଂ କ୍ଷମାମାଗନ୍ତୁ ବୋଲି ସେ ଦାବୀ କରିଛନ୍ତି ।

ବ୍ରହ୍ମପୁର ମଧ୍ୟ ବିରୋଧ କରାଯିବା ସହିତ ଗୃହମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଜୟ ସ୍ୱାଇଁ କହିଛନ୍ତି ଗୃହମନ୍ତ୍ରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପାକିସ୍ତାନ ପାୟୋଜିତ ଆତଙ୍କବାଦକୁ ଅଧିକ ପ୍ରୋତ୍ସାହିତ କରିବ ।

ଏଭଳି ମନ୍ତବ୍ୟ ଦେଇ ପ୍ରକୃତ ଉଗ୍ରବାଦୀଙ୍କୁ ଗୃହମନ୍ତ୍ରୀ ସିନ୍ଦେ ପ୍ରକାରାନ୍ତରେ କ୍ଲିନଚିଟ ଦେଇଛନ୍ତି । ଏହା ଭାରତ ବିରୋଧୀ ଉଗ୍ରବାଦୀ ଗୋଷ୍ଠୀକୁ ଶକ୍ତିଶାଳୀ କରିବ । ଅନେକ ସମୟରେ କଂଗ୍ରେସ ପକ୍ଷରୁ ଆସୁଥିବା ଏଭଳି ମନ୍ତବ୍ୟକୁ ଶୁଣିବା ପରେ କଂଗ୍ରେସ ଯେ ଏକ କାପୁରଷ ଗୋଷ୍ଠୀରେ ପରିଣତ ହୋଇଛି ତାହା ସେ ବେଳେବେଳେ ଅନୁଭବ କରୁଥିବା ସ୍ୱାଇଁ ସମାଲୋଚନା କରିଛନ୍ତି ।

ପାରଳାଖେମୁଣ୍ଡିରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ଫାୟାରଷ୍ଟେସନ ଛକରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତଳିକା ମଧ୍ୟ ଦାହ କରାଯାଇଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ବିଜେପି ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବାଇପାସ୍ ଛକଠାରେ ବିକ୍ଷୋଭ ପଦର୍ଶନ କରାଯାଇଛି ।

କଳାହାଣ୍ଡି ଜିଲ୍ଲା ବିଜେପି ଶାଖା ପକ୍ଷରୁ ପ୍ରତିବାଦ ସଭା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯାଜପୁର,କେନ୍ଦ୍ରାପଡା ଆଦି ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଯୋରଦାର ବିରୋଧ କରାଯାଇଛି ।

 

ଓଡିଶା ଡଟ୍ କମ୍

Exit mobile version