Site icon Odisha.com

ଗାାନ୍ଧି,ବିନୋବାଙ୍କ ସ୍ୱପ୍ନର ଭାରତ ବାଟବଣା ହୋଇଛି : ତୁଳସୀ ମୁଣ୍ଡା

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-ଗାନ୍ଧି ଓ ବିନୋବାଙ୍କ ସ୍ୱପ୍ନର ଭାରତ ବାଟବଣା ହୋଇଛି । କେହି ଗାଁ କଥା ଚିନ୍ତା କରୁନାହାନ୍ତି । ଗାଁ ଲୋକଙ୍କ ମନରେ ବିଷ ବୁଣି ବିଭେଦର ପାଚେରି ଛିଡା କରିଦିଆଯାଉଛି । ଧନୀ ଓ ଦରିଦ୍ର ମଧ୍ୟରେ ପାଚେରି ସୃଷ୍ଟି ହେଉଛି । ରାଜନେତାମାନେ ଏହାର ଫାଇଦା ହାସଲ କରିଚାଲିଛନ୍ତି ।

ଲୋକସେବକ ମଣ୍ଡଳ ପକ୍ଷରୁ ବୁଧବାର ପୂର୍ବାହ୍ଣରେ ଗୋପବନ୍ଧୁ ଭବନ ସମ୍ମିଳନୀ କକ୍ଷରେ “ନିଖିଳ ଓଡ଼ିଶା ନିର୍ବାଚିତ ଛାତ୍ରନେତା ସମ୍ମିଳନୀ-୨୦୧୩’ର ଉଦଘାଟନୀ ଉତ୍ସବରେ ମୁଖଅତିଥିଭାବେ ଯୋଗଦେଇ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏହା କହିଛନ୍ତି ।

ସେ କହିଛନ୍ତି ଯେ,ଗାଁର ବିକାଶ କେହି ଚାହୁଁନାହାନ୍ତି । ଗାଁର ବିକାଶ ନ ହେବା ପର୍ଯ୍ୟନ୍ତ ଦେଶର ବିକାଶ ଅସମ୍ଭବ । ତେଣୁ ବର୍ତମାନର ଯୁବ ଓ ଛାତ୍ରଶକ୍ତି ପରିବର୍ତନର ବାର୍ତା ଗାଁରୁ ଆରମ୍ଭ କରନ୍ତୁ ।

ମୁଖ୍ୟବକ୍ତା ସାଂସଦ ବୈଜୟନ୍ତ ପଣ୍ଡା ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତନ, ପ୍ରଦୂଷିତ ରାଜନୈତିକ ବ୍ୟବସ୍ଥା ଓ ମହିଳାଙ୍କ ଉପରେ ନିର୍ଯାତନା ରୋକିବା ପାଇଁ ପଦକ୍ଷେପ ନେବାକୁ ସମୟ ଆସିଛି ବୋଲି କହିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି “ସମାଜ” ପରିଚାଳନା ବୋର୍ଡର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ସର୍ବଭାରତୀୟ କୋଷାଧ୍ୟକ୍ଷ ଭୀମସେନ ଯାଦବ ଯୋଗଦେଇଥିବା ବେଳ ସଭାରେ ଅଧ୍ୟକ୍ଷତା କରିଥିଲେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା “ସମାଜ” ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ।

ସକାଳେ କଟକ ରେଳଷ୍ଟେସନ ନିକଟରୁ ଏକ ଶୋଭାଯାତ୍ରା ବାହାରି ‘ସମାଜ’ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସହରର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାକାରୀକୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version