Site icon Odisha.com

ଡିଏଭି ସ୍କୁଲ ଫି’ ବୃଦ୍ଧି ପ୍ରତିବାଦ: ପୋଲିସ-ଅଭିଭାବକ ଧସ୍ତାଧସ୍ତି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-ଆଜି ଠାରୁ ସମସ୍ତ ଡିଏଭି ସ୍କୁଲ ଗୁଡିକରେ ପାଠପଢା ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲକୁ ଆସିନାହାଁନ୍ତି । ମାତ୍ର ଏହି ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲାବେଳେ ପୋଲିସ୍ ଏବଂ ଅଭିଭାବକଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ଘଟଣା ଘଟିଛି ।

ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୪୨ଟି ଡିଏଭି ସ୍କୁଲରେ ଦେଖା ଦେଇଥିବା ପରିସ୍ଥିତିକୁ କେନ୍ଦ୍ରକରି ଅଭିଭାବକ ଏବଂ ସ୍କୁଲ କତୃପକ୍ଷଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି ।

ଆଜି ଭୁବନେଶ୍ୱରରେ କେତେକ ବିଦ୍ୟାଳୟରେ ଅଭିଭାବକମାନେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ପତିର ପ୍ରତିବାଦ କରିଥିଲେ । ତେବେ ୟୁନିଟ-୮ ଡିଏଭିସ୍କୁଲ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଅନେକ ଅଭିଭାବକମାନଙ୍କୁ ଅଟକ ରଖିଥିଲେ ।

ସୂଚାନାଯୋଗ୍ୟ ଯେ,ଡିଏଭି ସ୍କୁଲ ଫି’ ବୃଦ୍ଧି ଘଟଣାର ପ୍ରତିବାଦ କରିବାକୁ ଯାଇ ମଙ୍ଗଳବାର କେତେକ ଅଭିଭାବକ କଟକ ସିଡିଏ, ସେକ୍ଟର-୬ ଡିଏଭି ପବ୍ଲିକ ସ୍କୁଲର ଧାରଣା ଦେବା ସହ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ତେବେ ହଠାତ କିଛି ଅଭିଭାବକଙ୍କ ସହ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟ ମଧ୍ୟରେ ପଶି ଏଠାରେ ଥିବା ଗାଡିମୋଟର ଭଙ୍ଗାରୁଜା କରିଥିଲେ ।

ସେମାନେ ଅଧ୍ୟକ୍ଷା ଶ୍ରୀମତୀ ଇପିସିତା ଦାସଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଚୁଟିଧରି ଟଣାଓଟରା କରିଥିଲେ । ଏହାପରେ ସେମାନେ ଜବରଦସ୍ତ ଫି’ ବୃଦ୍ଧି ସଂକ୍ରାନ୍ତ ନୋଟିସ ପ୍ରତ୍ୟାହାର କରାଗଲା ବୋଲି ଏକ କାଗଜରେ ଲେଖାଇ ନେଇଥିଲେ ।

ଏହି ଘଟଣା ଚାଲିଥିବା ବେଳେ ବାହାରେ ଉପସ୍ଥିତ କିଛି ଶିକ୍ଷକ/ଶିକ୍ଷୟିତ୍ରୀ ପୁଲିସକୁ ଫୋନ କରିଥିଲେ । ବହୁ ବିଳମ୍ବରେ ପୁଲିସ ଆସି ଉତ୍ୟକ୍ତ ଅଭିଭାବକଙ୍କୁ ରୋକିବା ପରିବର୍ତେ ନିରବଦ୍ରଷ୍ଟା ସାଜିଥିଲା ବୋଲି ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ଶ୍ରୀମତୀ ଦାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ନ୍ୟାୟଭିକ୍ଷା କରିବା ସହ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଦୈ୍ୱତନଗରୀର ସମସ୍ତ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ନିନ୍ଦା କରିଛନ୍ତି ।

ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା, କର୍ତବ୍ୟରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଯଦି ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରା ନଯାଏ, ତେବେ ମହାନଗରୀର ସମସ୍ତ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ସ୍କୁଲ ଆସିବେ ନାହିଁ ବୋଲି ଉପସ୍ଥିତ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version