Site icon Odisha.com

ନବୀନ ପଞ୍ଚମ ଥରପାଇଁ ସଭାପତି ହେବା ନିଶ୍ଚିତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୫,(ଓଡିଶା ଡଟ୍ କମ୍)-ସଭାପତି ପଦପାଇଁ ବିଜେଡି ନିର୍ବାଚନ କମିଶନର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ପାର୍ଥୀରୂପେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେଣୁ ଶ୍ରୀ ପଟ୍ଟନାୟକ ପୁଣିଥରେ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । କେବଳ ୨୮ ତାରିଖରେ ଔପଚାରିକ ଘୋଷଣା କରାଯିବ ।

ନବୀନଙ୍କ ପାର୍ଥୀପତ୍ର ଦାଖଲକଲେ ମନ୍ତ୍ରୀ କଳ୍ପତରୁ ଦାସ । ସେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ନିକଟରେ ପାର୍ଥୀପତ୍ର ଦାଖଲ କଲେ । ନବୀନଙ୍କ ପାର୍ଥୀପତ୍ରରେ ୧୦ ଜଣ ସମର୍ଥକ ରହିଛନ୍ତି ।

ଆସନ୍ତା ୨୮ ତାରିଖରେ ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବିଜେଡି ନିର୍ବାଚନ ଅଧିକାରୀ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ,ଜିଲା ସଭାପତି ନିର୍ବାଚନ ପରେ ବିଜେଡି ରାଜ୍ୟ ପରିଷଦ ନିର୍ବାଚନ ଶେଷ ହୋଇଛି । ପରିଷଦକୁ ୩୩୧ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି ।

ପରିଷଦକୁ ୧୪୭ଟି ବିଧାନସଭା ଆସନରୁ ୧୪୭ଜଣ ସଦସ୍ୟ ମନୋନୀତ ହୋଇଥିବାବେଳେ ୧୦୩ ବିଧାୟକ, ୩୨ ସାଙ୍ଗଠନିକ ଜିଲା ସଭାପତି, ୧୪ଜଣ ଲୋକସଭା ସଭ୍ୟ, ୬ଜଣ ରାଜ୍ୟସଭା ସଭ୍ୟ ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବା ୨୫ଜଣ ଓ ସାଂସଦ ନିର୍ବାଚନରେ ପରାଜିତ ୪ଜଣ ନେତାଙ୍କୁ ମନୋନୀତ କରାଯାଇଛି ।

ଗତ ୮ତାରିଖରେ ବିଜେଡିର ନୂଆ ଜିଲା ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା । ତେବେ ଅର୍ଦ୍ଧାଧିକ ଜିଲାରେ ଏକାଧିକ ପ୍ରାର୍ଥୀ ରହିଥିବାରୁ ନିର୍ବାଚନ ମତୈକ ଭିତିରେ କରିବା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ତେବେ ଏଥିରେ ନବୀନନିବାସର ହସ୍ତକ୍ଷେପ ଯୋଗୁ ନିର୍ବାଚନ ସହଜ ହୋଇଥିଲା ।

ନୂଆ ପରିଷଦରେ ଗତ ଥର ବାଦ ପଡ଼ିଥିବା ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ଏଥର ସାମିଲ କରାଯାଇଛି । ବିଶେଷ କରି ଖୋର୍ଦ୍ଧା ଜିଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ କଟକରୁ ଧର୍ମାନନ୍ଦ ବେହେରାଙ୍କୁ ପରିଷଦରେ ରଖାଯାଇଛି ।

ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ମିନୀଶେଖର ଦେଓଙ୍କ ସମେତ ମାନସ ମାଡ଼କାନି, ରାମକୃଷ୍ଣ ଦାସମହାପାତ୍ର, ମୁନ୍ନା ଖାଁ, ନଗେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ପରିଷଦକୁ ମନୋନୀତ କରାଯାଇଛି ।

ଏହି ନିର୍ବାଚନ ମତୈକ ଭିତିରେ ହୋଇଥିବା ନିର୍ବାଚନ ଅଧିକାରୀ କହୁଥିଲେ ହେଁ ଏଥିନେଇ ଦଳୀୟ ମହଲରେ ଅସନ୍ତୋଷ ଭରି ରହିଛି । ନୂଆ ପରିଷଦରେ ଜିଲାସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୁବ ନେତା, ମହିଳା, ସଂଖ୍ୟାଲଘୁ, ଯାଦବ ସମ୍ପ୍ରଦାୟ ସମେତ ବିଭିନ୍ନ ବର୍ଗର ଅନୁଭବୀ ନେତାଙ୍କୁ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

୨୮ରେ ମଧ୍ୟ ରାଜ୍ୟର କାର୍ଯ୍ୟନିର୍ବାହୀ କମିଟି, ଉପସଭାପତି ଏବଂ ଅନ୍ୟାନ୍ୟ ଛାମୁଆ ସଙ୍ଗଠନର ମୋଟ ୮୧ଜଣିଆ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଓଡିଶା ଡଟ୍ କମ୍

Exit mobile version