Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ବାଚନୀ ଚାଲ-ବିରୋଧୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୬(ଓଡିଶା ଡଟ୍ କମ୍ )-ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ପରିବାରକୁ ୧ ଟଙ୍କାରେ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିବାପରେ ବିରୋଧୀ ସମାଲୋଚନା କରିଛନ୍ତି ।

କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ନିର୍ବାଚନୀ ଚାଲ । ଖାଦ୍ୟ ସୁରକ୍ଷା ବିଲ୍ ଗୃହୀତ ହେବାପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସାଧାରଣ ବଣ୍ଟନ ସାମଗ୍ରୀକ ଭାବରେ ଅନେକ ରିହାତି ଦେଉଛନ୍ତି । ଏଥିରେ ରାଜ୍ୟର କିଛି ବାହାଦୁରି ନାହିଁ । କେବଳ ଘୋଷଣା କରି ଭୋଟ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କହିଛନ୍ତି ୨୦୦୯ ନିର୍ବାଚନରୁ ଏହି ଯୋଜନା କଂଗ୍ରେସ ଇସ୍ତାହାରରେ ରହିଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଏହାକୁ ଆପଣେଇଛନ୍ତି । ନବୀନ ବାବୁ ଏହା କହିବାର ଉଦ୍ଦେଶ୍ୟ ହେଲା ସେ ନିର୍ବାଚନ ପାଇଁ ଭୟଭିତ ହୋଇ ଯାଇଛନ୍ତି ।

ଏହାଛଡା ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହେବାପରେ କେନ୍ଦ୍ର ସରକାର ଗରୀବ ପରିବାରକୁ ଚାଉଳ କିଲୋ ପିଛା ୩ଟଙ୍କାରେ ଦେବାକୁ ଯୋଜନା କରିଥିଲେ । ଏବେ ରାଜ୍ୟ ସରକାର କିଲୋପିଛା ଏକ ଟଙ୍କା ଦେଲେ ସେଥିରେ କିଛି ବାହାଦୁରି ନାହିଁ ।

ବିଜେପି ମଧ୍ୟ କଂଗ୍ରେସ ସ୍ୱରରେ ସ୍ୱର ମିଳାଇଛି । ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ରାଜ୍ୟର ୪୪ ଲକ୍ଷ ଗରିବ ପରିବାର ଭୋଟ ହାତେଇବା ପାଇଁ ସାଧାରଣତନ୍ତ୍ର ଦିବସରେ ଏପରି ଅସାଧରଣ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଭିନ୍ନ ରାଜନୈତିକ ବିଶେଷଜ୍ଞଙ୍କ ମତହେଲା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସାଧାରଣ ଜନତାଙ୍କ ଉନ୍ନତି ହେବ ନାହିଁ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆଗାମୀ ଦିନରେ ମଧ୍ୟ ମାଗଣାରେ ଚାଉଳ ମିଳି ପାରିବ ।

ସାଧାରଣ ବଣ୍ଟନ ନିୟମରେ ବିପିଏଲ ପରିବାରକୁ ପ୍ରତିକିଲୋ ଚାଉଳ ପିଛା କେନ୍ଦ୍ର ସରକାର ଦେଉଛନ୍ତି ୧୬ ଟଙ୍କା ରିହାତି । ରାଜ୍ୟ ସରକାର କେନ୍ଦ୍ର ସରକାର ଠାରୁ ଚାଉଳ କିଣୁଛନ୍ତି କିଲୋ ପିଛା ୬ ଟଙ୍କା ଦରରେ । ସେଥିରେ ୫ଟଙ୍କା ରିହାତି ଦେଇ କିଲୋ ପିଛା ଏକଟଙ୍କା ଦରରେ ଚାଉଳ ଯୋଗାଇ ଦେବାକୁ ସ୍ଥିର କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version