Site icon Odisha.com

ଫେବୃୟାରୀରୁ ବିପିଏଲ ପରିବାରଙ୍କୁ ଏକ ଟଙ୍କାରେ କିଲେ ଚାଉଳ-ମୁଖ୍ୟମନ୍ତ୍ରୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୬(ଓଡିଶା ଡଟ୍ କମ୍)-ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଏଣିକି ବିପିଏଲ ପରିବାରକୁ ୨ ଟଙ୍କା ନୁହେଁ ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ । ଆଜି ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସରେ ଏ ବିଷୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶନିବାର ଦିନ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ପାଳିତ ହୋଇଛି ୬୪ତମ ସାଧାରଣତନ୍ତ୍ର ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆସନ୍ତା ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ଥିବା ବିପିଏଲ ପରିବାରକୁ କିଲୋ ପିଛା ୧ଟଙ୍କାରେ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଥିଲେ । କେବଳ ବିପିଏଲ ପରିବାର ନୁହଁନ୍ତି କେବିକେ ଅଞ୍ଚଳର ଏପିଏଲ ପରିବାରକୁ ମଧ୍ୟ ୧ ଟଙ୍କାରେ କିଲୋ ହିସାବରେ ଚାଉଳ ଯୋଗାଇ ଦିଆଯିବ ।

ଅନ୍ତ୍ୟୋଦୟ ହିତାଧିକାରୀ,ଭିନ୍ନକ୍ଷମ ଏବଂ ଅନୁସେଚିତ ଜାତି ଓ ଜନଜାତି ଛାତ୍ରାବାସ ଏହି ଯୋଜନାରେ ସାମିଲ ହେବ । ରାଜ୍ୟର ୫୮ ଲକ୍ଷ ଉପଭୋକ୍ତା ଏହା ଦ୍ୱାରାଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟର ଅଭିବୃଦ୍ଧିହାର ଜାତୀୟ ଅଭିବୃଦ୍ଧିହାର ଠାରୁ ଆଗରେ ଅଛି । ରାଜ୍ୟରେ ପୃଷ୍ଠିହୀନତା ରୋକିବାରେ କାର୍ଯ୍ୟକ୍ରମ ସଫଳ ହୋଇଛି । ପ୍ରତି ଗାଁକୁ ବିଜୁଳି,ସଡକ ଓ ପାଣି ଯୋଗାଇ ଦେବାକୁ ସରକାର ବଦ୍ଧ ପରିକର ଅଛନ୍ତି ।

ଆଗକୁ ଉଦ୍ୟାନ କୃଷିର ବିକାଶ ସହିତ କୃଷି ଶିଳ୍ପକୁ ପ୍ରୋତ୍ସାହନ କରିବାକୁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ଖାଦ୍ୟ ପ୍ରକ୍ରୀୟା କରଣ ନୀତି ପାଳନ କରିବାକୁ ଯାଉଛନ୍ତି । ଏଥିସହିତ କେନ୍ଦୁପତ୍ର ତୋଳାଳି,ବୁଣାକାର ଓ କାରୀଗରମାନଙ୍କର ସ୍ୱାର୍ଥରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି ହେଉଥିବା ନବୀନ ସୂଚନା ଦେଇଛନ୍ତି ।

ଏଥର ସାଧାରଣତନ୍ତ୍ର ପ୍ୟାରେଡରେ ୫୬ଟି ଦଳ ଅଂଶଗ୍ରହଣ କରିଥିଲେ । ଉତ୍ସବ ଶେଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳ ସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version