Site icon Odisha.com

ତୃତୀୟ ତ୍ରୈମାସିକ ଫଳାଫଳ: ନାଲକୋର ନିଟ ଲାଭ ୧୧୯ କୋଟି ଟଙ୍କା

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)-କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ), ଡିସେମ୍ବର ୨୦୧୨ ରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରିଛି ।

ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ କମ୍ପାନୀ ର ବୋର୍ଡ ଦ୍ୱାରାଚୟନ କରାଯାଇଥିବା ସ୍ୱତନ୍ତ୍ର କମିଟିର ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନୀ , ୨୦୧୨-୧୩ ଆର୍ଥିକ ବର୍ଷର ତୃତୀୟ ତିନି ମାସରେ ୧୧୯ କୋଟି ଟଙ୍କା ନିଟ ଲାଭ କରିଛି ।

ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ହୋଇଥିବା କମ୍ପାନୀ ର ନିଟ ଲାଭ ୫୧ କୋଟି ଟଙ୍କା ଠାରୁ ଏହା ୧୩୩ ପ୍ରତିଶତ ଅଧିକ ।

ଅନ୍ୟ ପକ୍ଷରେ, ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ କଂପାନୀ ର ମୋଟ ବ୍ୟବସାୟ ପୂର୍ବ ବର୍ଷ ଏହି ଅବଧିରେ ହୋଇଥିବା ବ୍ୟବସାୟ ଠାରୁ ବୃଦ୍ଧି ପାଇ ୧୬୭୦ କୋଟି ଟଙ୍କା ହୋଇଛି । ଗତ ବର୍ଷ, ଏହି ସମୟରେ କମ୍ପାନୀ ର ମୋଟ ବ୍ୟବସାୟ ୧୪୩୦ କୋଟି ଟଙ୍କା ହୋଇଥିଲା ।

ଡିସେମ୍ବର ୨୦୧୨ ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ କମ୍ପାନୀ ର ନିଟ ଲାଭ ଓ ମୋଟ ବ୍ୟବସାୟ ଯଥା କ୍ରମେ ୩୪୭ କୋଟି ଟଙ୍କା ଓ ୪୯୭୪ କୋଟି ଟଙ୍କା ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଏହି ସମୟ ମଧ୍ୟରେ ନିଟ ଲାଭ ଓ ମୋଟ ବ୍ୟବସାୟ ପରିମାଣ ଯଥାକ୍ରମେ ୫୬୭ କୋଟି ଟଙ୍କା ଓ ୪୭୪୭ କୋଟି ଟଙ୍କା ଥିଲା ।

ଉତ୍ପାଦନ କ୍ଷେତ୍ରରେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ନାଲକୋ ୧୨.୭୦ ଲକ୍ଷ ଟନ ଆଲୁମିନା ହାଇଡ୍ରେଟ ଉତ୍ପାଦନ କରିଥିବା ବେଳେ ଗତ ବର୍ଷ ଏହି ସମୟରେ ଧାତୁ ଉତ୍ପାଦନ ପରିମାଣ ୧୧.୭୭ ଲକ୍ଷ ଟନ ଥିଲା ।

ଅନ୍ୟ ପକ୍ଷରେ, ଗତ ବର୍ଷର ୩.୦୯ ଲକ୍ଷ ଟନ ତୁଳନାରେ ଚଳିତ ବର୍ଷ ଧାତୁ ଉତ୍ପାଦନ ଯୋଜନା ଅନୁସାରେ ୩.୦୫ ଲକ୍ଷ ଟନ ହୋଇଛି ।

ଓଡିଶା ଡ଼ଟ୍ କମ୍

Exit mobile version