Site icon Odisha.com

ପୋସ୍କୋ ବିରୋଧୀଙ୍କ ଧାରଣାରେ ୪ ଦଳର ନେତା

ଓଡିଶା ଡଟ୍ କମ୍ ସମ୍ବାଦଦାତା

କୁଜଙ୍ଗ, ଜାନୁଆରୀ ୩୦(ଓଡିଶା ଡଟ୍ କମ୍)-ପ୍ରସ୍ତାବିତ ପୋସ୍କ ପ୍ରକଳ୍ପର ଗୋବିନ୍ଦପୁର ବଟବେଲାରି ଠାରେ ପୋସ୍କ ବିରୋଧୀଙ୍କ ଧାରଣା ଅବ୍ୟାହତ ରହିଥିବାବେଳେ ମଙ୍ଗଳବାର ଦିନ ଚାରୋଟି ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ଧାରଣାକାରୀଙ୍କୁ ଉଦ୍ଦବୋଧନ ଦେଇଥିଲେ ।

ନୂଆଗାଁସ୍ଥିତ ପୋସ୍କୋ ଅସ୍ଥାୟୀ କାର୍ଯ୍ୟାଳୟରେ ଗତକାଲି ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଚେକ୍ ବଣ୍ଟନ ପରେ ଆଜି ବିରୋଧୀମାନେ ତତ୍ପର ହୋଇଯାଇଛନ୍ତି । ବଟବେଲାରି ବାଲିଟିକିରାଠାରେ ଅଭୟ ସାହୁଙ୍କ ନେତୃତ୍ୱରେ ଶତାଧିକ ପୋସ୍କୋ ବିରୋଧୀ ମଙ୍ଗଳବାରଦିନ ଧାରଣାରେ ବସିଥିଲେ ।

ଏହି ଧାରଣାରେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ତିର୍ତ୍ତୋଲ ଶିକ୍ଷାଜିଲ୍ଲା ଅଧିକାରୀ ଓ ଜଗତସିଂହପୁର ପ୍ରକଳ୍ପ ସଂଯୋଜକ ନିର୍ମଳ ଦାସ ଘଟଣାସ୍ଥଳକୁ ଯାଇ ପିଲାଙ୍କୁ ବିଦ୍ୟାଳୟ ଫେରିଆସିବା ପାଇଁ ଅନୁରୋଧ କରିଥିଲେ ।

ରାଜ୍ୟର ପ୍ରମୁଖ ୪ଟି ରାଜନୈତିକ ଦଳ ସେମାନଙ୍କ ସହ ସାମିଲ ହୋଇଛନ୍ତି । ସିପିଆଇ ରାଜ୍ୟ ସଂପାଦକ ଦିବାକର ନାୟକ ଏଥିରେ ଯୋଗଦେଇ ସରକାର ବଳ ପ୍ରୟୋଗକରି ଜୋରଜବରଦସ୍ତ ଜମି ଅଧିଗ୍ରହଣ କଲେ ହଜାର ହଜାର କର୍ମୀ ଓ ନେତୃବୃନ୍ଦ ଧାରଣାସ୍ଥଳରେ ବସି ସରକାରଙ୍କୁ ଉଚିତ୍ ଜବାବ ଦେବେ ବୋଲି କହିଥିଲେ ।

ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା ଓ ଦକ୍ଷିଣକୋରିଆରେ ପୋସ୍କୋ ଅଧିକାରୀଙ୍କ ଉଦ୍ଦବେଗ ସତ୍ୱେ ଏବଂ ଗ୍ରାମସଭାରେ ଜମି ଅଧିଗ୍ରହଣକୁ ସ୍ଥାନୀୟ ଲୋକେ ପ୍ରତ୍ୟାଖ୍ୟାନ କରିଥିବାବେଳେ ରାଜ୍ୟ ସରକାର କେଉଁ ଅଧିକାରରେ ଜୁଲମ କରି ପୁଲିସର ଭୟ ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଫରୱାର୍ଡ ବ୍ଲକର ସନ୍ତୋଷ ମିତ୍ର, ସି.ପି.ଏମ୍ ର ସୁରେଶ ପାଣିଗ୍ରାହୀ ପ୍ରମୁଖ ପୋସ୍କୋ ଓ ପ୍ରଶାସନ ବିରୋଧରେ ବର୍ଷିଥିଲେ । ରାଷ୍ଟ୍ରୀୟ ଜନତା ଦଳର ନେତା ହରିଶ୍ ମହାପାତ୍ର ଯୋଗଦେଇନପାରି ତାଙ୍କର ଲିଖିତ ବାର୍ତା ପଠାଇଥିଲେ ।

ଓଡିଶା ଡଟ୍କମ୍

Exit mobile version