Site icon Odisha.com

ବାରବାଟୀରେ ଅଭ୍ୟାସ ମ୍ୟାଚ: ସୁରକ୍ଷା ବ୍ୟବସ୍ଥା କଡାକଡି

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)- ଆଇସିସି ମହିଳା ବିଶ୍ୱକପ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ କମିଶନରେଟ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦବୋସ୍ତ କରାଯାଇଛି ।

ମଙ୍ଗଳବାର ଡ୍ରେସ ରିହର୍ସଲ ଅର୍ଥାତ ଅଭ୍ୟାସ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚ କଡ଼ା ନିରାପତା ମଧ୍ୟରେ ଖେଳା ଯାଇଥିଲେ ମଧ୍ୟ ମ୍ୟାଚ ଦେଖିବା ପାଇଁ ପ୍ରାୟ ଶହେ ଦର୍ଶକ ଉପସ୍ଥିତ ଥିଲେ ।

କଟକ ଡିସିସି ଏସ୍ ପ୍ରବୀଣ କୁମାର କହିଛନ୍ତି କଟକରେ ଆଇସିସି ମହିଳା ବିଶ୍ୱକପ ପାଇଁ ଷ୍ଟାଡିୟମକୁ ପୁରା ସିଲ କରାଯାଇଛି । ବିଭିନ୍ନ ସେକ୍ଟର ଓ ଜୋନ ଅନୁସାରେ ବିଭାଜନକରି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆସନ୍ତା ଫେବୃୟାରୀ ୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆଇସିସି ମହିଳା ବିଶ୍ୱକପ୍ ମ୍ୟାଚ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ମଙ୍ଗଳବାର ଦିନ ଷ୍ଟାଡିୟମ ପରିସରରେ କଟକ କମିଶନର ପୋଲିସ ତରଫରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ କଟକ ଡିସିସି ଏସ୍ ପ୍ରବୀଣ କୁମାର,କଟକ କମିଶନରେଟ ପୋଲିସର ଅଧିନରେ ଥିବା ସମସ୍ତ ଏସ୍ପି,ଆଇଆଇସି ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଖେଳ ସମୟରେ ଷ୍ଟାଡିୟମ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ସହ ,ଖେଳ ଚାଲିଥିବା ସମୟରେ ଦର୍ଶକମାନେ କିପରି କୌଣସି ସାମଗ୍ରୀ ନପିଙ୍ଗନ୍ତି ତାଉପରେ କଡାକଡି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟଯେ,ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପାକିସ୍ତାନ ମହିଳା କ୍ରିକେଟ ଦଳ କଡ଼ା ସୁରକ୍ଷା ମଧ୍ୟରେ ରବିବାର ରାତିରେ ବାରବାଟୀ ଷ୍ଟାଡିୟମରେ ଆସି ପହଞ୍ଚିଥିଲା । ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଦୀର୍ଘ ୩୦ କିଲୋମିଟର ରାସ୍ତା ଏକରକମ ପୁଲିସ ଛାଉଣିରେ ପରିଣତ ହୋଇଥିଲା ।

ରବିବାର ସନ୍ଧ୍ୟା ପ୍ରାୟ ୭ଟା୧୫ରେ ୨୩ ଜଣିଆ ଦଳକୁ ନେଇ ଏକ ସ୍ୱତନ୍ତ୍ର ବିମାନ ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରୁ ପୁଲିସ ଘେରରେ ଏକ ସ୍ୱତନ୍ତ୍ର ବସରେ ଦଳ ୭ଟା ୩୫ରେ କଟକ ଅଭିମୁଖେ ଯାତ୍ରା କରିଥିଲା ।

ଏଜି ଛକ, ଆଚାର୍ଯ୍ୟ ବିହାର ଛକ ଓ ରସୁଲଗଡ଼ ଛକ ଦେଇ ଏହି ବସ କଟକରେ ପହଞ୍ଚିଥିଲା ।

ଖେଳାଳିଙ୍କ ସୁରକ୍ଷା ପାଇଁ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିଲା । ଖେଳାଳିଙ୍କୁ ନେଇ ଯାଉଥିବା ବସର ଆଗରେ ଦୁଇଟି ପାଇଲଟ ଭ୍ୟାନ ପଛରେ ଏକ ଏସଏସବି ବାଟାଲିଅନର କମାଣ୍ଡୋମାନେ ଏକ ଖୋଲା ଜିପରେ ଏସକଟ କରୁଥିଲେ । ସେହିପରି ବସର ଦୁଇ ପାଖରେ ଦୁଇଟି ଭ୍ୟାନ ଓ ପଛରେ ଏକ ଭ୍ୟାନରେ ମଧ୍ୟ କମାଣ୍ଡୋମାନେ ରହିଥିଲେ ।

ତେବେ ଗତ ସପ୍ତାହେ ହେଲା ଓଡ଼ିଶାରେ ପାକିସ୍ତାନ ଖେଳାଳିଙ୍କୁ ଖେଳିବାକୁ ଦିଆଯିବ ନାହିଁ ବୋଲି ହୁଙ୍କାର ଦେଉଥିବା କୌଣସି ବ୍ୟକ୍ତି ବା ସଂଗଠନଙ୍କୁ ଦେଖିବାକୁ ମିଳିନଥିଲା । କେଉଁଠାରେ ବି ପାକିସ୍ତାନୀ ବିରୋଧୀ ସ୍ଲୋଗାନ ମଧ୍ୟ ଦିଆଯିବା ଦେଖା ଯାଇନଥିଲା । ମୋଟ ଉପରେ କହିବାକୁ ଗଲେ; ଓଡ଼ିଶାମାଟିରେ ପାକିସ୍ତାନୀ କ୍ରିକେଟରଙ୍କୁ ବିରୋଧ କିମ୍ବା ବିଦ୍ୱେଷ ନୁହେଁ; ବରଂ ଆତିଥ୍ୟ ମିଳିଥିଲା ।

ଆଇିସିସି ବିଶ୍ୱକପରେ ଭାଗ ନେବାକୁ ଆସିଥିବା ପାକିସ୍ତାନ ମହିଳା କ୍ରିକେଟ ଖେଳାଳି ଓ ଦଳର ସପୋର୍ଟ ଷ୍ଟାଫଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

କ୍ୟଟୋଂନମେଂଟ ରୋଡରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ପ୍ରାୟ ୫୦୦ କ୍ରୀଡାବିତ ହାତରେ ଫ୍ଲାଗକାର୍ଡ ଧରି ପାକିସ୍ତାନ ଖେଳାଳିଙ୍କୁ ସ୍ୱାଗତ କରିଥିଲେ । ସେହିପରି ବିମାନବନ୍ଦର ବାହାରେ ମଧ୍ୟବହୁ କ୍ରିକେଟର ଏହି ଦଳକୁ ସ୍ୱାଗତ କରିଥିଲେ ।

ଷ୍ଟାଡିୟମ ନବନିର୍ମିତ ଅତ୍ୟାଧୁନିକ ଓସିଏ କ୍ଲବରେ ପାକିସ୍ତାନ ଖେଳାଳି ଅବସ୍ଥାପନ କରିଛନ୍ତି । ସେମାନଙ୍କୁ ବ୍ୟାପକ ସୁରକ୍ଷା ଯୋଗାଇ ଦିିଆଯାଇଛି ।

ଶୁକ୍ରବାରଠାରୁ ଏଠାରେ ଗ୍ରୁପ ‘ବି’ର ପ୍ରଥମ ମ୍ୟାଚ ଖେଳିବା ପୂର୍ବରୁ ପାକିସ୍ତାନ ଦଳ ସେମାନଙ୍କ ରଣକ୍ଷେତ୍ର ବାରବାଟୀ ଷ୍ଟାଡିୟମରେ ସୋମବାର ପୂର୍ବାହ୍ନରେ ଓହ୍ଲାଇଥିଲେ । ସେମାନେ ପ୍ରାୟ ୩ ଘଣ୍ଟା ଧରି ନେଟ୍ ଅଭ୍ୟାସ କରିଥିଲେ । ମଙ୍ଗଳବାର ପାକିସ୍ତାନ ଦଳ ଘରୋଇ ଓଡ଼ିଶା ଏକାଦଶ ସହିତ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଥିଲା ବୋଲି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି ।

ଘରୋଇ ଓଡ଼ିଶା ମହିଳା ଏକାଦଶ ବିରୋଧରେ ଏହି ଅଭ୍ୟାସ ମ୍ୟାଚରେ ପାକିସ୍ତାନ ୯୫ ରନରେ ବିଜୟୀ ହୋଇଛି । ପାକିସ୍ତାନ ୪୮.୪ ଓଭରରେ ୨୪୦ ରନକରି ଅଲ୍‍ଆଉଟ ହୋଇ ଯାଇଥିଲା ।

୨୪୧ ରନ ବିଜୟଲକ୍ଷ୍ୟକୁ ପିଛାକରି ଓଡ଼ିଶା ଏକାଦଶ ୫୦ ଓଭର ଶେଷରେ ୮ ୱିକେଟରେ ୧୪୫ ରନ କରି ପାରିଥିଲା ।
ଏହି ମାଚରେ ପାକିସ୍ତାନ ଏକ ଆନ୍ତର୍ଜାତିକ ଦଳ ଭାବେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା । ତେବେ ପାକିସ୍ତାନକୁ ୫୦ ଓଭର ପୂର୍ବରୁ ଅଲଆଉଟ କରିବା ଓଡ଼ିଆ ଖେଳାଳିଙ୍କ ପାଇଁ ଏକ ସଫଳତା ।

ଘରୋଇ ଅଧିନାୟିକା ମଧୁସ୍ମିତା ବେହେରା ୮ଟି ଚୌକା ସହ ସର୍ବାଧିକ ୫୩ ରନ କରିଥିଲେ । କାଦମ୍ବିନୀ ମହାକୁଡ଼ ୨୧, ଗଙ୍ଗୋତ୍ରୀ ବେହେରା ୩୧ ଓ ମାଧୁରୀ ମେହେଟ୍ଟା ୧୩ ରନ କରିଥିଲେ ।

ପାକିସ୍ତାନର ଆସମାଭିୟା ଇକବାଲ ୩ଟି ୱିକେଟ ନେଇଥିବା ବେଳେ ସାନା ମୀର ଓ ସାଦିଆ ୟୁସୁଫ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ପାକିସ୍ତାନ ଅଧିନାୟକ ସାନା ମୀର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ୭ ରନରେ ଦଦୁଇ ଓପନର ସାନା ମୀର (୨) ଓ ନାହିଦା ଖାଁ (୨) ଆଉଟ ହୋଇଥିଲେ ସୁଦ୍ଧା ନୈନ ଆବିଦି ଓ ଉପଅଧିନାୟିକା ବିସମା ମାରୁଫ ୩ୟ ୱିକେଟ ପାଇଁ ୧୪୮ ରନ ଯୋଡ଼ିଥିଲେ ।

ଆବିଦି ୭ଟି ଚୌକା ଓ ଗୋଟିଏ ଛକା ସହ ୭୩ ଏବଂ ମାରୁଫ ୧୨ଟି ଚୌକା ସହ ୭୬ ରନ କରିଥିଲେ । ଜାଭେରିଆ ଖାଁ ୩୩ ଓ କ୍ୱାନିତା ଜଲିଲ ୨୫ ରନ କରିଥିଲେ । ଓଡ଼ିଶାର ସୁଜାତା ମଲ୍ଲିକ ଓ ଗଙ୍ଗୋତ୍ରୀ ବେହେରା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସୁଶ୍ରୀ ପ୍ରଧାନ ୨ଟି ୱିକେଟ ପାଇଥିଲେ ।

ଓଡିଶା ଡ଼ଟ୍ କମ୍

Exit mobile version