Site icon Odisha.com

ଶାହା କମିଶନଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ଓଡ଼ିଶା ଖଣି ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ ଏମ.ବି ଶାହା କମିଶନ ଆସନ୍ତା ୨୨ତାରିଖରେ ଦୁଇଦିନ ପାଇଁ ପୁନର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି ।

କମିଶନର ଯେଉଁସବୁ ତଥ୍ୟ ମାଗିବେ ରାଜ୍ୟ ସରକାର ତାହା ଯୋଗାଇ ଦେବେ ବେଲି ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି । ଚଳିତ ମାସ ଶେଷ ଭାଗରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ପୂର୍ବରୁ ଶେଷଥର ପାଇଁ କମିଶନ ଅଧ୍ୟକ୍ଷ ଜଷ୍ଟିସ ଶାହାଙ୍କ ସହ ୟୁ,ବି ସିଂହ ପ୍ରମୁଖ ଓଡ଼ିଶା ଆସିବେ ।

ଏହି ଗସ୍ତ ସମୟରେ କମିଶନ ଖଣି ମାଲିକମାନଙ୍କ ଯୁକ୍ତି ଶୁଣିବା ସହ ରାଜ୍ୟ ସରକାରଙ୍କୁ ତାଙ୍କର ପକ୍ଷ ରଖିବାର ସୁଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥର ତାଙ୍କ ଟିମ୍ କୌଣସି ଖଣି ଅଞ୍ଚଳକୁ ଯିବେ ନାହିଁ । ଭୁବନେଶ୍ୱରରେ ରହି ଖଣି ମାଲିକଙ୍କ ସହ ଆଲୋଚନା କରିବେ ।

କମିଶନର ତାଙ୍କ ଚୁଡାନ୍ତ ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ରାଜ୍ୟ ସରକାର କିଛି ଖଣିମାଲିକଙ୍କ ମତ ଶୁଣିବା ଦରକାର ବୋଲି ଅଭିଯୋଗ କରିଥିଲେ ।

ଗତ ୧୨ ତାରିଖରେ ଅନେକ ଖଣିମାଲିକଙ୍କ ପ୍ରତିନିଧିଦଳ ଅହମଦାବାଦ ଯାଇ ସାହାଙ୍କୁ ଭେଟିଥିଲେ ବୋଲି ରାଜ୍ୟ ଖଣି ବିଭାଗ ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି ।

ଓଡ଼ିଶାର ୫ଖଣି ମାଲିକଙ୍କ ସହ ପୂର୍ବାଞ୍ଚଳ ଖଣି ମାଲିକ ସଂଘ ଗତ ମାସରେ ଶାହା କମିଶନଙ୍କୁ ଭେଟି ତଦନ୍ତ ସମୟରେ ସେମାନଙ୍କୁ ପକ୍ଷ ରଖିବାରୁ ସୁଯୋଗ ମିଳିନଥିବାରୁ ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ଅନ୍ତତଃ ସେମାନଙ୍କୁ ଶୁଣିବା ପାଇଁ ଦାବି ଜଣାଇଥିଲେ ।

ଏହାଛଡ଼ା ବହୁ ଖଣି ଦୁର୍ନୀତି ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ରାମ ଜେଠମାଲାନୀ ଓ ଅଭିଷେକ ମନୁ ସିଂହଭି ପ୍ରମୁଖ ମଧ୍ୟ କମିଶନ ଖଣି ମାଲିକ ତଥା ସମ୍ପୃକ୍ତ ରାଜ୍ୟମାନଙ୍କୁ ପକ୍ଷ ରଖିବାର ସୁଯୋଗ ଦେବାକୁ ଯୁକ୍ତି ଦର୍ଶାଇଥିଲେ ।

୨୦୧୦ରେ ସୁପ୍ରିମ କୋର୍ଟ ଦଦ୍ୱାରାଅବସ୍ଥାପିତ ଶାହା କମିଶନ ଗୋଆ ଓ କର୍ଣ୍ଣାଟକ ଖଣି ଦୁର୍ନୀତିର ତଦନ୍ତ ଶେଷକରି ୨୦୧୧ ଡିସେମ୍ବରରୁ ଓଡ଼ିଶା ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

ଇତିମଧ୍ୟରେ କମିଶନ ତଥା ତାଙ୍କର ସଦସ୍ୟମାନେ ତିନିଥର ଓଡ଼ିଶା ଆସି ଦୁର୍ନୀତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପ୍ରଥମ ଥର ଗସ୍ତରେ ନିଜେ ଜଷ୍ଟିସ ଶାହା ଆସିଥିଲେ ମଧ୍ୟ ପରବର୍ତୀ ସମୟରେ ଆସିନଥିଲେ । ଗତ ନଭେମ୍ବର ମାସରେ ୟୁ.ବି ସିଂହଙ୍କ ନେତୃତ୍ୱରେ ଏକ ଦଳ ଆସି ଖଣି ଦୁର୍ନୀତିର ସରଜମିନ ତଦନ୍ତ କରିଥିଲେ ।

ଓଡିଶା ଡଟ୍କମ୍

Exit mobile version