Site icon Odisha.com

ଧର୍ଷଣ,ଅସଦାଚରଣ ବନ୍ଦ ପାଇଁ ଡି.ଏସ୍.ଓ ର ଅଭିଯାନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ପେବୃୟାରୀ ୧ (ଓଡିଶା ଡଟ୍ କମ୍)- ଛାତ୍ରୀ ଓ ମହିଳାମାନଙ୍କୁ ନିରାପତା ପ୍ରଦାନ ଦାବିରେ ଅଲ୍ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ସଚିବାଳୟ ସମ୍ମୁଖରେ ଏକ ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୋଷ୍ଟ ମାଷ୍ଟର ଜେନେରାଲଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଓଡିଶାର ତିରିଶ ହଜାର ଛାତ୍ରଛାତ୍ରୀଙ୍କ ଖୋଲା ଚିଠି (ପୋଷ୍ଟକାର୍ଡ) ପ୍ରଦାନ କରାଯାଇଛି ।

ଅଲ୍ ଇଣ୍ଡିଆ ଡି.ଏସ୍.ଓର ରାଜ୍ୟ ସଭାପତି ଅକ୍ଷୟ ଦାସ, ଉପ-ସଭାପତି ସୁବାସ ନାୟକ, ଗଣେଶ ତ୍ରିପାଠୀ, ସଂପାଦକ ଶିବାଶିଷ ପ୍ରହରାଜ, ସଂପାଦକମଣ୍ଡଳୀ ସଦସ୍ୟ କେଦାରନାଥ ସାହୁ, ସିଦ୍ଧାର୍ଥ ରଥ, ସୋମନାଥ ବେହେରା, ବବି ବଳବନ୍ତରାୟ, ଚିତ୍ତ ରଞ୍ଜନ ମିଶ୍ର, ଖଗେଶ୍ୱର ମହାନ୍ତ, ପରମାନନ୍ଦ ସାହୁ, ଜୟନ୍ତ ମହାନ୍ତି, ଦେବଯାନୀ ଦେହୁରୀ, କାର୍ତ୍ତିକ ମହାନ୍ତ, ନସିମ ସରକାର ଓ ଶାଶ୍ୱତ ସାହୁ ପ୍ରମୁଖ ଏହି ଅଭିଯାନର ନେତୃତ୍ୱ ନେଇଥିଲେ ।

ବିକ୍ଷୋଭ ସ୍ଥଳରୁ ଦୁଇଟି ପୃଥକ ପ୍ରତିନିଧି ଦଳ ଉପରୋକ୍ତ ଦାବି ସମ୍ବଳିତ ଦାବି ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ବେଳେ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ସମସ୍ତ ଶିକ୍ଷାନୁଷ୍ଠାନକୁ ପୂର୍ଣ୍ଣ ଅନୁଦାନଦାବିରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ଆଗାମୀ ଦିନରେ ଛାତ୍ର ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଅଲ ଇଣ୍ଡିଆ ଡି.ଏସ.ଓ ପକ୍ଷରୁ ଘୋଷଣା କରାଯାଇଛି । ଧର୍ଷଣ ଓ ଅସଦାଚରଣ ବନ୍ଦ ପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ‘ଅଙ୍ଗୀକାର ପତ୍ର’ ପାଠ ଓ ଦସ୍ତଖତ ଅଭିଯାନ ଚାଲୁ ରହିବା ସହ ଉପରୋକ୍ତ ଦାବିରେ ‘ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ’ (ଦାବି ସମ୍ବଳିତ ପୋଷ୍ଟକାର୍ଡ ପ୍ରଦାନ)ର କାର୍ଯ୍ୟକ୍ରମ ମଧ୍ୟ ଚାଲିବ ।

ପରବର୍ତୀ ପର୍ଯ୍ୟାୟରେ ଜିଲ୍ଲା ଓ ଆଞ୍ଚଳିକ ସ୍ତରରେ ଜି.ପି.ଓ, ମୁଖ୍ୟ ପୋଷ୍ଟ ଅଫିସ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ କରାଯିବ । ଏହି ଆନ୍ଦୋଳନରେ ସମସ୍ତ ସାହାଯ୍ୟ ସହଯୋଗ ଦେଇ ସକ୍ରିୟ ଅଂଶ ଗ୍ରହଣ କରିବାକୁ ସମସ୍ତ ସ୍ତରର ଛାତ୍ରଛାତ୍ରୀଙ୍କୁ ଅଲ ଇଣ୍ଡିଆ ଡି.ଏସ.ଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ଓଡିଶା ଡଟ୍ କମ୍

Exit mobile version