Site icon Odisha.com

ପୁଣି ପିଆଜ ଦର ବଢିଲା, ଚିନ୍ତାରେ ଖାଉଟି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨(ଓଡିଶା ଡଟ୍ କମ୍)-ଏବେ ପିଆଜ ଦର ହୋଇଛି ରାଜ୍ୟରେ ୩୦ ଟଙ୍କା । ବିଗତ ତିନି ଦିନରେ ବଢିଛି ଦଶ ଟଙ୍କା । ଏବେ ଚିନ୍ତାରେ ପଡିଛନ୍ତି ଖାଉଟି ।

ରାଜଧାନୀରେ ପୁର୍ବରୁ ପିଆଜ କୁଇଣ୍ଟାଲ ପିଛା ୧୫ଶହ ଟଙ୍କା ଥିବା ବେଳେ ଖୁଚୁରାରେ କିଲୋ ପିଛା ୧୫ ରୁ ୨୦ ଟଙ୍କାରେ ବିକ୍ରୀ ହେଉଥିଲା । ହେଲେ ଏବେ କୁଇଣ୍ଟାଲ ପିଛା ୨୪ଶହରୁ ୨୫ଶହ ଟଙ୍କା ରହିଛି । ତେବେ କିଲୋ ପିଛା ବ୍ୟବସାୟୀମାନେ ୩୦ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି ।

ବ୍ୟବସାୟୀ ନିରଞ୍ଜନ ସାହୁ କହିଛନ୍ତି ଯେ ମୌସୁମୀ ଖରାପ ଯୋଗୁଁ ପିଆଜ ରପ୍ତାନି କମ ଅଛି । ତେଣୁ ପିଆଜ ଦର ହୁ ହୁ ହୋଇ ବଢି ଚାଲିଛି । ପନ୍ଦରଦିନ ହେଲାଣି ଟଙ୍କେ ଆଠଣା ବଢୁଥିଲା ଏବେ ତିନି ଦିନ ହେଲା ଦଶଟଙ୍କା ବଢି ଯାଇଛି ।

ପିଆଜ ପାଇଁ ଆମ ରାଜ୍ୟ ନାସିକ, ବେଙ୍ଗଲୁର ଆଦି ରାଜ୍ୟ ଉପରେ ନିର୍ଭର କରେ । ଚଳିତ ବର୍ଷ ଏହି ରାଜ୍ୟରେ ପିଆଜ ଉତ୍ପାଦନ କମ୍ ହୋଇଛି । ତେଣୁ ଓଡିଶାକୁ ଯେତିକି ପରିମାଣରେ ପିଆଜ ଆସିବା କଥା ଆସି ପାରୁନାହିଁ ।

ଯେଉଁ ସବୁ ଗୋଦାମ ମାଲିକ ପିଆଜ ଗଛିତ ରଖିଛନ୍ତି ସେମାନେ ତାହାକୁ ଚଢା ଦରରେ ବିକ୍ରୀ କରୁଛନ୍ତି । ନୂଆ ପିଆଜ ବଜାରକୁ ଆସିଲେ ପିଆଜ ଦର କମିବ ବୋଲି ବ୍ୟବସାୟୀ ସଂଘ କହିଛି ।

ବ୍ୟବସାୟୀମାନେ ଯେପରି ଚଢା ଦରରେ ପିଆଜ ବିକ୍ରୀ ନକରିବେ ସେଥିପାଇଁ ତାଗିଦ୍ କରିଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ମଧୁସୂଦନ ପାଢି କହିଛନ୍ତି କମ୍ ପିଆଜ ଉତ୍ପାଦନ ଯୋଗୁଁ ଦର ବଢିଛି ।

ଓଡିଶା ଡଟ୍କମ୍

Exit mobile version