Site icon Odisha.com

ପୋସ୍କୋ ପାଇଁ ଜମି ଅଧିଗ୍ରହଣ ଜାରି

ଓଡ଼ିଶା ଡ଼ଟ୍ କମ୍: ଅମରନାଥ ପରିଡା

ଜଗତସିଂପୁର,ଫେବୃଆରି ୫(ଓଡିଶା ଡଟ୍ କମ୍ )-ପ୍ରଶାସନର ଜମି ଅଧିଗ୍ରହଣ ଅଭିଯାନର ଦ୍ୱିତୀୟ ଦିନରେ ଗୋବିନ୍ଦପୁର ଗାଁର ୧୦ଟି ପାନ ବରଜକୁ କବ୍ଜାକୁ ନେଇଛି ।

ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଧୀନସ୍ଥ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଗୋବିନ୍ଦପୁରକୁ ଗତକାଲି ପ୍ରଶାସନ ଦଖଲ କରିବା ପରେ ସୋମବାର ବଡିଭୋରୁ ୧୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ୍ ସହ ଜିଲା ପ୍ରଶାସନ ସେଠାରେ ପହଞ୍ଚିଥିଲା । ସକାଳ ସାତଟାରୁ ବରଜ ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ୫ଟି ବରଜ ଭାଙ୍ଗିବା ପରେ ହରିଜନ ସାହିର କିଛି ଲୋକ ବିରୋଧ କରିଥିଲେ ।

ଫଳରେ ସକାଳ ୧୦ଟାରେ ମଙ୍ଗଳା ମନ୍ଦିର ପାଖରେ ପ୍ରଶାସନ ସହ ଗ୍ରାମବାସୀଙ୍କ ବାକ୍ବିତଣ୍ଡା ହୋଇଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ୨୦୧୧ରେ ଜମି ଅଧିଗ୍ରହଣ ସମୟରେ ତତ୍କାଳୀନ ଜିଲାପାଳ ଓ ଆର୍ଡିସି ଯେଉଁ ପ୍ରତିଶୃତି ଦେଇଥିଲେ ତାହା କାର୍ଯ୍ୟକାରୀ ହୋଇନଥିବା ଦର୍ଶାଇ ବିରୋଧ କରିଥିଲେ ।

ଯେଉଁମାନଙ୍କର ଜମି ଯାଉ ନାହିଁ ଅଥଚ ସେମାନେ ପାନବରଜ ଶ୍ରମିକ ସେମାନଙ୍କ ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହା ଜାଣିବାକୁ ଚାହିଁଥିଲେ ଗ୍ରାମର ସମୀର ଦାସ, ମନୋରଂଜନ ଦାସ ।

ଜିଲାପାଳ ସତ୍ୟପ୍ରକାଶ ମଲ୍ଳିକ ଓ ଏସ.ପି ସତ୍ୟବ୍ରତ ଭୋଇ ଗ୍ରାମବାସୀଙ୍କୁ ବୁଝାସୁଝା କରି ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପୁଣି ୧୨ଟା ବେଳୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପ୍ରଶାସନ ୫୦ରୁ ଅଧିକ ବରଜ ଭାଙ୍ଗିବାକୁ ଲକ୍ଷ୍ୟ ରଖିଥିବା ବେଳେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ତାହା ୧୦ ରେ ସୀମିତ ରହିଥିଲାବେଳେ ସେମାନଙ୍କୁ ମୋଟ ୧୪ ଲକ୍ଷ ୧୫ ହଜାର ୫୦୧ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।

ସୋମବାର ଦିନ ଅଧିଗୃହୀତ ହୋଇଥିବା ପାନବରଜ ମାଲିକମାନେ ଗୋବିନ୍ଦପୁର ଦିଲୀପ ପରିଡା, ଦିଲୀପ୍ ସାମନ୍ତରାୟ, ଧିରେନ୍ଦ୍ର ସ୍ୱାଇଁ, କେଳୁ ଦଳେଇ, ଟୁକୁନା ବର୍ଦ୍ଧନ ପ୍ରମୁଖ । ଅପରପକ୍ଷରେ ବିରୋଧୀ ନେତା ଅଭୟ ସାହୁଙ୍କ ନେତୃତ୍ୱରେ ବିରୋଧିମାନେ ପାଟଣାହାଟରେ ଏକାଠି ହୋଇ ପ୍ରଶାସନକୁ ମୁକାବିଲା କରିବାପାଇଁ ବୈଠକ କରିଥିଲେ । ।

ଓଡିଶା ଡଟ୍ କମ୍

Exit mobile version