Site icon Odisha.com

ପ୍ରଭାତ ବିଶ୍ୱାଳ,ବିଭୂତି ବଳବନ୍ତରାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଓଡ଼ିଶା ଡ଼ଟ୍ କମ୍ ସମ୍ପାଦଦାତା

ଭୁବନେଶ୍ୱର,ଫେବୃଆରୀ ୧୧,(ଓଡ଼ିଶା ଡ଼ଟ୍ କମ୍)-ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପାର୍ଟିର ଦୁଇଜଣ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଭୂତି ବଳବନ୍ତରାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ।

ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଏହ ବିଧାୟକ ଦ୍ୱୟଙ୍କ ସମେତ ଚାରିଜଣ ବରିଷ୍ଠ ଦଳୀୟ ନେତା ଗତବର୍ଷ ଜୁନ୍ ଏକ ତାରିଖରେ ଦଳବିରୋଧି କାର୍ଯ୍ୟ କରିଥିବା ଅଭିଯୋଗରେ ପାର୍ଟିରୁ ନିଲମ୍ବିତ ହୋଇଥିଲେ ।

ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଦ୍ୱାରା ଉକ୍ତବର୍ଷ ମଇ୨୯ରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ପଦଚ୍ୟୁତ କରିବାର ଉଦ୍ୟମ ଯୋଗୁଁ ଉକ୍ତ ବିଧାୟକମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଅନ୍ୟ ଯେଉଁମାନେ ନିଲମ୍ବିତ ହୋଇଥିଲେ ସେମାନେ ହେଲେ ପ୍ୟାରୀମୋହନ ମହାପାତ୍ର,ତତ୍କାଳୀନ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଅଞ୍ଜଳି ବେହେରା,ଓ ସଡ଼କ ଓ ପରିବହନ ମନ୍ତ୍ରୀ ସଂଜୀବ ସାହୁ ।

ପ୍ୟାରୀମୋହନ ଓଡ଼ିଶା ଜନମୋର୍ଚା ନାମକ ଏକ ରାଜନୈତିକ ସଂଗଠନ ଗଠନ କରି ନିଜକୁ ବିଜେଡ଼ି ଠାରୁ ଅଲଗା ରଖିଥିବା ବେଳେ ବେହେରା ଏବଂ ସାହୁଙ୍କୁ ଏବେ ମଧ୍ୟ ବିଜେଡ଼ି କାର୍ଯ୍ୟକ୍ରମ ମାନଙ୍କରେ ଦେଖିବାକୁ ମିଳୁଛି । ତେବେ ସେମାନଙ୍କ ଉପରେ ଥିବା ନିଲମ୍ବନ ଆଦେଶ ଏବେ ପର୍ଯ୍ୟନ୍ତ ପ୍ରତ୍ୟାହାର ହୋଇନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version