Site icon Odisha.com

ତ୍ରିଦିବସୀୟ ଯୋଗ ବିଜ୍ଞାନ ପ୍ରଶିକ୍ଷଣ ଉଦ୍ୟାପିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଖୋର୍ଦ୍ଧା , ଫେବୃଆରୀ ୧୨(ଓଡ଼ିଶା ଡ଼ଟ୍ କମ୍)-ସ୍ଥାନୀୟ ଗୀତାଭବନ ପଡ଼ିଆରେ ପତଞ୍ଜଳୀ ଯୋଗ ସମିତି ତଥା ଭାରତ ସ୍ୱାଭିମାନ ଟ୍ରଷ୍ଟ ତରଫରୁ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ଯୋଗ ବିଜ୍ଞାନ ପ୍ରଶିକ୍ଷଣ ଶିବିର ସମିତିର ଜିଲ୍ଲା ଉପସଭାପତି ଇଂ. ସୀତାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।

ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମର ଭିନ୍ନ ଭିନ୍ନ ଦିନରେ ଭାରତୀୟ ଇତିହାସ ସଂକଳନ ସମିତିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ଼ଃ. ନାରାୟଣ ରାଓ, ଗୀତା ଗବେଷଣା ପରିଷଦର ସଂପାଦକ ଶକ୍ତି ଶଙ୍କର ମିଶ୍ର, ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ପ୍ରମୁଖ ଡ଼କ୍ଟର ଧିରେନ୍ଦ୍ର ନନ୍ଦ, କଲେଜ ଅଫ୍ ବିଜିନେସ ମ୍ୟାନେଜମେଣ୍ଟର ପ୍ରଶାସକ ଡ଼ଃ. ବୃନ୍ଦାବନ ପଣ୍ଡା, ଗାୟତ୍ରୀ ପରିବାରର ପ୍ରମୋଦ କୁମାର ପୃଷ୍ଟି, ସତ୍ୟସାଇ ସେବା ସମିତିର ଏମ୍ ଏମ୍ ରାଓ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂଘଚାଳକ କିଶୋର ଚନ୍ଦ୍ର ବରାଳ, ଶିକ୍ଷାବିତ୍ ଜବାହର ସୁବୁଦ୍ଧି ପ୍ରମୁଖ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ।

ଜିଲ୍ଲା ସଭାପତି ଦୁଃଶାସନ ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ପ୍ରଭାରୀ ସୁଧାଂଶୁ ଶେଖର ଅଧିକାରୀ ଯୋଗଦେଇ ସ୍ୱାମୀ ରାମଦେବଙ୍କ ଯୋଗ ସାଧନାର ଅଭ୍ୟାସ ଏବଂ ତା’ର ବିଭିନ୍ନ ଉପକାରୀତା ସଂପର୍କରେ ଦିଗଦର୍ଶନ ଦେଇ କହିଲେ ନିୟମିତ ଆସନ ଓ ପ୍ରାଣାୟମ ଦ୍ୱାରା କେବଳ ରୋଗ ଉପସମ ହୁଏ ନାହିଁ; ନିଜର ସ୍ଥିର ମନ, ଉତ୍ତମ ଆଚାର ବ୍ୟବହାର, ଧୀଶକ୍ତି, ବାକ୍ସଂଯମ ଆଦି ଗୁଣ ଗୁଡ଼ିକ ଅହେତୁକ ଭାବରେ ବୃଦ୍ଧି ପାଏ ।

ଏହା ଦ୍ୱାରା ସମାଜରେ ଦୁର୍ନୀତି ଓ ଭ୍ରଷ୍ଟାଚାର ସଂପୂର୍ଣ୍ଣ ରୋକାଯାଇ ଭାରତକୁ ଏକ ପରମ ବୈଭବଶାଳୀ ରାଷ୍ଟ୍ର ଭାବେ ଗଢ଼ିତୋଳି ହେବ ।

ବିଭିନ୍ନ ଆୟୁର୍ବେଦ ଶାସ୍ତ୍ର ଉପରେ ଆଲୋଚନା କରି ସେ କହିଲେ ଭିନ୍ନ ଭିନ୍ନ ଜଡ଼ିବୁଟିରେ ତିଆରି ଆୟୁର୍ବେଦ ଔଷଧର ବ୍ୟବହାର ଦ୍ୱାରା ମଧ୍ୟ ସମସ୍ତ ରୋଗର ଉପଶମ ହୋଇ ପାରିବ । କୃଷକମାନେ ବିଷମୁକ୍ତ ତଥା ସ୍ୱଦେଶୀ କୃଷିକୁ ଆପଣେଇବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଉଦ୍ୟାପନୀ ସଭାରେ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ପ୍ରଧାନ କହିଲେ ଯୋଗାସନ ମାଧ୍ୟମରେ ଭାରତୀୟ ମହାନ ସଂସ୍କୃତିର ସୁରକ୍ଷା ସହିତ ସହଜ ଓ ନିରାମୟ ଜୀବନ ଯାପନ ହୋଇପାରିବ ।

ଉପସଭାପତି ଇଂ ସୀତାକାନ୍ତ ପଣ୍ଡା ବିଦେଶରୁ କଳାଧନ ଫେରାଇଆଣି ଦେଶକୁ ଏକ ସର୍ବଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ର କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଥିଲେ ଏବଂ ସଭାପତି ଶ୍ରୀଯୁକ୍ତ ସ୍ୱାଇଁ ସାରା ଜିଲ୍ଲାରେ ସଂଗଠନକୁ ମଜ୍ଜଭୂତ କରିବା ପାଇଁ ସମସ୍ତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଅତିଥି ଭାବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ କହିଲେ ଖୋର୍ଦ୍ଧାକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ଏହି ସମିତିର ପ୍ରୟାସ ସର୍ବାଗ୍ରେ ପ୍ରଶଂସନୀୟ । ଏକ ନିୟମିତ ଯୋଗାଭ୍ୟାସ କେନ୍ଦ୍ର ନିର୍ମାଣ କରିବାପାଇଁ ତାଙ୍କର ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ମାନ୍ୟବର ବିଧାୟକ ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜଟଣୀ, ବେଗୁନିଆ, ବୋଲଗଡ଼, ଜଙ୍କିଆ, ତମାଣ୍ଡୋ, ହଳଦିଆ, ମୁକ୍ତାପୁର, ବଣିଆଟାଙ୍ଗୀ ଆଦି ଜିଲ୍ଲାର ବିଭିନ୍ନ କେନ୍ଦ୍ରମାନଙ୍କରୁ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମିତିର ଖୋର୍ଦ୍ଧା ପ୍ରଭାରୀ ଫକୀର ଚରଣ ବେହେରା, ଗୌରାଙ୍ଗ ମଣ୍ଡଳ, ଉମାକାନ୍ତ ସାହୁ ସମେତ ସମସ୍ତ ତହସିଲ ପ୍ରଭାରୀ ଏବଂ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version