Site icon Odisha.com

ପୁରୀ :ପରିବେଶ ଆଇନ ଉଲଂଘନ ଅଭିଯୋଗରେ ରିପୋର୍ଟ ତଲବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୧୫(ଓଡ଼ିଶା ଡ଼ଟ୍ କମ୍)-ପୁରୀ ବେଳାଭୂମିରେ ସିଆରଜେଡ୍ ରେ ଖୋଲା ଉଲଂଘନ ଓ ୩୦୦ରୁ ଅଧିକ ବେଆଇନ କୋଠା ନିର୍ମାଣ ଅଭିଯୋଗ ଉପରେ ମୁଖ୍ୟଶାସନ ସଚିବଙ୍କୁ ମାନ୍ୟବର ଜାତୀୟ ମାନବାଧିକାର କମିସନ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସାମାଜିକ ସଂଗଠନ ‘ଇଣ୍ଡିଆ ମିଡିଆ ସେଣ୍ଟର’ ର ମ୍ୟାନେଜିଂ ଟ୍ରଷ୍ଟି ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ସିଆରଜେଡ୍ ସର୍ତ ଓ ପରିବେଶ ଆଇନକୁ ପୁରୀ ବେଳାଭୂମିରେ ଖୋଲାଖୋଲି ଉଲଂଘନ କରାଯାଇଛି ।

ବେଆଇନ ଭାବେ ଗଢି ଉଠିଛି ୩୦୦ରୁ ଅଧିକ ଛୋଟ ବଡ ହୋଟେଲ୍ ଓ ଲଜ୍ । ଏଥିରୁ ନିର୍ଗତ ଅପରିସ୍କାର ଜଳ ଓ ବର୍ଯ୍ୟବସ୍ତୁ ସମୁଦ୍ରରେ ହିଁ ପଡୁଛି । ଯାହା ଫଳରେ ଅନେକ ସ୍ଥାନରେ ସମୁଦ୍ର ପାଣି ଅପରିସ୍କାର ହେବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ପ୍ରଦୁଷଣ ନିୟମକୁ ଏମାନେ ତିଳେ ହେଲେ ଖାତିର କରୁନାହାନ୍ତି ।

ସିଆର୍ଜେଡ୍ ଆଇନରେ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ବେଳାଭୂମି ନିକଟରେ ଥିବା ହୋଟେଲ୍ ଗୁଡିକ ତାଙ୍କ ପରିସରରେ ବର୍ଯ୍ୟବସ୍ତୁ ପରିଚାଳନା ପ୍ଲାଂଟ୍ ସ୍ଥାପନ କରିବେ ।

କିନ୍ତୁ ପୁରୀର ଅଧିକାଂଶ ହୋଟେଲ୍ ସମୁଦ୍ରକୁ ହିଁ ନର୍ଦ୍ଧମା ଭାବେ ବ୍ୟବହାର କରୁଛନ୍ତି । ଏହା ଯୋଗୁଁ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ରହିଛି ଓ ବିଭିନ୍ନ ରୋଗମାନ ଦେଖାଦେଉଛି । ଅନେକ କ୍ଷେତ୍ରରେ ବେଳାଭୂମିକୁ ବ୍ୟକ୍ତି ଓ ବ୍ୟବସାୟିକ ସଂସ୍ଥା ଜବର ଦଖଲ କରିଛନ୍ତି । ଯାହା ଫଳରେ ସମୁଦ୍ର ବେଳାଭୂମିକୁ ଖାଇବାରେ ଲାଗିଛି ।

ଏଭଳି ସି’ ଇରୋଜେନ୍ ପୁରା ପୁରୀ ସହର ପ୍ରତି ବିପଦ ସୃଷ୍ଟି କରିଛି । ସରକାର ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ କରୁନଥିବାରୁ ସିଆରଜେଡ୍ ଓ ପରିବେଶ ଆଇନଉଲଂଘନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

କିନ୍ତୁ ସରକାର ଏ ଦିଗରେ ଆନ୍ତରିକତାର ସହ କାର୍ଯ୍ୟକରୁନହାନ୍ତି । ବେଆଇନ ଭାବେ ନିର୍ମାଣ କରାଯାଇଥିବା କୋଠାଗୁଡିକୁ ଭାଙ୍ଗିବା ଲାଗି ସରକାର ସାହାସ କରୁନାହିଁ ।

ବେଆଇନ ନିର୍ମାଣ ହୋଇଥିବା କୋଠାକୁ ଭାଙ୍ଗିବା ସହ ଏଭଳି ନିର୍ମାଣ କରି ପରିବେଶକୁ ଦୂଷିତ କରିଥିବା ସଂସ୍ଥାଗୁଡିକ ଉପରେ ସର୍ବନିମ୍ନ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇବାକୁ ଏନଏଚଆରସିଙ୍କୁ ନିବେଦନ କରାଯାଇଥିଲା ବୋଲି ଆବେଦନକାରୀଙ୍କ ଓକିଲ ନିଶିକାନ୍ତ ମିଶ୍ର କହିଛନ୍ତି ।

ସିଆର୍ଜେଡ୍ ଓ ପରିବେଶ ନିୟମ ଉଲଂଘନ କରି ଏଠାରେ ନିର୍ମାଣ ହୋଇଥିବା ହୋଟେଲ୍ ଓ ଲଜ୍ ଗୁଡିକ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ୬ ସପ୍ତାହ ମଧ୍ୟରେ ଜବାବ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ କମିସନ ନୋଟିସ୍ ଜାରି କରି ନିଦେ୍ର୍ଧଶ ଦେଇଛନ୍ତି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version