Site icon Odisha.com

୧୯ରୁ ଭୁବନେଶ୍ୱରରେ ୭ ଦିନ ବ୍ୟାପୀ କଳିଙ୍ଗ ନାଟ୍ୟ ମହୋତ୍ସବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରୀ ୧୮,(ଓଡ଼ିଶା ଡ଼ଟ୍ କମ୍)-ଆସନ୍ତା ୧୯ ତାରିଖରୁ ସର୍ବପୁରାତନ ନାଟ୍ୟ ଅନୁଷ୍ଠାନ ଶତାବ୍ଦୀର କଳାକାର ପକ୍ଷରୁ ବହୁଭାଷୀ ନାଟକ ୧୫ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ଏହି ମହୋତ୍ସବ ରବୀନ୍ଦ୍ରମଣ୍ଡପଠାରେ ୭ ଦିନ ବ୍ୟାପୀ ଆୟୋଜିତ ହେବ ।

ଏଥିରେ ୩ଟି ଓଡ଼ିଆ ନାଟକ ମଞ୍ଚସ୍ଥ ହେବାକୁ ଥିବାବେଳେ ଗୋଟିଏ ବଙ୍ଗଳ।, ହିନ୍ଦୀ , ଛତିଶଗଡି, କାଶ୍ମିର ଆଦି ଭାଷାରେ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ମହୋତ୍ସବକୁ ୧୯ ତାରିଖ ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପଠାରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଶତାବ୍ଦୀର କଳାକାର ଅନୁଷ୍ଠାନର ସଭାପତି ଧୀର ମଲ୍ଲିକ ସୂଚନା ଦେଇଛନ୍ତି ।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୭ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ନାଟକ ମହୋତ୍ସବରେ ପ୍ରଥମେ ଶତାବ୍ଦୀର କଳାକାର ପକ୍ଷରୁ ଓଡ଼ିଆ ନାଟକ ଖାରବେଳ ମଞ୍ଚସ୍ଥ କରାଯିବ ।

ସେହିପରି ଅନ୍ତିମ ଦିବସ ଅର୍ଥାତ ୨୫ ତାରିଖରେ ଭୁବନେଶ୍ୱର ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ନାଟକ ସମାଧି ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏଥିରେ ବିଶିଷ୍ଟ ସାହିତ୍ୟିକ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଡ. ଗୌରହରି ଦାସଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କରାଯିବାକୁ ଥିବାବେଳେ ବିଶିଷ୍ଟ ଅଭିନେତ୍ରୀ ସଂଯୁକ୍ତା କରଙ୍କୁ ସୁମିତ୍ରା ସମ୍ମାନ,ଅଭିନେତା ତଥା ନିର୍ଦ୍ଦେଶକ ଦେବେନ୍ଦ୍ରନାଥ ମଲ୍ଲିକଙ୍କୁ ଅଲେଖ ସମ୍ମାନ ପ୍ରଦାନ କରାଯିବା ସହ ସେମାନଙ୍କୁ ନଗଦ ୧୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ ।

ସେହିପରି ଦୈନିକ ଖବର କାଗଜ ‘ଓଡ଼ିଶା ଭାସ୍କର’ର ବ୍ୟୁରୋ ଚିପ୍ କୌସ୍ତୁଭ ଦାସ,ନାଟ୍ୟକାର ଡ. ଶୈଳେଶ୍ୱର ନନ୍ଦ, ନିର୍ଦ୍ଦେଶକ ପ୍ରୀତିରଞ୍ଜନ ମିଶ୍ର, ଅଭିନେତା ବିନାୟକ ମିଶ୍ର, ନିର୍ଦ୍ଦେଶକ ଗୌରୀଶ୍ୟାମ ମହାପାତ୍ର, ଅଭିନେତା ବିଜୟ କୁମାର ପଟ୍ଟନାୟକ, ସାମ୍ବାଦିକ ନୀଳାମ୍ବର ରଥ, ମିସ୍ ଡାଇନା ସାହୁ ଓ ଫଟୋ ସାମ୍ବାଦିକ ଜିତେନ୍ଦ୍ର ମହାନ୍ତିଙ୍କୁ ଶତାବ୍ଦୀର କଳାକର ସମ୍ମାନରେ ସମ୍ମାନିତ କରାଯିବ ।

ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ଦର୍ପନାରାୟଣ ସେଠୀ, କାର୍ଯ୍ୟକାରୀ ସଭାପତି ରମାକାନ୍ତ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version