Site icon Odisha.com

ଯୁବକ, ମହିଳାଙ୍କ ପରେ ଚାଷୀଙ୍କ ପାଇଁ ସରକାରଙ୍କ ଘୋଷଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୦(ଓଡ଼ିଶା ଡ଼ଟ୍ କମ୍), ଯୁବକ ସଂଘ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ପରେ ଏବେ ସରକାର ଚାଷୀଙ୍କ ପାଇଁ ସହାୟତା ଘୋଷଣାକରିଛନ୍ତି ।

( ବଜେଟ୍ ଭାଷଣ ୧ , ବଜେଟ୍ ଭାଷଣ ୨ ) ୨୦୧୪ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟ ରେ ସରକାର ଏହି ଘୋଷଣା ମାନ କରୁଛନ୍ତି ବୋଲି ବିରୋଧି ଦଳମାନେ ଅଭିଯୋଗ କରିଛନ୍ତି ।

ମଙ୍ଗଳବାର ୨୦୧୩-୧୪ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବିଧାନସଭାରେ ଉପସ୍ଥାପିତ କରିଥିବା ବଜେଟ୍ ରେ କୃଷକମାନଙ୍କ ପାଇଁ ଘୋଷଣା କରିଛନ୍ତି ବିଜୁ କୃଷକ କଲ୍ୟାଣ ଯୋଚନା । ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ପରିବାରର ପାଞ୍ଚଜଣଙ୍କୁ ବାର୍ଷିକ ପ୍ରାୟ ୩୦,୦୦୦ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ । ସରକାର ଏଥିପାଇଁ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ କରିବାର ପ୍ରସ୍ତାବ ରଖିଛନ୍ତି ।

କୃଷି କ୍ଷେତ୍ର ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପନ ପରେ ସେ କହିଛନ୍ତି ଯେ,ବାଣିଜ୍ୟିକ ଏବଂ ଗ୍ରାମ୍ୟ ବ୍ୟାଙ୍କ ଚାଷୀଙ୍କୁ ରିହାତି ସୁଧରେ ସରକାର ସ୍ୱଳ୍ପ ମିଆଦୀ କୃଷିଋଣ ଉପଲବ୍ଧ କରାଇବେ । ପାଞ୍ଚ ପ୍ରତିଶତ ସୁଧହାରରେ ଏହି ଋଣ ପ୍ରଦାନ କରାଯିବ । ନିର୍ଧାରିତ ସମୟ ମଧ୍ୟରେ ଏହା ପୈଠ କଲେ ଏହି ସୁଧ ପରିମାଣ ଦୁଇ ପ୍ରତିଶତ ରହିବ ।

କୃଷି କ୍ଷେତ୍ର ପାଇଁ ସରକାର ଆଗାମୀ ଆର୍ଥିକ ବର୍ଷରେ ସାତହଜାର ଶହେ ବାଷଠି କୋଟି ଟଙ୍କା ଖର୍ଚ କରିବାର ପ୍ରସ୍ତାବ ରଖିଛନ୍ତି । ୨୦୧୨-୧୩ ବର୍ଷ ତୁଳନାରେ ଏହା ୨୭ପ୍ରତିଶତ ଅଧିକ । ସରକାର ପ୍ରାୟ ୨୦୦୦୦ଚାଷୀଙ୍କୁ ମାଗଣା ମୋବାଇଲ ଫୋନ ଯୋଗାଇଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

ଏଠାରେ ଉଲେଖଯୋଗ୍ୟ ଯେ, ରାଜ୍ୟରେ ଯୁବକସଂଘ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜଣ ପିଛା ୧୦୦୦୦ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଏହା ବ୍ୟତୀତ
ସରକାର ବୁଣାକାର, କେନ୍ଦୁପତ୍ର ଶ୍ରମିକ, ନିର୍ମାଣ ଶ୍ରମିକ ଆଦି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସହାୟତା ଘୋଷଣା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version