Site icon Odisha.com

ଚିଲିକାରେ ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରୀ ୨୩,(ଓଡ଼ିଶା ଡ଼ଟ୍ କମ୍), ଚିଲିକା ହ୍ରଦକୁ ପ୍ରତିବର୍ଷ ଆସୁଥବା ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ସପ୍ତାହକ ମଧ୍ୟରେ ତିନିଜଣଙ୍କ ଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ କରାଯାଇଛି ।

ଏହି ତିନୋଟି ପକ୍ଷୀଙ୍କ ଲାଳ,ମଳ,ରକ୍ତ ନମୁନାରୁ ଏହି ଭୂତାଣୁ ଚିହ୍ନଟ କରାଯାଇଛି । ବିରଳ ପ୍ରଜାତିର ପକ୍ଷୀ ବିଣ୍ଟେଲ,ସକଲାର,ଗଡ଼ୱିଲ ପକ୍ଷୀଙ୍କ ରକ୍ତ ନମୁନା ଭୋପାଲସ୍ଥିତ ପ୍ରୟୋଗଶାଳାକୁ ପଠାଯାଇଥିଲା ।

ଯାହାଫଳରେ ଏବେ ସେଠାରେ ଥିବା ପ୍ରାୟ ୫ଲକ୍ଷ ପକ୍ଷୀଙ୍କ ଜୀବନ ଏବେ ବିପଦ ରେ ଅଛି । ଚିଲିକାରୁ ଉଡ଼ି ଆସି ଏକ ବିରଳ ପ୍ରଜାତିର କୁରୁବଳ ପକ୍ଷୀଟି ଅସୁସ୍ଥତା କାରଣରୁ ନିକଟସ୍ଥ ସାହାଜାନପୁର ଜଙ୍ଗଲରେ ଆସି ପଡ଼ିଯାଇଥିଲା ।

ତାକୁ ଗ୍ରାମବାସୀମାନେ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଦେଇଥିଲେ । ଉଦ୍ଧାର ହୋଇଥିବା ଏହି ପକ୍ଷୀର ଲାଳ,ରକ୍ତ ଓ ମଳ ନମୁନା ସଂଗ୍ରହ କରାଯାଇଛି । ପକ୍ଷୀଟି ଥରିବା ସହ ଏହାର ବେକ ଫୁଲି ଯାଇଛି ବୋଲି ପଶୁ ଡ଼ାକ୍ତର ଅକ୍ଷୟ ଜେନା କହିଛନ୍ତି ।

ବାର୍ଡ଼ ଫ୍ଲୁ ରୋଗ ସଂକ୍ରମଣର ଆଭାସ ମିଳିବା ପରେ ଏଠାରେ ଶୁକ୍ରବାର ପଶୁ ଡ଼ାକ୍ତର ମାନଙ୍କର ଏକ ବୈଠକ ହୋଇଥିଲା । ଏହି ବୈଠକରେ ପକ୍ଷୀ ତଥା ବିଭିନ୍ନ କୁକୁଡ଼ା ଫାର୍ମରୁ ରକ୍ତ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ବ୍ରହ୍ମଗିରି ଓ କୁଷ୍ଣପ୍ରସାଦ ବ୍ଲକ୍ କୁ ପ୍ରାୟ୨୪୦୦ପକ୍ଷୀଙ୍କ ଲାଳ,ରକ୍ତ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉଭୟ ବ୍ଲକ୍ ରେ ରେଡ଼ ଆଲର୍ଟ ଜାରି ଜାରି କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଚଳିତବର୍ଷ ଚିଲିକାକୁ ପ୍ରାୟ ସାଢେ ଆଠଲକ୍ଷ୍ୟ ବିଦେଶୀ ପକ୍ଷୀ ଆସିଥିଲେ । ସେଥିରୁ ପ୍ରାୟ ୪ଲକ୍ଷ୍ୟ ପକ୍ଷୀ ଫେରି ସାରିଲେଣି । ଏବେ ମଧ୍ୟ ସେଠାରେ ପ୍ରାୟ ୪ଲକ୍ଷ୍ୟ ବିଦେଶୀ ପକ୍ଷୀ ଅଛନ୍ତି । ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଏବେ ପୁରୀ ଜିଲ୍ଲାରେ ରୋଗ ପ୍ରତିକାର ପାଇଁ ପ୍ରତିଷେଧକ ଇଂଜେକ୍ସନ୍ ଯୋଗାଡ଼ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version