Site icon Odisha.com

ପରୀକ୍ଷାରେ କପି କରି ଧରାପଡ଼ିଲେ ୬୫୪ଜଣ ଛାତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୬ (ଓଡ଼ିଶା ଡ଼ଟ୍ କମ୍), ସୋମବାର ଆରମ୍ଭ ହୋଇଥିବା ୨୯୯ଟି ପରୀକ୍ଷାକେନ୍ଦ୍ରରେ ମାଟ୍ରିକ୍ ବୋର୍ଡ଼ ପରୀକ୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କପି କରି ୬୫୪ଜଣ ଛାତ୍ର ଧରା ପଡ଼ିଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କହିଛି ।

ବୋର୍ଡ଼ ପକ୍ଷରୁ ନିର୍ଦ୍ଧାରିତ ୫ଟି ଜୋନ ମଧ୍ୟରୁ ସେଣ୍ଟ୍ରାଲ ଜୋନ୍ ରେ ୨୨୫ଜଣ, ସମ୍ବଲପୁର ଜୋନ୍ ରେ୨୨୭ଜଣ, ବାଲେଶ୍ୱର ଜୋନ୍ ରେ ୧୧୧ଜଣ, ବ୍ରହ୍ମପୁର ଓ ଜୟପୁରରେ ମିଳିତ ଭାବେ ୯୦ ଓ ଭୁବନେଶ୍ୱର ଜୋନ୍ ରେ ଜଣେ ପ୍ରାର୍ଥୀଙ୍କୁ କପି କରୁଥିବା ବେଳେ ଧରାଯାଇଛି ।

ପରୀକ୍ଷାରେ ପୁରୀ ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଲିଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଦୁଇଜଣ ନକଲି ପରୀକ୍ଷାର୍ଥୀଙ୍କୁ ଧରାଯାଇଛି ।

ବାଲେଶ୍ୱର ଜିଲ୍ଲାର ଝାମୁଝରୀ ଅଞ୍ଚଳରେ ଥିବା ଦାମୋଦର ଉଚ୍ଚ ବିଦ୍ୟାଳୟର ଶିକ୍ଷକ କୈଳାଶ ଚନ୍ଦ୍ର ବେହେରାଙ୍କୁ କପି ପାଇଁ ସହଯୋଗ କରୁଥିବା ପାଇଁ ନିଲମ୍ବିତ କରାଯାଇଛି । ସୋମବାର ପରୀକ୍ଷାରେ ଯାଜପୁର ଜିଲ୍ଲାରେ ସର୍ବାଧିକ ୮୭ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରାପଡ଼ିଛନ୍ତି ବୋଲି ବୋର୍ଡ଼ ସଂପାଦକ ରାମକୃଷ୍ଣ ସାହୁ କହିଛନ୍ତି ।

ଏଠାରେ ଉଲେଖଯୋଗ୍ୟ ଯେ, ଚଳିତବର୍ଷ ୫ଲକ୍ଷ ୨୫ହଜାର୧୩୨ଜଣ ରେଗୁଲାର ଛାତ୍ରଛାତ୍ରୀ, ୫୭ହଜାର ୪୨୯ଜଣ ଏକ୍ସ ରେଗୁଲାର ଏବଂ ମଧ୍ୟମାରେ ୪୩୬୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ କପି ବନ୍ଦ କରିବା ପାଇଁ ଚଳିତ ବର୍ଷ ମୋଟ୍ ୧୩୫ଟି ସ୍କ୍ୱାଡ଼୍ ଗଠନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version