Site icon Odisha.com

ରେଳ ବଜେଟ୍ କୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା

ପ୍ରଫୁଲ ଦାଶ

ଭୁବନେଶ୍ୱର, ଫେବୃଆରୀ ୨୭ (ଓଡ଼ିଶା ଡ଼ଟ୍ କମ୍), ମଙ୍ଗଳବାର ରେଳ ମନ୍ତ୍ରୀ ପୱନ କୁମାର ବଂଶଲ ଲୋକସଭାରେ ଉପସ୍ଥାପନ କରିଥିବା ରେଳ ବଜେଟ୍ କୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି ।

କଂଗ୍ରେସ ଏହାକୁ ଏକ ଲୋକାଭିମୁଖୀ ଓ ସମତୁଲ ବଜେଟ୍ କହୁଥିବା ବେଳେ ବିରୋଧି ଦଳମାନେ ଏହାକୁ ସମାଲୋଚନା କରିଛନ୍ତି ।

ଏହି ବଜେଟ୍ ରେ ଓଡ଼ିଶାରେ ୬ଟି ନୂଆ ଏକ୍ସପ୍ରେସ ଟ୍ରେନ ଯାତାୟାତ କରିବ । ସେଗୁଡ଼ିକ ହେଲା ଭୁବନେଶ୍ୱର-ନିଜାମୁଦ୍ଧିନ ଭାୟା ସମ୍ବଲପୁର(ସାପ୍ତାହିକ),ପୁରୀ-ଶିରିଡ଼ି ଭାୟା
ସମ୍ବଲପୁର-ଟିଟିଲାଗଡ଼(ସାପ୍ତାହିକ),ତିରୁପତି-ଭୁବନେଶ୍ୱର(ସାପ୍ତାହିକ),ବିଶାଖାପାଟଣା-ଯୋଧପୁର ଭାୟା କେସିଙ୍ଗା-ଟିଟିଲାଗଡ଼,ପୁରୀ-ଆଜମିର ଏକ୍ସପ୍ରେସ,ହାଓଡ଼ା-ଚେନ୍ନାଇ ଏସି ଏକ୍ସପ୍ରେସ(ସପ୍ତାହରେ ଦୁଇଦିନ) ।

ଏଥିସହ ୩ଟି ଟ୍ରେନ କୁ ସଂପ୍ରସାରିତ କରାଯାଇଛି । ସେଗୁଡ଼ିକ ହେଲା ଭୁବନେଶ୍ୱର-ଭବାନୀପାଟଣାରୁ ଜୁନାଗଡ଼,ଏଲଟିଟି-ଭୁବନେଶ୍ୱରରୁ ପୁରୀ,ପୁରୀ-ଦରଭଙ୍ଗାରୁ ଜୟନଗର ପର୍ଯ୍ୟନ୍ତ ସଂପ୍ରସାରିିତ କରାଯାଇଛି ।

ଏଥିସହିତ ଗଞ୍ଜାମ ରେ ୱାଗନ କାରଖାନା, କଳାହାଣ୍ଡିରେ ମାଲଗାଡ଼ି କୋଚ୍ ମରାମତି କେନ୍ଦ୍ର, ନିରାକାରପୁର-ତାପଙ୍ଗ ନୂଆ ବାଇପାସ୍ ଲାଇନ୍, କୋରାପୁଟରେ ଖୋଲିବ ଯୁବଗୋଷ୍ଠୀ ତାଲିମ କେନ୍ଦ୍ର ଏବଂ ରାୟପୁର-ଝାରସୁଗୁଡ଼ା ନୂଆ ଲାଇନ୍ ନିର୍ମାଣ ହେବ । ସମ୍ବଲପୁର-ହଜୁର ସାହାବ ନନେ୍ଦଦ ଏକ୍ସପ୍ରେସ୍ ଚଳାଚଳ ସପ୍ତାହରେ ତିନିଦିନକୁ ବୃଦ୍ଧି କରାଯାଇଛି ।

ରେଳ ବଜେଟ୍ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ବଜେଟ୍ ନୈରାଶ୍ୟଜନକ ଅଟେ । ଓଡ଼ିଶା ରେଳ ମନ୍ତ୍ରଣାଳୟ ନିକଟରେ ୩୦୫୦କୋଟି ଟଙ୍କା ଦାବି ରଖିଥିବା ବେଳେ ବଜେଟ୍ ରେ ମାତ୍ର ୮୬୯କୋଟି ଟଙ୍କାର ପ୍ରସ୍ତାବ ରହିଛି ।

ଓଡ଼ିଶା ବର୍ଷକୁ ରେଳବାଇକୁ ପ୍ରାୟ ୧୪୦୦୦କୋଟି ଟଙ୍କା ରାଜସ୍ୱ ଦେଉଥିବା ବେଳେ ପୁଣି ଥରେ କେନ୍ଦ୍ର ଓଡ଼ିଶାକୁ ନିରାଶ କରିଛି ବୋଲି ସେ କହିଛନ୍ତି ।

ରେଳମନ୍ତ୍ରୀ ଓଡ଼ିଶାକୁ ଭଣ୍ଡାଇଛନ୍ତି ବୋଲି ବିଜେପି ନେତା ଜୁଏଲ ଓରାମ କହିଛନ୍ତି । ଭୁବନେଶ୍ୱରକୁ ଅନ୍ତର୍ଜାତିକ ସ୍ତରର ରେଳ ଷ୍ଟେସନ କରାଯିବ ବୋଲି ଘୋଷଣା କରାଯାଇଥିଲେ ସୁଦ୍ଧା ଏଥର ସେଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ପାଇଁ ଏହା ସବୁଠୁ ଭଲ ରେଳ ବଜେଟ୍ ବୋଲି କଂଗ୍ରେସ ସାଂସଦ ଭକ୍ତଚରଣ ଦାସ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ବଜେଟ୍ ରେ ଅନେକ ପ୍ରକଳ୍ପ ଓଡ଼ିଶା ପାଇଁ ରହିଛି ଓ ଗୁଡ଼ାଏ ନୂଆ ଟ୍ରେନ ଓଡ଼ିଶା ଦେଇ ଯିବ । ଏଥିରେ କଳାହାଣ୍ଡିରେ ୱାର୍କସପ ପାଇଁ ଘୋଷଣା ରହିଛି । ଯାହାଦ୍ୱାରା ୧୨୦୦ରୁ ୧୫୦୦କର୍ମଚାରୀ ଏଥିରେ ନିଯୁକ୍ତି ପାଇବେ ।

ଏହା ଏକ ନିର୍ବାଚନମୁଖୀ ବଜେଟ୍ ଏହା ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି । ଏଥିରେ ସବୁ ବର୍ଗର ଲୋକଙ୍କୁ ଖୁସି କରିବାକୁ ଛେଷ୍ଟା କରାଯାଇଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ।

ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସ୍ୱାର୍ଥ ପାଇଁ ଏହି ବଜେଟ୍ ପ୍ରସ୍ତୁତ କରିଛି ବୋଲି ସମାଜବାଦୀ ପାର୍ଟି ସଭାପତି ରବି ବେହେରା କହିଛନ୍ତି । ଅଣକଂଗ୍ରେସ ଶାସିତ ରାଜ୍ୟମାନଙ୍କ ପାଇଁ ରେଳ ବଜେଟ୍ ରେ ବିଶେଷ କିଛି ନାହିଁ ।

ରାୟବରେଲି ଭଳି ଆସନ ପାଇଁ ୪ଟି ବଡ଼ ପ୍ରକଳ୍ପ ଘୋଷଣା ପଛରେ ଗାନ୍ଧୀ ପରିବାରର ସ୍ୱାର୍ଥକୁ ଦେଖାଯାଇଛି । ଏହା ପୱନ ଏକ୍ସପ୍ରେସରେ ହାୱା ମିଠାଇ ବୋଲି ଓଡ଼ିଶା ଜନମୋର୍ଚା ତରଫରୁ
କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version