Site icon Odisha.com

ବୋହୁଙ୍କ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା

ପ୍ରଫୁଲ ଦାଶ

ଭୁବନେଶ୍ୱର,ମାର୍ଚ ୧୫ (ଓଡ଼ିଶା ଡ଼ଟ୍ କମ୍)ବୋହୁ ଦ୍ୱାରା ଦିଆଯାଇଥିବା ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ପରେ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି ଶୁକ୍ରବାର ମନ୍ତ୍ରୀପଦରୁଇସ୍ତଫା ଦେଇଛନ୍ତି ।

“”ମୁଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛି । ଏହି ଅଭିଯୋଗ ପଛରେ କୌଣସି ସତ୍ୟତା ନାହିାଁ ”ବୋଲି ମହାନ୍ତି କହିଥିବା ବେଳେ ବିରୋଧୀଦଳ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ମହାନ୍ତି ନଗର ଉନ୍ନୟନ ବିଭାଗ ସହିତ ଆଇନ ଏବଂ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ମଧ୍ୟ ମନ୍ତ୍ରୀ ଥିଲେ ।

ଗୁରୁବାର ବାଲେଶ୍ୱର ଥାନାରେ ତାଙ୍କର ବୋହୁ ବର୍ଷା ସୋନି ଚୌଧୁରୀ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନଗଦ ୨୫ଲକ୍ଷ ଟଙ୍କା ଏବଂ ଏକ ସ୍କର୍ପିଓ ଗାଡ଼ି ବାପଘରୁ ଯୌତୁକ ଭାବେ ଆଣିବା ପାଇଁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଇ ଆସୁଥିଲେ ।

ବର୍ଷା ଆହୁରି ମଧ୍ୟ ଉଲେଖ କରିଥିଲେ ଯେ ଜୁନ୨୦୧୨ରେ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ପୁଅ ରାଜଶ୍ରୀଙ୍କୁ ସେ ବିବାହ କରିବା ପରଠାରୁ ତାଙ୍କୁ ବିଭିନ୍ନ ସମୟରେ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ।

ସେ ଦାବି କରିଛନ୍ତି ଯେ,ବିବାହ ସମୟରେ ଯୌତୁକ ଦାବି ମୁତାବକ ତାଙ୍କ ବାପଘର ଲୋକେ ନଗଦ୧୦ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେଇଥିଲେ ସୁଦ୍ଧା ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ଗାଡ଼ି ସେମାନେ ଦାବି କରୁଥିଲେ ।

ପୋଲିସ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ଚାରିଜଣଙ୍କ ନାମରେ ଯୌତୁକ ବିରୋଧି ଆଇନରେ ମାମଲା ରୁଜୁ କରିଛି ।

କିନ୍ତୁ ଏହି ସମସ୍ତ ଅଭିଯୋଗ ଭିତିହୀନ ବୋଲି ମହାନ୍ତି ସଫେଇ ଦେଇଛନ୍ତି । “ଆମେ ଏପରି କୌଣସି କାର୍ଯ୍ୟ କରିନାହୁଁ । ପୋଲିସ ତଦନ୍ତ କରୁ ,ବହୁତ ଶୀଘ୍ର ସତ୍ୟଜଣାପଡ଼ିବ ”ବୋଲି ସେ କହିଛନ୍ତି ।

ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ତୁମୁଳ ହଟଗୋଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ୍ତିଙ୍କ ଇସ୍ତଫା ଗ୍ରହଣ କରିବା ସହ ପୋଲିସର ମାନବାଧିକାରସେଲକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କହିବା ସତ୍ୱେ ବିରୋଧୀମାନେ ହଟଗୋଳ ଜାରି ରଖିଥିଲେ । ଫଳରେ ବାଚସ୍ପତିଙ୍କୁ ବାରମ୍ବାର ବିଧାନସଭା ମୁଲତବୀ କରିବାକୁ ପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version