Site icon Odisha.com

ଗିରଫଦାରୀ ଏଡ଼ାଇବା ପାଇଁ ରଘୁନାଥଙ୍କର ଆଗୁଆ ଜାମିନ ଆବେଦନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୧୮,(ଓଡ଼ିଶା ଡ଼ଟ୍ କମ୍)- ଯୌତୁକ ନିର୍ଯ୍ୟାତନା ମାମଲାରେ ଆଗୁଆ ଜାମିନ ପାଇଁ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ସୋମବାର ହାଇକୋର୍ଟରେ ଆବେଦନ କରିଛନ୍ତି । ତାଙ୍କ ପତ୍ନୀ, ଝିଅ ଏବଂ ଜ୍ୱାଇଁ ମଧ୍ୟ ଜାମିନ ପାଇଁ ଆବେଦନ କରିଛନ୍ତି ବୋଲି ଜଣେ ଓକିଲ କହିଛନ୍ତି ।

ମହାନ୍ତିଙ୍କ ପତ୍ନୀ ପ୍ରୀତିଲତା ମହାନ୍ତି, ଝିଅ ରୁପଶ୍ରୀ ଏବଂ ଜ୍ୱାଇଁ ଶୁଭେନ୍ଦୁ ମଧ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଇତିମଧ୍ୟରେ ରବିବାର ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀଙ୍କ ପୁଅ ରାଜାଶ୍ରୀ ମହାନ୍ତିଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ରାଜାଶ୍ରୀଙ୍କ ପତ୍ନୀ ବର୍ଷା ବାଲେଶ୍ୱରରେ ତାଙ୍କୁ ବିବାହ ପରଠାରୁ ଯୌତୁକ ପାଇଁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦିଆଯାଉଥିବା ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ବିବାହ ସମୟରେ ତାଙ୍କ ବାପା ଯୌତୁକ ଦାବି ମୁତାବକ ନଗଦ୧୦ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦେଇଥିଲେ । କିନ୍ତୁ ତାଙ୍କୁ ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ସ୍କର୍ପିଓ ଗାଡ଼ି ଆଣିବା ପାଇଁ ତାଙ୍କ ସ୍ୱାମୀ,ଶ୍ୱଶୁର, ଶାଶୂ ଓ ନଣନ୍ଦ ଚାପ ପକାଇ ଆସୁଥିଲେ ।

ଏହି ଅଭିଯୋଗ ପରେ ତାଙ୍କ ଶ୍ୱଶୁର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ,ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ଏହି ଘଟଣାରେ ରଘୁନାଥ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ବର୍ଷା ଓ ବିରୋଧୀ ଦଳମାନେ ଦାବି କରିଛନ୍ତି । ରାଜାଶ୍ରୀ ମହାନ୍ତି ବର୍ଷା ସୋନିଙ୍କୁ ଜୁନ୨୦୧୨ରେ ବିବାହ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version