Site icon Odisha.com

ମାର୍ଚ୍ଚରେ ଭାରତ ମହାସାଗର ରିମ୍ ଦେଶମାନଙ୍କର ଭୁବନେଶ୍ୱରରେ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ଵର, ଫେବ୍ରୁୟାରୀ ୨୩ (ଓଡିଶା ଡଟ କମ) ଭାରତ ମହାସାଗର ରିମ୍ ଦେଶମାନଙ୍କର ନୌବାଣିଜ୍ୟ ଏବଂ ସଭ୍ୟତାଗତ ସମ୍ବନ୍ଧ ନେଇଏକ ଆନ୍ତର୍ଜାତିକ ସମ୍ମିଳନୀ ଆସନ୍ତା ମାର୍ଚ୍ଚ ମାସ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ।

ଭାରତ ମହାସାଗର ରିମ୍ ଦେଶସମୂହ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରାୟ ୨୦ଟି ଦେଶ ଏହି ତ୍ରିଦିବସୀୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି ତିନିଦିନିଆ ସମ୍ମିଳନୀରେ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷାଏବଂ ସଭ୍ୟତାଗତ ସମ୍ବନ୍ଧ ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ବିଶଦ ଆଲୋଚନା ହେବ ।

ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର, ପେଟୋ୍ରଲିୟମ ଏବଂ ପ୍ରାକୃତିକ ଗ୍ୟାସ, ଶକ୍ତି, ଜାହାଜ ଚଳାଚଳ, ବାଣିଜ୍ୟ ଏବଂ ଶିଳ୍ପ, ସଂସ୍କୃତି, ପର୍ଯ୍ୟଟନ ଏବଂ କୃଷିଭଳି ଗୁରୁତ୍ୱପୂର୍ଣ୍ଣ ଆଠଟି ମନ୍ତ୍ରାଳୟ ଏହି ସମ୍ମିଳନୀକୁ ସହଯୋଗ କରିଛନ୍ତି ।

ଅଂଶଗ୍ରହଣକାରୀ ଦେଶମାନଙ୍କ ମଧ୍ୟରେ ବିଚାର ଏବଂ ଅଭିଜ୍ଞତାର ସଫଳ ଆଦାନ ପ୍ରଦାନ ଏବଂ ବିଚାରବିମର୍ଷ ଦ୍ୱାରା ଏହି ସମ୍ମିଳନୀଟି ଏକ ବିଶେଷ କାର୍ଯ୍ୟକ୍ରମର ମର୍ଯ୍ୟାଦା ବହନ କରିବ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେବେ ।

ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ସମ୍ମାନୀତ ଅତିଥି ଏବଂ ଆଇଓଆର୍ଏର ମହାସଚିବ ରାଷ୍ଟ୍ରଦୁତ କେ ଭି ଭଗିରଥ ବକ୍ତା ଭାବରେ ଏହି କାର୍ଯ୍ୟକ୍ରମରେ ନିଜର ଦୃଷ୍ଟିକୋଣ ଏବଂ ମତାମତ ରଖିବେ । ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିରକର ସମ୍ମିଳନୀର ଅନ୍ତିମ ଦିବସର ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ।

ସାମାଜିକ ଏବଂ ସାଂସ୍କୃତିକ ଅଧ୍ୟୟନ ସଂସ୍ଥା (ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ଏଣ୍ଡ୍ କଲ୍ଚରାଲ ଷ୍ଟଡିଜ୍), ଆଇଏସ୍ସିଏସ୍ ଏବଂ ବିକାଶୀଳ ଦେଶମାନଙ୍କ ନିମନ୍ତେ ଗବେଷଣା ଏବଂ ସୂଚନା ପ୍ରଣାଳୀ (ଆର୍ଆଇଏସ୍)ର ମିଳିତ ସହଯୋଗରେ ଏହି ସମ୍ମିଳନୀଟି ଆୟୋଜିତ ହେଉଛି ।

ଏହି ତିନିଦିନିଆ ସମ୍ମିଳନୀରେ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା ଏବଂ ସଭ୍ୟତାଗତ ସମ୍ବନ୍ଧ ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ସମାନ୍ତାରଳ ଅଧିବେଶନମାନ ଆୟୋଜିତ ହେବା ସହିତ ଏହି କ୍ଷେତ୍ର ସମ୍ବନ୍ଧରେ ବିଶଦ ଆଲୋଚନା ହେବ ।

ଓଡିଶା ଡଟ କମ

Exit mobile version