Site icon Odisha.com

ଖୋର୍ଦ୍ଧା ପୁସ୍ତକ ମେଳା ଅପ୍ରେଲ ୧ରୁ

ଖୋର୍ଦ୍ଧା , ମାର୍ଚ ୨୯ (ଓଡିଶା ଡଟ କମ) ସ୍ଥାନୀୟ ଗୀତାଭବନ ପରିସରରେ ସତ ଦିବସୀୟ ଖୋର୍ଦ୍ଧା ପୁସ୍ତକ ମେଳା ୨୦୧୫ ଅପ୍ରେଲ ୧ ରୁ ଆରମ୍ଭ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ମେଳା କମିଟିର ସଭାପତି ଡଃ ଦିଲିପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରାରମ୍ଭରେ ବିଗତ ବର୍ଷ ମାନଙ୍କରେ ପୁସ୍ତକମେଳା ଖୋର୍ଦ୍ଧାବାସୀଙ୍କ ପାଇଁ ବହୁ ଉତ୍ସାହ ଆଣି ଦେଇଛି ବୋଲି ପସଭାପତି ଡଃ ନିରଞ୍ଜନ ମହାନ୍ତି ମତପ୍ରକାଶ କରି କହିଲେ ଏବର୍ଷ ମଧ୍ୟ ସ୍ଥାନୀୟ ପ୍ରମୁଖ ଶିକ୍ଷାବିତ ମାନଙ୍କ ସହଯୋଗରେ ଏହି ପୁସ୍ତକମେଳା ଆହୁରି ଆକର୍ଷଣୀୟ ଏବଂ ହୃଦୟସ୍ପର୍ଶୀ ହୋଇପାରିବ ।

ପୁସ୍ତକ ମେଳା କମିଟିର ମୁଖ୍ୟ ସଂଯୋଜକ ଡକ୍ଟର ଧୀରେନ୍ଦ୍ର ନନ୍ଦ କହିଲେ ଏ ବର୍ଷ ମଧ୍ୟ ପୁସ୍ତକମେଳା କମିଟି ତରଫରୁ ପ୍ରକାଶ ପାଉଥିବା ‘ସବୁଜ ସ୍ୱପ୍ନ’ ସ୍ମରଣିକାରେ ମୁଖ୍ୟତଃ ଖୋର୍ଦ୍ଧାର ପ୍ରଚୀନ ସାହିତ୍ୟକୁ ଗୁରୁତ୍ୱ ଦିଆଯାଇ ସ୍ଥାନୀୟ ପ୍ରାବନ୍ଧିକ, ଗାଳ୍ପିକ ତଥା କବି ମାନଙ୍କୁ ଉତ୍ସାହିତ କରାଯିବ ।

ସ୍ମରଣିକାର ସମସ୍ତ ପ୍ରସ୍ତୁତି ପାଇଁ ସାହିତ୍ୟ ସଂସଦର ସଭାପତି ବୈକୁଣ୍ଠ ନାଥ ରାଜଗୁରୁ ଏବଂ କାର୍ଯ୍ୟକାରୀ ସଭ୍ୟ ଗୋପାଳକୃଷ୍ଣ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସାହିତ୍ୟ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।

ଅନୁଷ୍ଠାନର ଆବାହକ ନରେନ୍ଦ୍ର ପୁଷ୍ଟି କହିଲେ ଗତବର୍ଷ ସ୍ଥାନୀୟ ପ୍ରମୁଖ ବ୍ୟକ୍ତି ମାନଙ୍କୁ ନେଇ ଦୁଇ ଶହ ସଭ୍ୟ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ଏହା ତିନି ଶହରେ ପହଞ୍ଚିବ । ଏହି ବର୍ଷ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କର କ୍ୟାରିୟର କାଉନ୍ସେଲିଂ ପାଇଁ ବିଭିନ୍ନ ଷ୍ଟଲମାନ ଖେଲାଯିବାର ବ୍ୟବସ୍ଥା ରହିବ ବୋଲି କମିଟିର ସମ୍ପାଦକ କୃଷ୍ଣ ଚନ୍ଦ୍ର ହରିଚନ୍ଦନ କହିଥିଲେ ।

ଚଳିତ ବର୍ଷ ଅପ୍ରେଲ ୧ ତାରିଖରୁ ୮ ତାରିଖ ମଧ୍ୟରେ ହେବାକୁ ଥିବା ଏହି ପୁସ୍ତକମେଳାର ବିଭିନ୍ନ ଦିନରେ ଶିକ୍ଷା, ସଂସ୍କୃତି, ସାହିତ୍ୟ, ଇତିହାସ, ବିଭିନ୍ନ ସାମାଜିକ ସମସ୍ୟା ଆଦି ବିଷୟକୁ ନେଇ ଆଲୋଚନାଚକ୍ରମାନ ଆୟୋଜନ କରାଇବା ପାଇଁ କମିଟିର କାର୍ଯ୍ୟକାରୀ କୃଷ୍ଣ ଚନ୍ଦ୍ର ଦାଶ, ସଭ୍ୟ ସତ୍ୟବାଦୀ ବଳିୟାରସିଂହ ଏବଂ ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ବିଭିନ୍ନ ଦିନରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ କରାଇବା ପାଇଁ କମିଟିର କାର୍ଯ୍ୟକାରୀ ସଭ୍ୟ ଜବାହର ଲାଲ୍ ସୁବୁଦ୍ଧି ଏବଂ ପ୍ରହଲ୍ଲାଦ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରତ୍ୟେକ ଦିନ ସଂଧ୍ୟାରେ ଏକ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ କରାଯିବା ପାଇଁ କମିଟିର କାର୍ଯ୍ୟକାରୀ ସଭ୍ୟ ବିଧାନ ଚନ୍ଦ୍ର ମହାନ୍ତି ଓ ରବିନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଶିବ ସୁନ୍ଦର ପଟ୍ଟନାୟକ, ନୀଳାଦ୍ରୀନାଥ ଜଗଦେ୍ଧବ, ଡା ଯୋଗେଶ ଚନ୍ଦ୍ର ରଥ, ବିଜୟ ସାମନ୍ତସିଂହାର, ସତ୍ୟବାନ ଶ୍ରୀଚନ୍ଦନ, ସତ୍ୟାନନ୍ଦ ବେହେରା, ପ୍ରତାପ ରୁଦ୍ର ଦଳବେହେରା, ରାଘବ ଚନ୍ଦ୍ର ମହାନ୍ତି ପ୍ରମୁଖ ସଭ୍ୟମାନେ ଯୋଗ ଦେଇ ପୁସ୍ତକ ମେଳାକୁ ସାଫଲ୍ୟ ମଣ୍ଡିତ କରିବାପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ରଖିଥିଲେ ।

ଓଡିଶା ଡଟ କମ

Exit mobile version