Site icon Odisha.com

ଖାଦ୍ୟଶସ୍ୟ ଆମଦାନୀ ବନ୍ଦ ଯୋଗୁଁ ଦରଦାମ ବୃଦ୍ଧି ଆଶଙ୍କା

ଭୁବନେଶ୍ଵର, ଏପ୍ରିଲ ୯ (ଓଡିଶା ଡଟ କମ) ଡାଲି ଓ ଗହମ ଜାତୀୟ ପଦାର୍ଥ ଉପରୁ ଭାଟ୍‍ ପ୍ରତ୍ୟାହାର ଦାବି କରି ଓଡିଶା ବ୍ୟବସାୟୀ ମହାସଂଘ ଗୁରୁବାର ଠାରୁ ଆମଦାନୀ ବନ୍ଦ ନିଷ୍ପତ୍ତି ନେଇଥିବାରୁ ରାଜ୍ୟରେ ଏହି ସବୁ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି ।

ପାଞ୍ଚ ପ୍ରତିଶତ ମୂଲ୍ୟଯୁକ୍ତ କର ( ଭାଟ) ଛାଡକରିବା ପାଇଁ ଦାବିକରି ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଥିଲା । ଭାଟ ଛାଡ଼କରି ଏକ ପ୍ରତିଶତ ପ୍ରବେଶ ଶୁଳ୍କ ଲଗାଇବାକୁ ସଂଘ ପ୍ରତିନିଧି ମାନେ ପ୍ରସ୍ତାବ ଦେଇଥିଲେ ।

ତେବେ ସରକାର ଏହିଦାବି ନ ମାନିବାରୁ ସଂଘ ଅନିର୍ଦିଷ୍ଟ କାଳ ପାଇଁ ଏହି ସାମଗ୍ରୀର ଆମଦାନୀ ବନ୍ଦ ରଖିବାକୁ ନିଷ୍ପତି ନେଇଥିବା ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

ଏହା ଫଳରେ ବାହାରୁ ଡାଲି, ଗହମ, ଅଟା, ସୁଜି, ମଇଦା ଓ ଚୋକଡ଼ ଆଦି ଗହମଜାତ ଦ୍ରବ୍ୟ ରାଜ୍ୟକୁ ଆସିବା ନାହିଁ ଓ ଖାଉଟିଙ୍କ ଅସୁବିଧା ପାଇଁ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି ।

ଅଧିକ ଦିନଧରି ଆମଦାନୀ ବନ୍ଦ ରହିଲେ ରାଜ୍ୟରେ ଏହି ଖାଦ୍ୟ ସାମଗ୍ରୀର ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଖାଦ୍ୟ ଓ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଓଡିଶା ଡଟ କମକୁ କହିଛନ୍ତି ।

ରାଜ୍ୟରେ ଆବଶ୍ୟକ ପରିମାଣର ସାମଗ୍ରୀ ଗଚ୍ଛିତ ଥିବାରୁ ଆସନ୍ତା ଦଶ ଦିନ ପର୍ଯ୍ୟନ୍ତ କୌଣସି ସମସ୍ୟା ହେବ ନାହିଁ । ରାଜ୍ୟରେ ଏହିସାମଗ୍ରୀର ଯେଭଳି କୁତ୍ରିମ ଅଭାବ ସୃଷ୍ଟି ନ ହେବ ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆ ଯାଇଥିବା ସେ ପ୍ରକାଶ କରିଛନ୍ତି।

ସରକାର ବ୍ୟବସାୟୀ ମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଓ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ।

ବ୍ୟବସାୟୀ ମହାସଂଘ କହିଛି ଦେଶର ୨୪ଟି ରାଜ୍ୟରେ ଏହି ସବୁ ସାମଗ୍ରୀ ଉପରେ ଭାଟ୍‍(ମୂଲ୍ୟ ଭିତ୍ତିକ ଟିକସ) ବ୍ୟବସ୍ଥା ନ ଥିବାବେଳେ ଓଡିଶାରେ ଏହା ଲାଗୁ କରାଯାଇଛି । ଭାଟ୍‍ ପ୍ରତ୍ୟାହାର କରି ଅତିରିକ୍ତ ପ୍ରବେଶ କର ଲାଗୁ କରାଗଲେ ସରକାର ଅଧିକ ଟିକସ ପାଇପାରିବେ ବୋଲି ମହାସଂଘ ଦର୍ଶାଇଛି ।

ଓଡିଶା ଡଟ କମ

Exit mobile version