Site icon Odisha.com

ସୂଚନା, ପ୍ରଯୁକ୍ତି କ୍ଷେତ୍ର ପାଇଁ କେନ୍ଦ୍ରର ଅନୁଦାନ, ଜୁଏଲଙ୍କ ସ୍ଵାଗତ

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଏପ୍ରିଲ ୧୦ (ଓଡିଶା ଡଟକମ) ଓଡ଼ିଶାକୁ ସୂଚନା ଏବଂ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର କରିଥିବା ଘୋଷଣାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ଵାଗତ କରିଛନ୍ତି ।

ଭୁବନେଶ୍ୱର ଠାରେ ଏହି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ୩ ହଜାର ୭ଶହ କୋଟି ଟଙ୍କାର ଅନୁଦାନ ତଥା ରାଜ୍ୟର ୧୬ ଟି ଜିଲ୍ଲାକୁ ଇଂଟରନେଟ୍ ବ୍ରଡ଼ବ୍ୟାଣ୍ଡ ଦ୍ୱାରା ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଥିବା ରବିଶଙ୍କର ପ୍ରସାଦ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆଲୋଚନା ସମୟରେ କହିଛନ୍ତି।

ଏହା କାର୍ଯ୍ୟକାରୀ ହେଲେ ସଂପୃକ୍ତ ଜିଲ୍ଲାର ପଂଚାୟତ ଗୁଡ଼ିକରେ ମଧ୍ୟ ଇଂଟରନେଟ୍ ବ୍ରଡ଼ବ୍ୟାଣ୍ଡ ଉପଲବ୍ଧ ହେବ । ସେହିପରି ସମ୍ବଲପୁର, ଅନୁଗୁଳ ଏବଂ ଯାଜପୁର ଠାରେ ସଫ୍ଟୱେର ପାର୍କ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଯାତ୍ରା ପାଇଁ ସ୍ୱତନ୍ତ୍ର ୱେବ ସାଇଟ ତିଆରି କରାଯାଇ ଯାତ୍ରାର ସିଧା ପ୍ରସାରଣ ସହ ବିଶ୍ଵବାସୀଙ୍କ ଅବଗତି ନିମନ୍ତେ ସମସ୍ତ ତଥ୍ୟ ଉପଲବ୍ଧ କରାଯିବ ବୋଲି ପ୍ରସାଦ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ଡ଼ିଜିଟାଲ ଇଣ୍ଡିଆକୁ ସାକାର କରିବା ପାଇଁ ଯାହା ଦରକାର ସେସବୁ କେନ୍ଦ୍ର ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରସାଦ ଦୃଢ଼ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶାବାସୀଙ୍କ ଜନହିତ କାର୍ଯ୍ୟପାଇଁ କେନ୍ଦ୍ର ସରକାର ଏ ସମସ୍ତ ନିଷ୍ପତି ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସାଧୁବାଦ ଜଣାଇଛନ୍ତି ।

ଓଡିଶା ଡଟ କମ

Exit mobile version