Site icon Odisha.com

୧୦ ଜୁନରେ ଜମାକାରୀଙ୍କ ରାଜ୍ୟସ୍ତରୀୟ ମହାସମାବେଶ

ଭୁବନେଶ୍ୱର, ୧୩ ଏପ୍ରିଲ (ଓଡିଶା ଡଟ କମ) ଶାସକ ଓ ବିରୋଧୀ ଦଳଗୁଡିକ ଜମାକାରୀଙ୍କ ସ୍ଵାର୍ଥରକ୍ଷା ଲାଗି କୌଣସି ବିଶେଷ ପଦକ୍ଷେପ ନେଉନଥିବାରୁ ଆସନ୍ତା ଜୁନ୍ ୧୦ ତାରିଖରେ ନିଜର ଦାବି ଉପସ୍ଥାପନ କରିବାପାଇଁ ଏକ ଲକ୍ଷ ଜମାକାରୀ ଭୁବନେଶ୍ୱରଠାରେ ଏକ ମହାସମାବେଶରେ ସାମିଲ ହେବେ ।

ପ୍ରଥମେ ଠକ କମ୍ପାନୀମାନେ ଲୁଟିଲେ ଜମାକାରୀଙ୍କୁ, ପରେ ରାଜ୍ୟ ସରକାର ପ୍ରୋତ୍ସାହନ ଦେଲେ ଠକକମ୍ପାନୀମାନଙ୍କୁ, ମହାସମାବେଶର ଆୟୋଜକ ମାନେ ଅଭିଯୋଗ କରିଛନ୍ତି ।

କମ୍ପାନୀମାନେ ଟଙ୍କା ଲୁଟି ପଳାଇବା ପରେ କ୍ରାଇମବ୍ରାଞ୍ଚ ଠକାମୀର ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କଲା ପରେ ମାନ୍ୟବର ସୁପ୍ରିମ କୋର୍ଟ ଏହି ମହା ଠକାମୀର ତଦନ୍ତ ଭାର ସିବିଆଇ ଏବଂ ଟଙ୍କା ଉଦ୍ଧାର ଦାୟିତ୍ୱ ପ୍ରବର୍ତ୍ତନ ନିର୍ଦେଶାଳୟ ଉପରେ ନ୍ୟସ୍ତ କରିଥିଲେ ।

ତେବେ ବିଜେପିର ମହାସଂଗ୍ରାମର ରାଲି ପରେ ରାଉରକେଲାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପରେ ସିବିଆଇ ବସ୍ତୁତଃ ତଦନ୍ତ କାର୍ଯ୍ୟ ବନ୍ଦ କରିଦେଲା ଭଳି ଜମାକାରୀମାନେ ଅନୁଭବ କଲେଣି ।

ସିବିଆଇ ଦାଖଲ କରୁଥିବା ଚାର୍ଜସିଟରେ ପ୍ରମୁଖ ଅପରାଧୀମାନଙ୍କୁ ସ୍ଥାନିତ ନ କରି ଛୋଟ ଅପରାଧୀମାନଙ୍କ ଭିତରେ ସୀମିତ ରଖିବା ଏବଂ ଠକ କମ୍ପାନୀମାନଙ୍କ ସହ ମିଶି ଠକାମୀରେ ଜଡ଼ିତ ଥିବା ଓକିଲ ପ୍ରବର୍ତ୍ତନ ନିର୍ଦେଶାଳୟ ର ଓକିଲାତି ଦାୟିତ୍ୱ ନେବା ସମୂହ ଜମାକାରୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆଚରଣ ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ଦିଲ୍ଲୀଠାରେ ଗତ ଡ଼ିସେମ୍ବର ମାସରେ ଅନୁଷ୍ଠିତ ଜମାକାରୀ ସମାବେଶ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ଜେଟଲୀ ଦେଇଥିବା ପ୍ରତିଶ୍ରୁତି ମୁତାବକ ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଆର୍ଥିକ ଆଇନ୍ ସଂଶୋଧନ ପରିବର୍ତ୍ତେ ଠକ କମ୍ପାନୀମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ ଦେଶବ୍ୟାପୀ ଜମାକାରୀମାନଙ୍କୁ ନିରାଶ କରିଛି ।

ଏହି ପୃଷ୍ଠଭୂମିରେ ମିଳିତ ମଞ୍ଚ ମହାସମାବେଶ ଆୟୋଜନ କରିଛି । ମହାସମାବେଶ ପୂର୍ବରୁ କମ୍ପାନୀ ୱାରୀ, ବ୍ଲକୱାରୀ, ଜିଲ୍ଲାୱାରୀ ଏପ୍ରିଲ ୧୫ରୁ ମେ ୧୫ ପର୍ଯ୍ୟନ୍ତ ଜମାକାରୀ ସମାବେଶ ସଂଗଠିତ କରାଯିବ ।

ଜମାକାରୀମାନଙ୍କର କଷ୍ଟାର୍ଜିତ ଅର୍ଥ ଫେରସ୍ତ ପାଇଁ ଜାତୀୟ ଖାଉଟି ସୁରକ୍ଷା କମିଶନଙ୍କ ନିକଟରେ ମିଳିତ ମଞ୍ଚ ମାଧ୍ୟମରେ ଜମାକାରୀମାନେ ମିଳିତ ମଞ୍ଚରେ ନିଜର ସଭ୍ୟପଦ ସହ ଷ୍ଟାମ୍ପ ଡିଉଟି ଓ ଆନୁସଙ୍ଗିକ ଖର୍ଚ୍ଚ ଦାଖଲ କରି କ୍ଲେମ ମକଦ୍ଦମା ପାଇଁ ଜମାକାରୀଙ୍କ ମଧ୍ୟରେ ସଚେତନତାର ଅଭିଯାନ ଗ୍ରହଣ କରାଯିବ ।

ରାଜ୍ୟ ସରକାର ତହସିଲ ଜରିଆରେ ଘରକୁ ଘର ସର୍ଭେ କରି ଜମାକାରୀ ଚିହ୍ନଟ ପାଇଁ ଦାବୀ କରାଯାଇଥିବା ବେଳେ ମିଳିତ ମଞ୍ଚ ମଧ୍ୟ ସାଙ୍କେତିକ ଭାବେ ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ୍ନ ଗୋଟିଏ ଲେଖାଏଁ ଗ୍ରାମପଞ୍ଚାୟତରେ ଘରକୁ ଘର ସର୍ଭେର ନମୂନା ରାଜ୍ୟ ସରକାର ଓ ମଦନମୋହନ ଦାସ କମିଶନଙ୍କ ନିକଟରେ ଦାଖଲ କରାଯିବ, ଆୟୋଜକ କହିଛନ୍ତି ।

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ୟସ୍ତରୀୟ ବୈଠକ ୧୧ ଓ ୧୨ ଏପ୍ରିଲ ଦୁଇଦିନ ଧରି ଭୁବନେଶ୍ୱରଠାରେ ମଞ୍ଚ ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମଞ୍ଚର ପରାମର୍ଶଦାତା ତଥା ସମ୍ବାଦ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ, ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ସଞ୍ଜୟ ମହାପାତ୍ର, ଅନୁରାଧା ସୁବୁଦ୍ଧି ଓ ଅନ୍ୟ କର୍ମକର୍ତ୍ତା ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।

ଓଡିଶା ଡଟ କମ

Exit mobile version