Site icon Odisha.com

ରାଜ୍ୟରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳନ

ଭୁବନେଶ୍ୱର, ଏପ୍ରିଲ ୧୪ (ଓଡିଶା ଡଟ କମ) ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଦିବସ ବିଭିନ୍ନ ସଂଗଠନ ପାଳନ କରିଛନ୍ତି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ସଂଗଠନର କର୍ମକର୍ତ୍ତାମାନେ ଏକ ପଟୁଆରରେ ଆସି ଏଜି ଛକରେ ଥିବା ବାବାସାହେବଙ୍କ ମୂର୍ତ୍ତି ନିକଟରେ ପହଁଚିଥିଲେ ।

ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପଶ୍ଚିମବଙ୍ଗ ଓ ଓଡିଶା ପୂର୍ବକ୍ଷେତ୍ରର ସମାଜସେବୀ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥିରୂପେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହାପରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ପୁରୀ ବିଭାଗ ସଂଘଚାଳକ ବୈକୁଣ୍ଠନାଥ ସାହୁ,ବିଭାଗ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ,ବ୍ୟବସ୍ଥା ପ୍ରମୁଖ ଉମାକାନ୍ତ ଗିରି,ପ୍ରସନ୍ନ ସେନାପତି,ଘନଶ୍ୟାମ ମହାପାତ୍ର, ଜୟକୃଷ୍ଣ ପୃଷ୍ଟି,ଦେବୀ ପ୍ରସାଦ ମହାପାତ୍ର,ନୀଳମଣି ମହାପାତ୍ର,ରାଜ୍ୟ ମିଡିଆସେଲ କାର୍ଯ୍ୟାଳୟ ସଂପାଦକ ଗୋଲଖ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ମହାପାତ୍ର କହିଲେ ବିଶ୍ୱ ଇତିହାସରେ ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ (ବି.ଆର) ଆମ୍ବେଦକର ଏକ ବିରଳ ବ୍ୟକ୍ତିତ୍ୱ ।

ଭାରତ ସମ୍ବିଧାନର ମୁଖ୍ୟ ନିର୍ମାତା ଥିଲେ ସେ । ଅଛୁଆଁ, ପଛୁଆ ଓ ଅନଗ୍ରସର ଜାତିଙ୍କର ଉତ୍ଥାନ ପାଇଁ ନିଃସ୍ୱାର୍ଥପର ସମାଜ ସଂସ୍କାରକ ବାବାସାହେବଙ୍କ ଦାନ ଅସୀମ । ସାରାଜୀବନ ସେ ଅନୁନ୍ନତଙ୍କ ଉନ୍ନତି ପାଇଁ ଲଢ଼ିଛନ୍ତି ।

କୋଟିକୋଟି ଜନସାଧାରଣଙ୍କ ମନମନ୍ଦିରରେ ସେ ପୂଜା ପାଉଛନ୍ତି । ଜଣେ ବିଚକ୍ଷଣ ବିଦ୍ୱାନ, ଆଇନ ବିଶାରଦ, ବୁଦ୍ଧିଜୀବୀ, ସମାଜ ସଂସ୍କାରକ ଓ ରାଷ୍ଟ୍ରନୀତିଜ୍ଞ ଭାବରେ ସେ ସ୍ୱଦେଶ ତଥା ବିଦେଶରେ ବାରମ୍ବାର ସମ୍ବର୍ଦ୍ଧିତ ହୋଇଥିଲେ ।

ଜଣେ ପ୍ରଜ୍ଞାଶୀଳ, ବହୁପାଠୀ, ମାନବବାଦୀ ଦାର୍ଶନିକ ଭାବେ ମଧ୍ୟ ସେ ପରିଚିତ । ବିଂଶ ଶତାବ୍ଦୀର ଭାରତୀୟ ଜନନାୟକଙ୍କ ମଧ୍ୟରେ ଆମ୍ବେଦକର ବିଭିନ୍ନ ଦୃଷ୍ଟିକୋଣରୁ ଏକ ଅଦ୍ୱିତୀୟ, ପ୍ରାତଃ ସ୍ମରଣୀୟ, ଅସାଧାରଣ ପ୍ରଜ୍ଞା ପୁରୁଷ ।

ଭାରତର ଘୃଣ୍ୟ “ଜାତିପ୍ରଥା’ ବିଲୋପ ସଂଗ୍ରାମରେ ସେ ଥିଲେ ଜଣେ ମହାଯୋଦ୍ଧା । ଭାରତର ସମାଜ ଇତିହାସରେ ସେ ଜଣେ ଯୋଗଜନ୍ମା ସମାଜ ସଂସ୍କାରକ ଥିଲେ । ତାଙ୍କ ଜନ୍ମଦିବସରେ ଦେଶବାସୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମହାପାତ୍ର ମତବ୍ୟକ୍ତ କରିଥିଲେ ।

ଓଡିଶା ଡଟ କମ

Exit mobile version