Site icon Odisha.com

କଟକଣା ସତ୍ଵେ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ

ଓଡିଶା ଡଟ କମ ସଂବାଦ ଦାତା

ସମ୍ବଲପୁର, ଏପ୍ରିଲ ୧୫ (ଓଡିଶା ଡଟ କମ) ପ୍ରଶାସନର କଟକଣା ସତ୍ୱେ ମଙ୍ଗଳବାର ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଭାଗ ନେଇଥିବା କେତେକ ନେତା ଓ କାର୍ଯ୍ୟକର୍ତା ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛନ୍ତି ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ଥିବା କୁହା ଯାଉଛି । ଶୋଭାଯାତ୍ରାରେ କେତେକ ସ୍ଥାନରେ ପ୍ରଦର୍ଶନକାରୀ ମାନେ ପ୍ରଶାସନ କୁ ବିରୋଧକରି ଟିଉବ ଲାଇଟ ଭାଙ୍ଗିଛନ୍ତି । କେତେକ ସ୍ଥାନରେ ଅନ୍ୟ କେତେକ ଶୋଭାଯାତ୍ରାକାରୀ ମଧ୍ୟ ଖଣ୍ଡା ପ୍ରଦର୍ଶନ କରିଛନ୍ତି ।

ପୁଲିସ କେତେକ ଖଣ୍ଡାକୁ ଜବତ କରିଛି । ହନୁମାନ ଜୟନ୍ତୀ ଅବସରରେ ସହରର ମନ୍ଦିର ମାନଙ୍କରେ ବିଶେଷ ପୂଜା ଅର୍ଚନା କର ଯାଇଥିଲା । ଶୋଭାଯାତ୍ରା ସମୟରେ ବୃକସ ହିଲର ହନୁମାନ ମନ୍ଦିରରୁ ଚାରୋଟି ଖଣ୍ଡା ବାହାର କରି ପୂଜା ଅର୍ଚନା କର ଯାଇଥିଲା । ଶୋଭାଯାତ୍ରାରେ ଶହ ଶହ ହନୁମାନ ଭକ୍ତ ଅଂଶ ଗ୍ରହଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ କଟକଣା ଜାରି କରିଛି । ଏହି କଟକଣା ଅନୁସାରେ କୌଣସି ଶୋଭାଯାତ୍ରାରେ କେହି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ପାରିବେ ନାହିଁ।

ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ପରେ ଏହାର ଅବଧିକୁ ବଢାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଥିଲେ । ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିବାରୁ ଏହି କଟକଣା ଜାରି କରାଯାଇଛି ।

ପୁଲିସ ଶୋଭାଯାତ୍ରାର ଭିଡିଓ ରେକର୍ଡିଂ କରିଛି ଓ ରେକର୍ଡ କରାଯାଇଥିବା ଫୁଟେଜ ଯାଞ୍ଚ କରୁଥିବା କୁହା ଯାଇଛି ।

ଓଡିଶା ଡଟ କମ

Exit mobile version