Site icon Odisha.com

ବାବା ସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଓରାମଙ୍କ ଆହ୍ଵାନ

ଭୁବନେଶ୍ୱର, ଏପ୍ରିଲ ୧୫ (ଓଡିଶା ଡଟ କମ) ବୁଧବାର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଭୁବନେଶ୍ୱରର ଲୋୟର ପି.ଏମ.ଜି. ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମ୍ଭିଧାନ ପ୍ରଣେତା ଭାରତରତ୍ନ ଡ଼ଃ. ବାବା ସାହେବଙ୍କ ୧୨୪ ତମ ଜନ୍ମଜୟନ୍ତୀରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଛନ୍ତି ।

ନିଜ ଉଦବୋଧନରେ ଓରାମ କହିଲେ ଯେ ଡ଼ଃ. ଆମ୍ବେଦକରଜୀ ଜଣେ ଅନନ୍ୟ ରାଜନୀତିଜ୍ଞ ଓ ସମାଜ ସୁଧାରକ ଥିଲେ । ଭାରତର ଏହି ମହାନ ବରପୁତ୍ରଙ୍କର ସାମୁହୀକ ବିକାଶର ମନ୍ତ୍ର ଆଜି ମଧ୍ୟ ସାରା ବିଶ୍ୱରେ ଏକ ଆଲୋକର କିରଣ ରୂପେ କାର୍ଯ୍ୟ କରୁଛି ।

ଆଜିର ଦିନରେ ବାବା ସାହେବଙ୍କର ମାନବିକତା, ଶାନ୍ତି ଓ ଭାତୃଭାବର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତେ ପ୍ରତିଶୃତିବଦ୍ଧ ହେବା ଉଚିତ ବୋଲି ଓରାମ କହିଥିଲେ ।

ରାଷ୍ଟ୍ରୀୟ ଦଳିତ ମହାସଭା ଦ୍ୱାରା ଆୟୋଜିତ ଏହି ଜନ୍ମଜୟନ୍ତୀରେ ସଭାରେ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା,ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆ, ଅଶୋକ ଭାରତୀ, ଅଶୋକ ମଲ୍ଲିକ, ବସନ୍ତ କର ଏବଂ ସୁକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କଟକ ଜିଲ୍ଲା ଓଲଟପୁର ଠାରେ ଥିବା ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚର ୧୯ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଛାତ୍ର ସଂସଦର ସଭାପତି ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ଡ଼ଃ.ପ୍ରମୋଦ ମଲ୍ଲିକ, ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଡ଼ାଇରେକ୍ଟରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ଓରାମଙ୍କ ଯିବା ବାଟରେ କଟକ ଜିଲ୍ଲା ବିଜେପି ତରଫରୁ କଂଟାପଡ଼ା ଠାରେ ତାଙ୍କୁ ଭବ୍ୟ ସମ୍ବର୍ନ୍ଧନା ମଧ୍ୟ ଦିଆଯାଇଥିଲା । ଏଥିରେ ସ୍ଥାନୀୟ ବିଜେପି ନେତା ସୁଶାନ୍ତ ମଲ୍ଲିକ, ଲଲାଟେନ୍ଦୁ ବଡ଼ୁ, ରବି ନାରାୟଣ ମହାପାତ୍ର, ନମିତା ମିଶ୍ର ଏବଂ ପ୍ରଭାତ ମହାପାତ୍ରଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ପରେ ସଂଧ୍ୟାରେ ଓରାମ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଂଚଳସ୍ଥ ପ୍ରଶାନ୍ତି ବିହାର ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଆଜିର ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାବିକାଶ ସମିତି ଦ୍ୱାରା ପରିଚାଳିତ ଶିଶୁ ମନ୍ଦିରର ବ୍ୟବସ୍ଥା ଓ ଭୂମିକା ସମ୍ପର୍କରେ ବିଶଦ୍ ଭାବେ ବର୍ଣ୍ଣନା କରିଥିଲେ ।

ଏଥିରେ ବିଜେପି ନେତା ଗୋଲକ ମହାପାତ୍ର, ଅଭୟ କୁମାର ସାମନ୍ତରାୟ, ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଏବଂ ସମ୍ପାଦକ, ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

Exit mobile version