Site icon Odisha.com

ଖୋର୍ଦ୍ଧାରେ ଓଡିଆ ନବବର୍ଷ ଉପଲକ୍ଷେ ବିଷୁବ ମିଳନ ସମାରୋହ

ଖୋର୍ଦ୍ଧା ଏପ୍ରିଲ ୧୫ (ଓଡିଶା ଡଟ କମ) ସ୍ଥାନୀୟ ଗୀତା ଭବନ ପରିସରରେ ଓଡିଆ ନବବର୍ଷ ଉପଲକ୍ଷେ ବିଷୁବ ମିଳନ ସମାରୋହ ଖୋର୍ଦ୍ଧା ସାହିତ୍ୟ ସଂସଦ ତରଫରୁ ସଂସଦର ସଭାପତି ଶିକ୍ଷାବିତ୍ ବୈକୁଣ୍ଠନାଥ ରାଜଗୁରୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।

ସଂସଦର ଉପସଭାପତି ଡକ୍ଟର ନିରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦର ସମ୍ପାଦକ ଲକ୍ଷ୍ମୀଧର ବଡଜେନା ତାଙ୍କ ସ୍ୱାଗତ ଭାଷଣରେ କହିଲେ ଓଡିଶାର ଓଡିଆ ଭାଷା ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ ଆମେ ଗର୍ବିତ ।

କିନ୍ତୁ ଓଡିଶାର ସଂସ୍କୃତି ଓ ପରମ୍ପରା ସହିତ ଜଡିତ ଓଡିଆ ନବବର୍ଷକୁ ସରକାରୀ ସ୍ତରରେ ମଧ୍ୟ ପାଳିତ ହେବା ପାଇଁ ଓଡିଶା ସରକାର ଯତ୍ନବାନ ହେବା ଦରକାର । ଏହି ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେବା ପାଇଁ ସେ ସମସ୍ତଙ୍କୁ ସେ ଆହ୍ୱାନ ଦେଇଥିଲେ ।

ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନସ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ତଥା ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ବିଚାର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ଯୋଗଦେଇ କହିଲେ ମହାନ୍ ଉତ୍କଳୀୟ ସଂସ୍କୃତି ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ସମଗ୍ର ଓଡିଶାର ପୁରପଲ୍ଲିରେ ଓଡିଆ ନବବର୍ଷ ଭାବରେ ପାଳନ କରାଯାଏ ।

ଏହି ଦିନ ପତ୍ୟେକ ଓଡିଆ ପଣା ପାନ କରିବାର ପରମ୍ପରା ଥିବାରୁ ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ । ଏହି ନବବର୍ଷକୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ । ଏହା ହେଉଛି ଆମ ସଂସ୍କୃତିକୁ ବାନ୍ଧି ରଖିବା ପାଇଁ ଏକ ବଳିଷ୍ଠ ମାଧ୍ୟମ ।

ସଂସଦର ଅନ୍ୟତମ ଉପସଭାପତି ଡଃ ବୃନ୍ଦାବନ ପଣ୍ଡା କହିଲେ ଓଡିଆ ଭାଷା ଓ ସଂସ୍କୃତି ପ୍ରତି ଖୋର୍ଦ୍ଧାର ଅବଦାନ ଅତୁଳନୀୟ । ସେଥିପାଇଁ ଆମେ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ୍ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବି ବିଧାନ ଚନ୍ଦ୍ର ମହାନ୍ତି ଯୋଗଦେଇ ଦୀର୍ଘ ୩୦ ବର୍ଷ ଧରି ଖୋର୍ଦ୍ଧା ସାହିତ୍ୟ ସଂସଦ ସାହିତ୍ୟ କ୍ଷେତ୍ରରେ ସାରା ଓଡିଶାରେ ତାର ଚମତ୍କାରିତ ପ୍ରଦର୍ଶିତ କରିପାରିଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରୁଣେଇ ସାହିତ୍ୟ ସଂସଦର ସମ୍ପାଦକ ପ୍ରହଲ୍ଲାଦ ଦାସ, କୋଣାର୍କ ସାହିତ୍ୟ ସଂସଦର ସଂପାଦକ ନାରାୟଣ ଦାସ, ପଲ୍ଲିଶ୍ରୀ ସାହିତ୍ୟ ସଂସଦର ସଂପାଦକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ମା ମଙ୍ଗଳା ସାହିତ୍ୟ ସଂସଦର ସଂପାଦକ ନୀଳାଦ୍ରିନାଥ ଜଗଦେବ, ମାସିକ ପତ୍ରିକା ଆମରି ସତ୍ୟର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ ଚନ୍ଦ୍ର ଦାଶ, ସାହିତି୍ୟକ ଗୋପାଳକୃଷ୍ଣ ଦାସ, ଉତ୍କଳ ସମ୍ମିଳନୀର ଜିଲ୍ଲା ସମ୍ପାଦକ ବିଚିତ୍ର ବଡଜେନା, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଡକ୍ଟର ଚପଳା ପଣ୍ଡା, ରାଜ କିଶୋର କେଇ, ଲକ୍ଷ୍ମୀ ପ୍ରସାଦ ସାହୁ, ଲକ୍ଷ୍ମୀନାରାୟଣ ରଣସିଂହ, ସୁଶାନ୍ତ କୁମାର ସାହୁ, ସୁଧାକର ବାରିକ ପ୍ରମୁଖ ଉପସ୍ଥିତ ରହି ବିଷୁବ ମିଳନର ମହତ୍ୱ ଏବଂ
ଓଡିଆ ନବବର୍ଷର ଗୁରୁତ୍ୱ ଉପରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।

ଓଡିଶା ଡଟ କମ

Exit mobile version