Site icon Odisha.com

ଉଡନ୍ତା ନେତା ଓ ବୁଡନ୍ତା ରାଜ୍ୟର କାହାଣୀ

କେଦାର ମିଶ୍ର

ନବୀନ ନିବାସରୁ ରେଭେନସା କଲେଜ୍‍ର ଦୂରତା କେତେ ? ଜଣେ ସାଧାରଣ ଲୋକ ଆଖି ବୁଜି କହି ଦେଇପାରିବ ପାଖାପାଖି ୩୦ କିଲୋମିଟର ।

ଯେତେ ଭିଡ ଟ୍ରାଫିକ୍‍ ଥିଲେ ବି ସେଠି ପହଞ୍ଚିବାକୁ ଟ୍ୟାକ୍ସିରେ ୪୫ ମିନିଟ୍‍ ଲାଗିବ । ମୁଖ୍ୟମନ୍ତ୍ରୀ ଯଦି ନିଜ କାର୍କେଡ୍‍ରେ ଯାଆନ୍ତି ତାହେଲେ ୨୫ ମିନିଟ୍‍ରୁ ଅଧିକ ଲାଗିବ ନାହିଁ । ଏହି ଦୂରତାକୁ ଅତିକ୍ରମ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟାଏ ହେଲିକପ୍ଟରର ଆବଶ୍ୟକତା ପଡିଲା ।

ଗୋଟିଏ ଦରିଦ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ କଟକରୁ ଭୁବନେଶ୍ୱର ଯିବାକୁ ହେଲିକପ୍ଟର ବ୍ୟବହାର କରିବା ଏ ରାଜ୍ୟବାସୀଙ୍କ ପାଇଁ ଏକ ସୁନ୍ଦର ଉପହାସ ଛଡା ଆଉ କଣ ହେଇପାରେ ।

ମୁଖ୍ୟମନ୍ତ୍ରୀ ଅବଶ୍ୟ ବଡଲୋକ । ଏଠି ସାଧାରଣ ମୁନିସ୍‍ପାଲ୍‍ଟି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଳର କୁଜି ତାରକାମାନେ ହେଲିକପ୍ଟରରେ ଉଡି ଉଡି ପହଞ୍ଚନ୍ତି ।

କୌଣସି ଏକ ରାଜ୍ୟର (ଧନୀ ରାଜ୍ୟ ହେଲେ ମଧ୍ୟ) ରାଜନୀତି ପାଇଁ ଏହାଠୁ ବଳି କଳଙ୍କର କାହାଣୀ ଆଉ କିଛି ନଥାଏ । ସ୍ଥାନୀୟ ମୁନିସ୍‍ପାଲିଟି ନିର୍ବାଚନରେ ହେଲିକପ୍ଟରର ବ୍ୟବହାର କଥା କେବଳ ଅନୈତିକ ନୁହେଁ ଏହା ନିର୍ବାଚନ ରାଜନୀତିରେ ଏକ ଅପରାଧୀ ମାନସିକତାର ପରିଚାୟକ ।

ବିଜେଡି ଟିକେଟରେ ରାଜ୍ୟସଭା ସଂସଦ ହୋଇଥିବା ଓ ବିଧାୟକ ପଦରେ ଥିବା ଅନୁଭବ ମହାନ୍ତି ଏବଂ ଆକାଶ ଦାସନାୟକ ହେଲିକପ୍ଟର ଚଢ଼ି ରେଢ଼ାଖୋଲ, ବେଲ୍‍ପାହାଡ, ଧର୍ମଗଡ ଭଳି ଛୋଟିଆ ସହରରେ ନିର୍ବାଚନ ପ୍ରଚାର କରିବା ବିଜେଡିର ଅହଙ୍କାର ଓ କ୍ଷମତାର ଅନ୍ଧପଣକୁ ଦର୍ଶାଉଛି ।

ଗୋଟିଏ ପକ୍ଷରେ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ଏକମାତ୍ର ନିର୍ବିକଳ୍ପ ନେତା ବୋଲି ବିଜେଡି କହୁଥିବା ବେଳେ ଅପରପକ୍ଷରେ ସବୁ ଛୋଟିଆ ନିର୍ବାଚନକୁ ଜିଣିବା ଲାଗି ବିଜେଡି ତରଫରୁ ସବୁପ୍ରକାର ସମ୍ବଳ ଓ କୌଶଳ ପ୍ରୟୋଗ କରାଯାଉଛି ।

ନିର୍ବାଚନ ରାଜନୀତିକୁ ଏକପ୍ରକାର ଶସ୍ତା ସିନେମାର ଚିତ୍ରନାଟ୍ୟ ଭାବରେ ବିଜେଡି ଗ୍ରହଣ କରିସାରିଛି । ଏଠି ଜିତିବା ହେଉଛି ଏକମାତ୍ର ଲକ୍ଷ୍ୟ – ସେ ଯେ କୌଣସି ଉପାୟ ବା କୌଶଳରେ ହେଉ ବରଂ ।

ବିଜେଡି ନେତାମାନେ ଗଣମାଧ୍ୟମରେ ଛାତି ଫୁଲାଇ କହନ୍ତି ନବୀନ ବାବୁଙ୍କ ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କ ନାଁରେ ଯାହାକୁ ଟିକେଟ୍‍ ଦେଲେ ମଧ୍ୟ ସେ ଜିତିବ ।

ତେବେ ପୌର ନିର୍ବାଚନ ଭଳି ଛୋଟିଆ ନିର୍ବାଚନରେ ଏତେ ବଡ ବଡ ତାରକାଙ୍କ ଆଡମ୍ବର ଦରକାର ପଡୁଛି କାହିଁକି ? ଗୋଟିଏ ସମୟରେ ଲୋକସଭା ଭଳି ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ ପ୍ରଚାର କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମନା କରି ଦେଇଥିଲେ ।

ବିଜୁ ବାବୁଙ୍କ ନାଁରେ ପ୍ରତିଷ୍ଠିତ ଦଳ ଆଜି ପୌର ନିର୍ବାଚନ ଭଳି ସାଧାରଣ ଘଟଣାରେ ଚଳଚ୍ଚିତ୍ର ତାରକା, ହେଲିକପ୍ଟର ଓ ଅଯଥା ଆଡମ୍ବରର ପ୍ରୟୋଗ କରି ଚାଲିଛି ।

ଏଥିରୁ ନବୀନ ବାବୁଙ୍କ ଲୋକପ୍ରିୟତା ତୁଳନାରେ ବିଜେଡିର କ୍ଷମତା ଅହଙ୍କାର ଅଧିକ ବାରି ହୋଇପଡୁଛି । କ୍ଷମତାର ଶୀର୍ଷରେ ଥିବା ଭଳି ଏପ୍ରକାର ଅହଙ୍କାର ଆମ ରାଜନୀତିକୁ ଏକ ଭୟଙ୍କର ପରିସ୍ଥିତି ଆଡକୁ ଟାଣି ନେବ । ଉଡନ୍ତା ନେତାମାନଙ୍କର ଏହି ନିର୍ବାଚନୀ ବିଳାସ ସହିତ ମୁଖ୍ୟମନ୍ତ୍ରୀଙ୍କ ଆକାଶ ପ୍ରୀତି ସାଧାରଣ ଜନତାଙ୍କ ଠାରୁ ରାଜନୈତିକ ନେତାଙ୍କୁ ବହୁ ଦୂରକୁ ନେଇଯିବ ।

ଗୋଟିଏ ଦିଗରେ ନେତାମାନେ ଉଡାଜାହାଜ ଚଢ଼ି ବୁଲୁଥିବା ବେଳେ ଅନ୍ୟଦିଗରେ ଏ ରାଜ୍ୟର ଜନସାଧାରଣ ପାଞ୍ଚ ଟଙ୍କା ହାତରେ ଧରି ଭାତଡାଲ୍‍ମା ଖାଇବାକୁ ସରକାରୀ ଛତ୍ରରେ ଧାଡି ବାନ୍ଧି ଠିଆ ହୋଇଛନ୍ତି ।

୧୬ ବର୍ଷର ଶାସନ ଭିତରେ ବିଜେଡି ଓ ନବୀନ ପଟ୍ଟନାୟକ ଓଡିଶାକୁ ଏକ ଦରିଦ୍ରତମ ରାଜ୍ୟର ମର୍ଯ୍ୟାଦାବନ୍ତ ବିଭୂଷଣ ଦେଇଛନ୍ତି । ମୁଣ୍ଡପିଛା ଆୟ ଦୃଷ୍ଟିରୁ ଓଡିଶା ହେଉଛି ଦେଶର ସବୁଠୁ ତଳେ ରହିଥିବା ପାଞ୍ଚଟି ରାଜ୍ୟ ମଧ୍ୟରୁ ଅନ୍ୟତମ । ୨୦୧୩-୧୪ ମସିହାରେ ଜାତୀୟ ମୁଣ୍ଡ ପିଛା ଆୟ ୩୯,୯୦୪ ଟଙ୍କା ହୋଇଥିବା ବେଳେ ଓଡିଶାରେ ଏହା ମାତ୍ର ୨୫,୮୯୧ ଟଙ୍କା । ଓଡିଶା ତଳକୁ ଆସାମ, ଉତ୍ତରପ୍ରଦେଶ ଓ ବିହାର ରହିଛନ୍ତି ।

ଓଡିଶା ତୁଳନାରେ ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ, ମେଘାଳୟ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଢ଼େର୍‍ ଆଗରେ ରହିଛନ୍ତି । ଦିଲ୍ଲୀ, ପଣ୍ଡିଚେରୀ, ସିକିମ୍‍, ମହାରାଷ୍ଟ୍ର, ହରିୟାଣା, ତାମିଲ୍‍ନାଡୁ ଭଳି ରାଜ୍ୟ ସହ ଓଡିଶାର ତୁଳନା ମଧ୍ୟ କରାଯାଇପାରିବ ନାହିଁ । ଦିଲ୍ଲୀ ଭଳି ରାଜ୍ୟରେ ମୁଣ୍ଡ ପିଛାର ବାର୍ଷିକ ଆୟର ପରିମାଣ ୧୨,୭୬୬୭ଟଙ୍କା ।

ଅର୍ଥାତ ଓଡିଶା ତୁଳନାରେ ଦିଲ୍ଲୀର ମୁଣ୍ଡପିଛା ଆୟ ପାଖାପାଖି ଲକ୍ଷେ ଟଙ୍କା ଅଧିକ । ଏପରିକି ଉତ୍ତରପୂର୍ବ ରାଜ୍ୟ ସିକିମ୍‍ରେ ଏହା ୮୩,୫୨୭ ଟଙ୍କା । ଏହା ଆମର ଦାରିଦ୍ରର ଏକ ଛୋଟିଆ ସୂଚକାଙ୍କ ।

୨୦୧୪-୧୫ ବେଳକୁ ଆମର ମୁଣ୍ଡପିଛା ଆୟ ୨୮,୦୦୦ରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଅର୍ଥାତ ଜାତୀୟହାର ସହ ସମକକ୍ଷ ହେବାକୁ ଓଡିଶାକୁ ଆହୁରି ଅନେକ ବର୍ଷ ଲାଗିବ ।

ସେଥିଲାଗି ଦରିଦ୍ର ରାଜ୍ୟର ଜନସାଧାରଣଙ୍କୁ ଟଙ୍କାଏରେ ଚାଉଳ କିଲେ ଓ ପାଞ୍ଚଟଙ୍କାରେ ଭାତ, ଡାଲ୍‍ମା ଯୋଜନା କରାଯାଇଛି । ସାରା ରାଜ୍ୟକୁ ଭିକାରୀମାନଙ୍କ ଏକ ପ୍ରଦେଶ ଭାବରେ ରାଜ୍ୟ ସରକାର ଗଢ଼ିବାକୁ ଚାହୁଁଛନ୍ତି ।

ରାଜ୍ୟବାସୀ ଭିକାରୀ ହୋଇ ରହିଲେ ସେମାନେ ହେଲିକପ୍ଟର ଦେଖିବାକୁ ଆସିବେ, ଆକାଶରୁ ଓହ୍ଲାଉଥିବା ଚଳଚ୍ଚିତ୍ର ତାରକାମାନଙ୍କର ଶସ୍ତା ସଂଳାପ ଶୁଣିବେ ଓ ପାଞ୍ଚଟଙ୍କାରେ ଭାତ ଡାଲ୍‍ମା ଖାଇ ଯାବତ୍‍ଜୀବନ ବିଜେଡିକୁ ଭୋଟ୍‍ ଦେଇ ଚାଲୁଥିବେ ।

ଏହାବୋଧେ ଓଡିଶା ପାଇଁ ବିଜୁ ଜନତା ଦଳର ଏକମାତ୍ର ସ୍ୱପ୍ନ । ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ହେଲିକପ୍ଟରର ବ୍ୟବହାର କଲେ ସେତେବେଳେ ତାଙ୍କୁ ଜାତୀୟ ଗଣମାଧ୍ୟମରେ ପ୍ରଚୁର ସମାଲୋଚନା କରାଯାଇଥିଲା ।

ତେବେ ଦିଲ୍ଲୀ ସହରର ଟ୍ରାଫିକ୍‍ ସମସ୍ୟା ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାବଳୟ ଦୃଷ୍ଟିରୁ ଏହା ଅତ୍ୟାବଶ୍ୟକ ଥିଲା ବୋଲି କୁହାଯାଇପାରେ । ତେବେ ଓଡିଶା ମୁଖ୍ୟମନ୍ତ୍ରୀ କଟକ କିମ୍ବା ଭୁବନେଶ୍ୱରରେ ସୁରକ୍ଷା ଦୃଷ୍ଟିରୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ।

ଅତିବେଶୀରେ ଯୁବକଂଗ୍ରେସ କର୍ମୀମାନେ କେଉଁଠି କେମିତି କଳା ପତାକା ଦେଖାଇପାରନ୍ତି ଅଥବା ଅଣ୍ଡା ଫୋପାଡି ପାରନ୍ତି । ଅଣ୍ଡା ଫୋପାଡିଲେ କାର୍‍ କାଚ ଭାଙ୍ଗିବ ନାହିଁ କି ସୁରକ୍ଷାକର୍ମୀମାନେ ଖୁବ୍‍ ଗୋଟାଏ ବଡ ଅସୁବିଧାରେ ପଡିବେ ନାହିଁ ।

ସାଧାରଣ ଅଣ୍ଡା ଓ କଳା ପତାକାକୁ ଡରି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ଭୁବନେଶ୍ୱରରୁ କଟକ ଯଦି ଯାଆନ୍ତି ତାହା ସାଧାରଣ ଲୋକଙ୍କ ପାଇଁ କେତେବଡ ଉପହାସ ତାହା ଚିନ୍ତାର ବିଷୟ ।

ବିଜେଡି ସମର୍ଥକ ଓ ନେତାମାନେ କହିବେ ଏତେବଡ ମୁଖ୍ୟମନ୍ତ୍ରୀ ସେ ହେଲିକପ୍ଟର ଚଢ଼ିଲେ ଅସୁବିଧା କଣ ? ଏହି ହେଲିକପ୍ଟର ପାଇଁ ସରକାର କେତେ ଖର୍ଚ୍ଚ କରନ୍ତି ତାହା ଜନସାଧାରଣ ଜାଣନ୍ତି କି ?

ଘଣ୍ଟା ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ହେଲିକପ୍ଟର ଭଡା ରାଜ୍ୟ ତହବିଲ୍‍ରୁ ଯାଇଥାଏ । ଯେଉଁ ଚଳଚ୍ଚିତ୍ର ତାରକାମାନେ ଉଡାଜାହାଜରେ ଉଡି ଭୋଟ୍‍ ପ୍ରଚାର କରୁଛନ୍ତି ସେମାନଙ୍କ ବ୍ୟକ୍ତିଗତ ଆୟବ୍ୟୟର ହିସାବ ଲୋକେ ଜାଣିବା ଉଚିତ୍‍ ।

ଓଡିଆ ସିନେମାର ଅର୍ଥନୀତି ଯାହା ସେଥିରେ ଅନୁଭବ ମହାନ୍ତି ବା ଆକାଶ ଦାସନାୟକ ନିଜ ଆୟରୁ ସାଣ୍ଟ୍ରୋ କାର୍‍ରେ ତେଲ ପକାଇବା ଖର୍ଚ୍ଚ ଉଠିବ ନାହିଁ । ସେମାନେ ବିଜେଡି ପଇସାରେ ଆକାଶରେ ଉଡିବା ଆମ ପାଇଁ ବିଡମ୍ବନା ଛଡା ଆଉ କଣ ହୋଇପାରେ ।

ତେବେ ଏକଥା ଲେଖିଲା ବେଳେ ଆମେ ଆହୁରି ସଚେତନ ଯେ ସଦ୍ୟପ୍ରକାଶ ପାଇଥିବା ପୌର ନିର୍ବାଚନ ଫଳାଫଳରେ ବିଜେଡି ୮୦ ପ୍ରତିଶତରୁ ଅଧିକ ସ୍ଥାନରେ ବିଜୟୀ ହୋଇଛି ।

୮ଟି ଯାକ ପୌର ପରିଷଦ ବିଜେଡି ଦଖଲକୁ ଯାଇଛି । ତେଣୁ ଭୋଟ୍‍ ରାଜନୀତିରେ ବିଜେଡିକୁ ମାତ୍‍ ଦେଲା ଭଳି ଶକ୍ତି ଓଡିଶାରେ ନାହିଁ ବୋଲି କହିବାରେ ଅସୁବିଧା ନାହିଁ ।

ତେବେ ଏତେ ପରିମାଣର ଅର୍ଥ, କ୍ଷମତା ଓ ଅହଙ୍କାର ସହ ଯୁଦ୍ଧ କଲା ଭଳି ଶକ୍ତି ବିରୋଧୀଙ୍କ ପାଖରେ ଆସିବ କୁଆଡୁ ? କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ପରାସ୍ତ ହେଲା ପରେ ନୈତିକ ଦୃଷ୍ଟିରୁ ଏକପ୍ରକାର ଶକ୍ତିହୀନ ହୋଇବସିଛି ।

ଲୋକଙ୍କ ପାଇଁ ବିରୋଧୀ ପକ୍ଷରେ ରହି ସଂଘର୍ଷ କରିବାର ଅନୁଭବ କଂଗ୍ରେସ ପାଖରେ ନାହିଁ । ଓଡିଶାରେ ଗତ ୧୬ ବର୍ଷ ଧରି ସବୁ ନିର୍ବାଚନରେ ପରାଜୟ ବରଣ କରି କଂଗ୍ରେସ ଏକପ୍ରକାର ଦେବାଳିଆ ହୋଇ ସାରିଛି ।

ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲାବେଳେ ଏହି ଦଳର ସ୍ୱରରେ ଶକ୍ତି ନାହିଁ ବା ପ୍ରଭାବ ମଧ୍ୟ ନାହିଁ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ସରକାର ଗଠନ କରିଥିଲେ ମଧ୍ୟ ଓଡିଶାରେ ଏହି ଦଳ ବିଜେଡିର ବି ଟିମ୍‍ ଭାବରେ କାମ କରିବାକୁ ଏକପ୍ରକାର ଲାଳାୟିତ ଅବସ୍ଥାରେ ରହିଛି ।

ଗୋଟିଏ ପରେ ଗୋଟିଏ କେନ୍ଦ୍ରମନ୍ତ୍ରୀ ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଯାଉଥିବାରୁ ଓଡିଶା ବିଜେପି ନେତାଙ୍କ ମୁହଁ ଶୁଖି ଯାଇଛି ।

କେନ୍ଦ୍ରରେ ମନ୍ତ୍ରୀ ଥିବା ଓଡିଶାର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନବୀନଙ୍କ ପ୍ରତି ଏତେ ଅଧିକ ଅନୁଗତ ଯେ ରାଜ୍ୟ ବିଜେପିର ନବୀନ ବିରୋଧୀ ସ୍ୱର ତାଙ୍କ ଆନୁଗତ୍ୟ ଆଗରେ ଫିକା ପଡିଯାଉଛି ।

ଏହି ପରିସ୍ଥିତି ଓ ପୃଷ୍ଠଭୂମିରେ ବିଜେଡିର ଆକାଶଚାରୀ ଅହଙ୍କାର ଥମିବାର କୌଣସି ସମ୍ଭାବନା ନାହିଁ । ଦିନ ଆସିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ସିଧାସଳଖ ହେଲିକପ୍ଟର ଚଢ଼ି ସଚ୍ଚିବାଳୟରେ ଓହ୍ଲାଇବେ ଓ ସେଇ ଆକାଶମାର୍ଗରେ ଫେରିଯିବେ ।

ଆମେ ଭକୁଆ ଓଡିଆମାନେ ହାଁ କରି ଆକାଶକୁ ଅନାଇଥିବା ଓ ଆଗାମୀ ନିର୍ବାଚନରେ ପୁଣି ଥରେ ତାଙ୍କୁ ଭୋଟ୍‍ ଦେଇ ନିଜକୁ ଭାଗ୍ୟବାନ ମନେ କରିବା ।

କେଦାର ମିଶ୍ର
ଫୋନ୍‍ : ୯୪୩୭୧୫୪୪୪୫

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Exit mobile version