Site icon Odisha.com

ଗିରଫଦାରୀ ବିରୋଧରେ ସମ୍ବଲପୁର ବନ୍ଦ, ଜନ ଜୀବନ ଅସ୍ତବ୍ୟସ୍ତ

ଓଡିଶା ଡଟ କମ ସଂବାଦ ଦାତା

ସମ୍ବଲପୁର, ଏପ୍ରିଲ ୧୬ (ଓଡିଶା ଡଟ କମ) ପୂର୍ବତନ ମନ୍ତ୍ରୀ ଜୟ ନାରାୟଣଙ୍କ ଗିରଫଦାରି ପ୍ରତିବାଦରେ ବିଜେପି ତରଫରୁ ଦିଆଯାଇଥିବା ବନ୍ଦ ଡାକରା ଯୋଗୁଁ ଗୁରୁବାର ସମ୍ବଲପୁର ସହରରେ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇପଡିଛି ।

ପ୍ରଶାସନର କଟକଣା ସତ୍ୱେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଖଣ୍ଡା ବୁଲାଇବା ଅଭିଯୋଗରେ ପୁଲିସ ବୁଧବାର ମିଶ୍ରଙ୍କୁ ଗିରଫ କରିଥିଲା । ଅଦାଲତ ଜାମିନ ନାମଞ୍ଜୁର କରିବାରୁ ସେ ବର୍ତ୍ତମାନ ଜେଲ ହାଜତରେ ରହିଛନ୍ତି।

ବନ୍ଦ ଡାକରା ଯୋଗୁଁ ସହରରେ ଗାଡି ମଟର ଚଳାଚଳ ବ୍ୟାହତ ହୋଇଛି । ସ୍କୁଲ, କଲେଜ, ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି । ବିରୋଧକାରୀ ମାନେ ରେଳ ଲାଇନ ଉପରେ ବସି ରହିବାରୁ ରେଳ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା କୁହା ଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ କଟକଣା ଜାରି କରିଛି । ଏହି କଟକଣା ଅନୁସାରେ କୌଣସି ଶୋଭାଯାତ୍ରାରେ କେହି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ପାରିବେ ନାହିଁ ।

ତେବେ ଏହି କଟକଣକୁ ଉଲ୍ଲଂଘନ କରି ମିଶ୍ର ମଙ୍ଗଳବାର ଅନୁଷ୍ଠିତ ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ଥିବା କୁହା ଯାଉଛି ।

ତେବେ ଗିରଫହେବା ପରେ ଜୟନାରାୟଣ କହିଛନ୍ତି ହନୁମାନ ଜୟନ୍ତୀରେ ଅସ୍ତ୍ରଶସ୍ତ୍ରର ପୂଜା ଓ ପ୍ରଦର୍ଶନ ହିନ୍ଦୁ ଧର୍ମର ଏକ ପରମ୍ପରା ଓ ତାକୁ କେହି ବାରଣ କରିପାରିବେ ନାହିଁ ।

ଓଡିଶା ଡଟ କମ

Exit mobile version