Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହାୟତା ରାଶି ବୃଦ୍ଧି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୬ (ଓଡିଶା ଡଟ କମ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯାଉଥିବା ସହାୟତା ପରିମାଣରେ ବୃଦ୍ଧି ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଛସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ କାରଣରୁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ପାଉନଥିବା ବ୍ୟକ୍ତିମାନେ ଏଣିକି ସେମାନଙ୍କ ଚିକିତ୍ସା ଖର୍ଚର ଚାଳିଶ ପ୍ରତିଶତ ଅଥବା ସର୍ବାଧିକ ୭୫୦୦୦ ଟଙ୍କା ସହାୟତା ଏହି ପାଣ୍ଠିରୁ ପାଇପାରିବେ ।

ହୃଦରୋଗ, କ୍ୟାନସର, ଏବଂ କିଡନି ଚିକିତ୍ସା କ୍ଷେତ୍ରରେ ଏହି ସହାୟତା ରାଶି ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରୁଥିବା ଗ୍ରାମାଞ୍ଚଳର ହିତାଧିକାରୀ ମାନଙ୍କ ବାର୍ଷିକ ଆୟର ସୀମା ୪୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଜରୁରୀ କ୍ଷେତ୍ରରେ ଜିଲ୍ଲାପାଳ ମାନେ ହିତାଧିକାରୀ ମାନଙ୍କୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେଇପାରିବେ । ପୂର୍ବରୁ ଏହା ୨୦,୦୦୦ ଟଙ୍କାରେ ସୀମିତ ଥିଲା ।

ବିଭିନ୍ନ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି, ଗରିବ ଲୋକଙ୍କୁ ରେଫେରାଲ ହାସପାତାଲରେ ପହଞ୍ଚାଇବ।, ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତି ମାନଙ୍କୁ ଔଷଧ ଖର୍ଚ, ଭିନ୍ନକ୍ଷମ, ଅନାଥ, ଗରିବ ଓ ନିସହାୟ ବିଧବା ମହିଳାଙ୍କ ଥଇଥାନ ଆଦି ନିମନ୍ତେ ଜିଲ୍ଲାପାଳ ସହାୟତା ଦେଇପାରିବେ ।

ସେହିପରି ଜରୁରୀ କ୍ଷେତ୍ରରେ ଉପଜିଲ୍ଲାପାଳ ମାନେ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେଇପାରିବେ । ପୂର୍ବରୁ ଏହା ପାଞ୍ଚ ହଜାରରେ ସୀମିତ ଥିଲା ।

ଓଡିଶା ଡଟ କମ

Exit mobile version