Site icon Odisha.com

ରାଉଣ୍ଡ ଟେବୁଲ୍ ଉଦ୍ୟମରେ ବସ୍ତି ପିଲାଙ୍କ ବିମାନ ଯାତ୍ରା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଏପ୍ରିଲ ୧୮ (ଓଡିଶା ଡଟ କମ) ଭୁବନେଶ୍ୱର ରାଉଣ୍ଡ ଟେବୁଲ୍ ୫୩ (ବି.ଆର.ଟି-୫୩) ପକ୍ଷରୁ ସମାଜର ବିଭିନ୍ନ ବର୍ଗର ଅବହେଳିତ ପିଲାମାନଙ୍କ ଜୀବନକୁ ଆନନ୍ଦମୟ କରିବା ନିମନ୍ତେ ଚଳିତ ବର୍ଷ ଭୁବନେଶ୍ୱରର ମେଣ୍ଢାଶାଳସ୍ଥିତ ରାୱା ଏକାଡେମୀ ର ୪୦ ଜଣ ଅନାଥ ତଥା ବସ୍ତି ଅଂଚଳର ଛାତ୍ରଛାତ୍ରୀ ମ।ନଙ୍କ ପାଇଁ ଫାଣ୍ଟାସି ଫ୍ଲାଇଟ୍ ଭ୍ରମଣ ବ୍ୟବସ୍ଥାର ଆୟୋଜନ କରାଯାଇଛି ।

ଏହି କ୍ରମରେ ଏହିସଂସ୍ଥା ପକ୍ଷରୁ ଏକ ପ୍ରତିନିଧି ଦଳ ଏହି ପିଲାମାନଙ୍କୁ ନେଇ ଶନିବାର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୂର୍ବାହ୍ନ ୧୦.୩୦ ସମୟରେ ଏକ ଦିନିକିଆ ବିମାନ ଯାତ୍ରା ଆରମ୍ଭ କରି ବିଶାଖାପାଟନମ୍ ଅଭିମୁଖେ ଗସ୍ତ କରିଛନ୍ତି ।

ବି.ଆର.ଟି-୫୩ ର ସ୍ଥାନୀୟ ସହଯୋଗୀ ବିଶାଖାପାଟନମ୍ ରାଉଣ୍ଡ ଟେବୁଲ୍ ୭୭ ପକ୍ଷରୁ ପୂର୍ବ ଆୟୋଜିତ କ୍ରମେ ଏହି ପିଲାମାନେ ସେଠାରେ ଆମ୍ୟୁଜ୍ମେଂଟ୍ ପାର୍କ, କିଡ୍ସ ଜୋନ୍ ତଥା ଏକ ସପିଂ ମଲରେ ୩ ଡି ମୁଭି ଶୋ, ମ୍ୟାକ୍ଡୋନାଲ୍ଡ ଆଦି ବୁଲି ଦେଖିବା ସହ ଆସନ୍ତାକାଲି ସକାଳେ ବିମାନ ଯୋଗେ ଭୁବନେଶ୍ୱର ଫେରିବେ ।

ଏହି ଫାଣ୍ଟାସି ଫ୍ଲାଇଟ୍ ଭ୍ରମଣ ବ୍ୟବସ୍ଥା ଏହି ପିଲାମାନଙ୍କୁ ବେଶ୍ ଉତ୍ସାହିତ କରିବା ସହିତ ଏକ ନୂତନ ଅନୁଭୂତିର ସୁଯୋଗ ପ୍ରଦାନ କରିଛି ।

ରାଉଣ୍ଡ ଟେବୁଲ୍ ଇଣ୍ଡିଆର ଫାଣ୍ଟାସି ଫ୍ଲାଇଟ୍ ଏକ ସ୍ୱାଗତଯୋଗ୍ୟ ଉଦ୍ୟମ ଯାହା ଫଳରେ ବିଭିନ୍ନ ଅବହେଳିତ ଛାତ୍ରଛାତ୍ରୀମାନେ ଦେଶର ପ୍ରମୁଖ ସହରମାନଙ୍କୁ ବିମାନ ଯୋଗେ ବୁଲିବାର ସୁ୍ଯୋଗ ପାଇପାରୁଛନ୍ତି ।

ଏହି ସଂସ୍ଥା ପକ୍ଷରୁ ବିଗତବର୍ଷମାନଙ୍କରେ ଏହିଭଳି ପିଲାମାନଙ୍କୁ ହାଇଦ୍ରାବାଦ୍, କଲିକତା, ବିଶାଖାପାଟନମ୍ ତଥା ନୁଆଦିଲ୍ଲୀ ଆଦି ସହରମାନଙ୍କୁ ଭ୍ରମଣରେ ନିଆଯାଇଥିଲା ।

ସିରାଜୁଦିନ୍ ଏଣ୍ଡ୍ କୋ ଏବଂ ବିମାନ ସେବା କଂପାନୀ ଇଣ୍ଡିଗୋ ସହଯୋଗରେ ଏହି ବିମାନ ଭ୍ରମଣ ବ୍ୟବସ୍ଥାର ଆୟୋଜନ କରାଯାଇଛି । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଗତ ଦଶ ବର୍ଷ ମଧ୍ୟରେ ଫ୍ରିଡମ୍ ଫର୍ ଏଜୁକେଶନ୍ କାର୍ଯ୍ୟକ୍ରମ ଜରିଆରେ ରାଉଣ୍ଡ ଟେବୁଲ୍ ଇଣ୍ଡିଆ ପ୍ରାୟ ୧୫୦୦ ସ୍କୁଲ୍ ନିର୍ମାଣ କରିବା ସହିତ ଲକ୍ଷ ଲକ୍ଷ ପିଲାମାନଙ୍କୁ ସୁବିଧାସୁଯୋଗ ଯୋଗାଇ ଆସୁଛି ।

ଭୁବନେଶ୍ୱର ରାଉଣ୍ଡ ଟେବୁଲ୍ ତରଫରୁ ଅନେକ ସମାଜ ମଙ୍ଗଳକାରୀ ପଦକ୍ଷେପମାନ ନିଆଯାଇଆସୁଅଛି । ଏହି କ୍ରମରେ ଏହା ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ, ରାୱା ଏକାଡେମି, ବନ୍ୟା ରିଲିଫ କାର୍ଯ୍ୟକ୍ରମ, ବସ୍ତି ସ୍କୁଲ୍ ଇତ୍ୟାଦିକୁ ସହାୟତା ଯୋଗାଇ ଆସୁଛି ଏବଂ ଏହା ଦ୍ୱାରା ଭୁବନେଶ୍ୱର ଓ ନୟାଗଡଠାରେ ଦୁଇଟି ସ୍କୁଲ୍ ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ଓଡିଶା ଡଟ କମ

Exit mobile version