ଭୁବନେଶ୍ଵର, ଏପ୍ରିଲ ୧୮ (ଓଡିଶା ଡଟ୍ କମ୍) ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ତ୍ରୀ ଦାବିକରି ଜଣେ ମହିଳା ନବୀନ ନିବାସ ସାମନାରେ ପାଟିତୁଣ୍ଡ କରିଛନ୍ତି। ପରିସ୍ଥିତି ଏଭଳି ଅସମ୍ଭାଳ ହୋଇଛି ଯେ ଘଟଣାରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଛି ।
ସୁରକ୍ଷା କର୍ମୀ ତାଙ୍କୁ ବାରଣ କରିବାରୁ ସେ ସୁରକ୍ଷା କର୍ମୀଙ୍କୁ ଧମକ ଦେଇ କହିଲେ, ” ମୁ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ,ଆଜି ହେଉଛି ମୋ ଶ୍ଵଶୁରଙ୍କ ଶ୍ରାଦ୍ଧ, ମୋ ସ୍ଵାମୀଙ୍କ ସହ ମିଶି ଶ୍ରାଦ୍ଧ ଦେବି, ତିଳତର୍ପଣ କରିବି,ମୋତେ ଅଟକେଇବାକୁ ତୁମେ କିଏ ? ଭିତରକୁ ଛାଡିବା ନ ଏବେ ଦେଖିବ”?
ଦୈନିକ ସଂବାଦ ଖବରକାଗଜରେ ପ୍ରକାଶିତ ଏହି ଖବର ଅନୁସାରେ ଏହି ମହିଳା ଜଣକ ସାଙ୍ଗରେ ଅରୁଆ ଚାଉଳ ଓ ଶ୍ରାଦ୍ଧ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଆଣିଥିଲେ । ସେ ଏକ ହାଇସ୍କୁଲ ଦିଦି ପିନ୍ଧୁଥିବା ଶାଢୀ ପିନ୍ଧିଥିଲେ ।
ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ନଛାଡିବାରୁ ସେ ବହୁତ ପାଟିତୁଣ୍ଡ କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ପୁଲିସ ହାତରେ ଦେଇଦେଇଥିଲେ ।
ପୁଲିସ ପଚରାଉଚର କରିବା ପରେ ଜଣାପଡିଲା ଯେ, ଏହି ମହିଳା ଜଣକଙ୍କ ନାମ ରାଜଶ୍ରୀ ମହାନ୍ତି ଓ ସେ ବିବାହିତା। ଗତ କେତେବର୍ଷ ହେଲା ସ୍ଵାମୀଙ୍କ ସହ ତାଙ୍କର ଭଲ ସଂପର୍କ ନାହିଁ । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ଏହି ମହିଳା ଏକ ସରକାରୀ ସ୍କୁଲରେ ହିନ୍ଦୀ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ। ଏବେ ୟୁନିଟ୍ ୮ ର ଏକ ସ୍କୁଲରେ ସେ ହିନ୍ଦୀ ଶିକ୍ଷୟତ୍ରୀଭାବେ ଯୋଗ ଦେଇଛନ୍ତି ।
ମହିଳାଙ୍କ ଏଭଳି ଆଚରଣ ଦେଖି ସେ ଏକ ମାନସିକ ରୋଗୀ ହୋଇଥିବା ପୁଲିସ ସନ୍ଦେହକରି ତାଙ୍କୁ ଜଟଣୀ ସ୍ଥିତ ସର୍ଟ ଷ୍ଟେ ହୋମ ପଠାଇବା ବେଳେ ଉକ୍ତ ମହିଳାଙ୍କର ଭଉଣୀ ତାଙ୍କୁ ଛାଡିଦେବା ପାଇଁ ପୁଲିସ କୁ ନିବେଦନ କରିବାରୁ ପୁଲିସ ତାଙ୍କୁ ଛାଡି ଦେଇଥିଲା ।
ଓଡିଶା ଡଟ୍ କମ