• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜାନକୀ ବାବୁ ; ବ୍ୟକ୍ତିତ୍ୱ ଓ ନେତୃତ୍ୱ

April 22, 2015 by ନିଉଜ ଡେସ୍କ 2 Comments

କେଦାର ମିଶ୍ର

ଓଡିଶା ରାଜନୀତିରେ ଜାନକୀ ବଲ୍ଲଭ ପଟ୍ଟନାୟକ ବୋଧେ ସବୁଠୁ ଅଧିକ ବିତର୍କିତ ଓ ଚର୍ଚ୍ଚିତ ଚେହେରା । ୧୯୫୬ରୁ ୧୯୮୦ ଭିତରେ ଓଡିଶା ରାଜନୀତି ଯେଉଁ ଅସ୍ଥିରତା ଦେଇ ଗତି କରୁଥିଲା ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ସେହି ଅସ୍ଥିରତା ଦୂର ହେଲା ।

ପ୍ରଥମଥର ପାଇଁ ଓଡିଶାବାସୀ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲେ ଯେ ଲଗାତାର ୯ ବର୍ଷ ଧରି ଶାସନ ଗାଦିରେ ବସିଲେ । ତେବେ ଏହି ୯ ବର୍ଷ ଜାନକୀ ବାବୁଙ୍କ ପାଇଁ ସଫଳତା ଯେତିକି ଗଣମାଧ୍ୟମରେ ତାଙ୍କ ପ୍ରତି ନିନ୍ଦା ଓ ଅପବାଦ ମଧ୍ୟ ସେତିକି ।

ଓଡିଶା ରାଜନୀତିରେ ଗଣମାଧ୍ୟମ ଦ୍ୱାରା ସବୁଠୁ ଅଧିକ ସମାଲୋଚିତ ହୋଇଥିବା ନେତା ବୋଲି ଜାନକୀ ବାବୁଙ୍କୁ କୁହାଯାଇପାରେ । ତେଣୁ ଜାନକୀ ବାବୁଙ୍କ ମୃତ୍ୟୁରେ ଗୋଟିଏ ଯୁଗର ଅବସାନ ହେଲା ବୋଲି ତାଙ୍କର ପ୍ରଶଂସକମାନେ କହୁଥିବା ବେଳେ ତାଙ୍କ ନିନ୍ଦୁକମାନଙ୍କ ସଂଖ୍ୟା ଆଜି ମଧ୍ୟ କମ୍‍ ନୁହେଁ ।

ବ୍ୟକ୍ତିଗତ ଭାବରେ ଏହାକୁ ନେଇ ମୋର ଏକ ଅନୁଭବ ମୁଁ ଲେଖିବାକୁ ଚାହୁଁଛି । ୨୧ ଏପ୍ରିଲ୍‍ ସକାଳେ ଜାନକୀ ବାବୁଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଫେସ୍‍ବୁକ୍ ମୁଁ ଏକ ବାର୍ତ୍ତା ଲେଖିଥିଲି । ମୋ ପୋଷ୍ଟିଂ ଥିଲା ଏମିତି – ‘ମୁଁ ହେଉଛି ସେହି ଯୁବପୀଢ଼ିର ପ୍ରତିନିଧି ଯେ ଜାନକୀ ବାବୁଙ୍କୁ ସମାଲୋଚନା କରି ରାଜନୀତିକୁ ପ୍ରବେଶ କରିଛି ।

ସବୁ ପ୍ରକାର ରାଜନୈତିକ ପରିସରରେ ଆମେ ଜାନକୀ ବାବୁଙ୍କୁ ଗ୍ରହଣ କରିପାରିନୁ । ୮୦ ଦଶକରେ ଜାନକୀ ବାବୁଙ୍କ ଶାସନର ଭୁକ୍ତଭୋଗୀ ଭାବରେ ମୁଁ କହିପାରେ ଯେ ମୁଁ କେବେହେଲେ ଜାନକୀ ବାବୁଙ୍କ ରାଜନୀତି ଓ ଶାସନର ପ୍ରଶଂସକ ହୋଇପାରିବି ନାହିଁ । ମୁଁ ସବୁବେଳେ ତାଙ୍କର ଜଣେ ସମାଲୋଚକ ଥିଲି ଓ ରହିବି ।

ତେବେ ଏକଥା ମଧ୍ୟ ଆଜି କହିବାକୁ ପଡିବ ଯେ ଜାନକୀ ବାବୁ ହେଉଛନ୍ତି ଆମ ସମୟର ରାଜନୀତିରେ ସର୍ବଶ୍ରେଷ୍ଠ ଲେଖକ ଓ ଚିନ୍ତାନାୟକ । ସେ ଥିଲେ ଓଡିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ ଯେ ଓଡିଆ ଲୋକଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ଜୀବନବୋଧ ସହ ଅଙ୍ଗାଙ୍ଗୀ ଭାବରେ ଜଡିତ ଥିଲେ । ଆମେ କହୁଥିଲୁ ସେ ବେଶ୍‍ ଦୁର୍ନୀତିଖୋର୍‍ । ତେବେ ଗତ ୧୫ ବର୍ଷର ବିଜେଡି ଶାସନର ଦୁର୍ନୀତି ଦେଖିଲା ପରେ ଆଜି ଲାଗୁଛି ଜାନକୀ ବାବୁ ଢ଼େର୍‍ ଭଲ ମୁଖ୍ୟମନ୍ତ୍ରୀ ।

ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଜାନକୀ ବାବୁଙ୍କ ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ପରିମାଣ ନବୀନ ସରକାର ତୁଳନାରେ ଯଥେଷ୍ଟ କମ୍‍ ।’ ଏହି ବକ୍ତବ୍ୟକୁ ନେଇ ମୋର କିଛି ବନ୍ଧୁ ଏତେ କ୍ଷୁବ୍ଧ ଯେ ସେମାନେ ମୋ ସହ ଝଗଡା କରିବାକୁ ମଧ୍ୟ ପ୍ରସ୍ତୁତ ।

ଗତ ୧୫ ବର୍ଷ ଧରି ଆମେ ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରୁଛୁ ଯେ ଲୋକଙ୍କ ଭାଷା ବୁଝନ୍ତି ନାହିଁ, ଲୋକଙ୍କ ସହ ମିଶନ୍ତି ନାହିଁ, ଲୋକଙ୍କ ପାଖକୁ ଯାଆନ୍ତି ନାହିଁ ; ତଥାପି ଆମ ଲୋକେ ତାଙ୍କୁ ଭଲପାଆନ୍ତି ।

ତେବେ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ତାଙ୍କୁ ଭଲ ପାଆନ୍ତି ତାହା ମଧ୍ୟ ନୁହେଁ । ଭ୍ରଷ୍ଟାଚାର ଓ ଦୁର୍ନୀତି ପ୍ରସଙ୍ଗରେ ଉଭୟ ଜାନକୀ ଓ ନବୀନ ସରକାର ସମାନ ଭାବରେ ସମାଲୋଚିତ । ତେବେ ୮୦ ଦଶକରେ ଓଡିଶା ଓ ଆଜିର ଓଡିଶା ଭିତରେ ଯଥେଷ୍ଟ ଫରକ ଅଛି ।

ସେତେବେଳେ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ସମାଲୋଚନା କରୁଥିବା ବେଳେ ଆଜି ଶାସକ ଦଳର ପରୋକ୍ଷ ନିୟନ୍ତ୍ରଣରେ ଗଣମାଧ୍ୟମ ପରିଚାଳିତ ହେଉଛି । ଜାନକୀ ବାବୁଙ୍କୁ ସେତେବେଳେ ଓଡିଶାର ଦୁଇଟି ପ୍ରମୁଖ ଖବରକାଗଜ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ ପ୍ରଚୁର ଆକ୍ରମଣ କରିଥିଲେ ।

ନିରନ୍ତର ଓ ନିୟମିତ ଭାବରେ ଜେବିଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଛି । ସେଥିପାଇଁ ସେତେବେଳେ ଓଡିଆ ସାମ୍ବାଦିକତା କ୍ଷେତ୍ରରେ ଜାନକୀ ସପକ୍ଷବାଦୀ ଓ ବିପକ୍ଷବାଦୀ ଦୁଇଟି ସାମ୍ବାଦିକ ଗୋଷ୍ଠୀ ମଧ୍ୟ ତିଆରି ହୋଇଥିଲେ । ବିରୋଧୀ ଦଳ ଅପେକ୍ଷା ଗଣମାଧ୍ୟମ ଥିଲା ଜାନକୀଙ୍କ ପାଇଁ ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ।

ସେଥିପାଇଁ ଗଣମାଧ୍ୟମର ସେ ଦୀର୍ଘ ବର୍ଷ ଧରି ନିନ୍ଦିତ ନାୟକ ଭାବରେ ଚିତ୍ରିତ ହୋଇଥିଲେ । ତେବେ ତାଙ୍କର ନେତୃତ୍ୱର ପରାକାଷ୍ଠା ଏହାରି ମାଧ୍ୟମରେ ହିଁ ପ୍ରକଟିତ ହୋଇଛି । ସବୁପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିଜକୁ ଜାହିର୍‍ କରିବାର ରାଜନୈତିକ କୌଶଳ ଜାନକୀ ବାବୁଙ୍କୁ ଜଣାଥିଲା । ନିଜ ବିରୋଧୀଙ୍କୁ ସାମ୍ନା କରିବାର ଚତୁରତା ଓ ଗୋଟି ଚାଳନାରେ ତାଙ୍କର ସମକକ୍ଷ ଓଡିଆ ରାଜନେତା ନାହାନ୍ତି ।

ଜଣେ ଲେଖକ ଭାବରେ ସେ ଭାଷାକୁ ରାଜନୀତିରେ ପ୍ରୟୋଗ କରିବାର ଓ ରାଜନୀତିକୁ ସାହିତ୍ୟରେ ଉପଯୋଗ କରିବାର କୌଶଳ ଜାଣିଥିଲେ । ସାମ୍ବାଦିକତା, ସାହିତ୍ୟ, ଅନୁବାଦ, ରାଜନୀତି, ପ୍ରଶାସନ, ସଙ୍ଗଠନ ଓ ଗବେଷଣା ଭଳି ଭିନ୍ନ ଭିନ୍ନ କ୍ଷେତ୍ରରେ ତାଙ୍କର ସଫଳ ପ୍ରବେଶ ଥିଲା । ଜାନକୀ ବାବୁ ଅତ୍ୟନ୍ତ ଜ୍ଞାନୀ ଓ ସର୍ଜନଶୀଳ । ସେହିପରି ରାଜନୀତିରେ ଭୀଷଣ କୁଶଳୀ ଓ ନିଜ ବିରୋଧୀଙ୍କୁ ହଲାପଟା କରିବାର କଳାରେ ବେଶ୍‍ ମାହିର୍‍ ।

ତାଙ୍କର ରାଜନୈତିକ ପ୍ରତିପକ୍ଷ ଭାବରେ ବିଜୁ ପଟ୍ଟନାୟକ ବ୍ୟକ୍ତିତ୍ୱ ଦୃଷ୍ଟିରୁ ଯଥେଷ୍ଟ ଡେଙ୍ଗା । ତେବେ ବିଜୁ ବାବୁ ରାଜନୀତିରେ ଚତୁର ଓ କୁଶଳୀ ନୁହନ୍ତି । ସେଥିଲାଗି ସବୁପ୍ରକାର ପ୍ରତିଭା ସତ୍ତ୍ୱେ ବିଜୁ ବାବୁ ଓଡିଶାରେ ମାତ୍ର ୬ ବର୍ଷର ମୁଖ୍ୟମନ୍ତ୍ରୀ । ଜାନକୀ ବାବୁ କିନ୍ତୁ ବିଜୁ ବାବୁଙ୍କ ବିପରୀତ ।

ବିଜୁ ବାବୁ ‘ଝଡର ଇଗଲ୍‍’ ହେଲେ ଜାନକୀ ବାବୁ ‘ଧରଣୀର କୃଷ୍ଣସାର’ । ତାଙ୍କୁ ଉଡିବାର କେହି ଦେଖିନାହିଁ, ହେଲେ ବହୁ ବଡବଡ ଦ୍ରୁମଙ୍କୁ ରାଜନୀତିରେ ସେ ଉଡାଇ ଦେଇଛନ୍ତି । ବହୁ ପ୍ରତିକୂଳ ରାଜନୈତିକ ପରିସ୍ଥିତିକୁ ସାମ୍ନା କରି ସେ ନିଜର ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିଛନ୍ତି ।

ଆଜି ଯେତେବେଳେ ଅଣଓଡିଆ ଜୀବନବୋଧ ଆମ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି ସେତେବେଳେ ଜାନକୀ ବାବୁଙ୍କ କଥା ଓ ତାଙ୍କ ନେତୃତ୍ୱର ପ୍ରାସଙ୍ଗିକତା ଅଧିକ ଉପଯୋଗୀ । ଜାନକୀ ବାବୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ପ୍ରାଣବନ୍ତ ରାଜନୀତି କରିଥିବା ଶେଷତମ ଦିଗପାଳ ।

ଫୋନ୍‍ : ୯୪୩୭୧୫୪୪୪୫

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଓଡିଶା, ଗଣମାଧ୍ୟମ, ଜାନକୀ ବଲ୍ଲଭ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ

Reader Interactions

Comments

  1. sarbeswar padhan says

    April 22, 2015 at 10:28 am

    କେଦାର ବାବୁ ଆପଣଙ୍କ ଲେଖା ନିହାତି ଭାବରେ ବିଚାର ଆଲୋଚନାର ବିଷୟ | ଜଣେ ମହାନ ରାଜନେତା ଙ୍କ ବିଷୟରେ ଅନେକ ଲୋକ ଅନେକ କଥା କହୁଛନ୍ତି | ସମସ୍ତ ଯୁଗାନ୍ତକାରୀ ବ୍ୟକ୍ତିତ୍ଵ ପକ୍ଷରେ ଭଲ ଖରାପ ରହିଥାଏ |ମାତ୍ର ଜାନକୀ ବାବୁଙ୍କ ପରି ଧୂରୀଣ ରାଜନେତା ବି ଓଡିଶା କୁ ପ୍ରକୃତରେ ବୁଝିପାରିଲେନି | ସାହିତ୍ୟ , ସଂସ୍କୃତି ମାଧ୍ୟମରେ ଯେତେବୁଝିଲେ ବି ସାମାଜିକ ଓ ଆର୍ଥିକ ସ୍ଥିତି କୁ ସୁଦୃଢ କରିପାରିଲେନି | ସ୍ବାଭିମାନୀ ଓଡିଆ ହିସାବରେ, ଓଡିଶାର କୌଣସି ରାଜନେତା ଓଡିଶାର ଜାତୀୟ ପରିଚୟ ସୃଷ୍ଟିକରିପାରି ନାହାନ୍ତି | ରାଜ୍ୟକୁ ସୁଦୃଢ କରିବାରେ ଜଣେ ମୁଖ୍ୟମନ୍ତ୍ରୀ ଙ୍କ ଭୂମିକା ବହୁତ,ମାତ୍ର ଓଡିଶାର ସମସ୍ତ ରାଜନେତା ବିଜୁ ବାବୁ ଠୁ ନେଇ ନବୀନ ବାବୁ ଓ ଏପରିକି ଜାନକୀ ବାବୁ ମଧ୍ୟ ଏ ସ୍ରୋତର ଉର୍ଦ୍ଧରେ କେବେ ନଥିଲେ |

    Reply
  2. Rudranarayan Das says

    April 23, 2015 at 2:46 am

    One of the best analysis on Janaki Babu. ..

    Reply

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version