Site icon Odisha.com

ବିଜୁ-ଜାନକୀ ସାମଞ୍ଜସ୍ୟ (ସୌଜନ୍ୟ: ସମ୍ବାଦ)

ସେ ଥିଲେ ଝଡର ଇଗଲ୍, ମାଟିର ମୂର୍ତ୍ତିକାର । ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ବେଳେ ଏମିତି ପ୍ରତିକ୍ରିୟା ରଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ରାଜନୀତିଜ୍ଞ ଜାନକୀ ବଲ୍ଲଭ ପଟ୍ଟନାୟକ ।

ଏଭଳି ଏକ ପ୍ରତିକ୍ରିୟା କେଇ ମୂହୁର୍ତ୍ତ ମଧ୍ୟରେ ଯୋଡି ଦେଇଥିଲା ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ଵନ୍ଦୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କୁ। ଉଭୟଙ୍କ ମୃତ୍ୟୁର ଘଟଣା କ୍ରମରେ ଥିବା ସାମଞ୍ଜସ୍ୟ ଆଜି ପୁଣି ଠାରେ ଗୁଞ୍ଜରିତ ହୋଇଛି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୃତ୍ୟୁପରେ ।

ବିଜୁ ପଟ୍ଟନାୟକଙ୍କ ମହାପ୍ରୟାଣ ଘଟିଥିଲା ୧୯୯୭ ମସିହା ଏପ୍ରିଲ ମାସରେ । ସେହି ଏପ୍ରିଲ ରେ ହିଁ ଆରପାରିକୁ ଚାଲିଗଲେ ଜାନକୀ ବଲ୍ଲଭ ।

ସୁଦଶାବ୍ରତ ଭଳି ପବିତ୍ର ତିଥିରେ ମୃତ୍ୟୁକୁ ସାମ୍ନା କରିଥିଲେ ବିଜୁ ବାବୁ। ପବିତ୍ର ଅକ୍ଷୟତୃତୀୟାରେ ମୃତ୍ୟୁକୁ ଭେଟିଛନ୍ତି ଜାନକୀ ବଲ୍ଲଭ ।

ବିଜୁ ବାବୁ ଓ ଜାନକୀ ବଲ୍ଲଭ ମୃତ୍ୟୁ ବେଳକୁ ନିଜର କର୍ମ ଭୂମି ଓଡିଶା ଠାରୁ ଥିଲେ ଦୂରରେ । ବିଜୁ ବାବୁଙ୍କ ପ୍ରାଣ ବାୟୁ ଯାଇଥିଲା ନୂଆଦିଲ୍ଲୀରେ ଏବଂ ଜାନକୀବଲ୍ଲଭଙ୍କର ତିରୁପତିରେ ।

ଉଭୟଙ୍କ କର୍ମଭୂମି ଥିଲା କଟକ ଓ ଉଭୟଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା କଂଗ୍ରେସ ଦଳରୁ । ହେଲେ ବିଜୁବାବୁ କଂଗ୍ରେସ ଛାଡି ଚାଲିଯାଇଥିଲେ,ମାତ୍ର ଜାନକୀବଲ୍ଲଭ ଶେଷ ପର୍ଯ୍ୟନ୍ତ ରହିଥିଲେ କଂଗ୍ରେସରେ ।

କେବଳ ସେତିକି ନୁହେଁ,୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁବେଳେ ସାତ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ସଂମ୍ପର୍କରେ ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ।

ଆଉ ଆଜି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୃତ୍ୟୁରେ ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ବିଜୁବାବୁଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁଠାରୁ ବଡକଥା ହେଉଛି, ଶ୍ରୀ ଜଗନ୍ନାଥ ସଡକରେ ବିଜୁଙ୍କ ଶେଷ ଶୋଭାଯାତ୍ରା ଯାଇ ପହଞ୍ଚିଥିଲା ପୁରୀରେ ଓ ସ୍ଵର୍ଗଦ୍ଵାରରେ ହିଁ ବିଲୀନ ହୋଇଯାଇଥିଲା ତାଙ୍କ ପ୍ରାଣ।

ଜାନକୀବଲ୍ଲଭଙ୍କ ପାଇଁ ଶେଷ ଶୋଭାଯାତ୍ରା ନୂଆ ଜଗନ୍ନାଥ ସଡକ ଦେଇ ପହଞ୍ଚିବ ପୁରୀରେ ଓ ଆସନ୍ତାକାଲି ତାଙ୍କର ପାର୍ଥିବ ଶରୀର ବିଶ୍ରାମ ନେବ ସେହି ସ୍ଵର୍ଗଦ୍ଵାରରେ ।

( ସୌଜନ୍ୟ: ସମ୍ବାଦ ୨୨ ଏପ୍ରିଲ ୨୦୧୫)

Exit mobile version