Site icon Odisha.com

ଜାନକୀ ବାବୁ ; ବ୍ୟକ୍ତିତ୍ୱ ଓ ନେତୃତ୍ୱ

କେଦାର ମିଶ୍ର

ଓଡିଶା ରାଜନୀତିରେ ଜାନକୀ ବଲ୍ଲଭ ପଟ୍ଟନାୟକ ବୋଧେ ସବୁଠୁ ଅଧିକ ବିତର୍କିତ ଓ ଚର୍ଚ୍ଚିତ ଚେହେରା । ୧୯୫୬ରୁ ୧୯୮୦ ଭିତରେ ଓଡିଶା ରାଜନୀତି ଯେଉଁ ଅସ୍ଥିରତା ଦେଇ ଗତି କରୁଥିଲା ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ସେହି ଅସ୍ଥିରତା ଦୂର ହେଲା ।

ପ୍ରଥମଥର ପାଇଁ ଓଡିଶାବାସୀ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲେ ଯେ ଲଗାତାର ୯ ବର୍ଷ ଧରି ଶାସନ ଗାଦିରେ ବସିଲେ । ତେବେ ଏହି ୯ ବର୍ଷ ଜାନକୀ ବାବୁଙ୍କ ପାଇଁ ସଫଳତା ଯେତିକି ଗଣମାଧ୍ୟମରେ ତାଙ୍କ ପ୍ରତି ନିନ୍ଦା ଓ ଅପବାଦ ମଧ୍ୟ ସେତିକି ।

ଓଡିଶା ରାଜନୀତିରେ ଗଣମାଧ୍ୟମ ଦ୍ୱାରା ସବୁଠୁ ଅଧିକ ସମାଲୋଚିତ ହୋଇଥିବା ନେତା ବୋଲି ଜାନକୀ ବାବୁଙ୍କୁ କୁହାଯାଇପାରେ । ତେଣୁ ଜାନକୀ ବାବୁଙ୍କ ମୃତ୍ୟୁରେ ଗୋଟିଏ ଯୁଗର ଅବସାନ ହେଲା ବୋଲି ତାଙ୍କର ପ୍ରଶଂସକମାନେ କହୁଥିବା ବେଳେ ତାଙ୍କ ନିନ୍ଦୁକମାନଙ୍କ ସଂଖ୍ୟା ଆଜି ମଧ୍ୟ କମ୍‍ ନୁହେଁ ।

ବ୍ୟକ୍ତିଗତ ଭାବରେ ଏହାକୁ ନେଇ ମୋର ଏକ ଅନୁଭବ ମୁଁ ଲେଖିବାକୁ ଚାହୁଁଛି । ୨୧ ଏପ୍ରିଲ୍‍ ସକାଳେ ଜାନକୀ ବାବୁଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଫେସ୍‍ବୁକ୍ ମୁଁ ଏକ ବାର୍ତ୍ତା ଲେଖିଥିଲି । ମୋ ପୋଷ୍ଟିଂ ଥିଲା ଏମିତି – ‘ମୁଁ ହେଉଛି ସେହି ଯୁବପୀଢ଼ିର ପ୍ରତିନିଧି ଯେ ଜାନକୀ ବାବୁଙ୍କୁ ସମାଲୋଚନା କରି ରାଜନୀତିକୁ ପ୍ରବେଶ କରିଛି ।

ସବୁ ପ୍ରକାର ରାଜନୈତିକ ପରିସରରେ ଆମେ ଜାନକୀ ବାବୁଙ୍କୁ ଗ୍ରହଣ କରିପାରିନୁ । ୮୦ ଦଶକରେ ଜାନକୀ ବାବୁଙ୍କ ଶାସନର ଭୁକ୍ତଭୋଗୀ ଭାବରେ ମୁଁ କହିପାରେ ଯେ ମୁଁ କେବେହେଲେ ଜାନକୀ ବାବୁଙ୍କ ରାଜନୀତି ଓ ଶାସନର ପ୍ରଶଂସକ ହୋଇପାରିବି ନାହିଁ । ମୁଁ ସବୁବେଳେ ତାଙ୍କର ଜଣେ ସମାଲୋଚକ ଥିଲି ଓ ରହିବି ।

ତେବେ ଏକଥା ମଧ୍ୟ ଆଜି କହିବାକୁ ପଡିବ ଯେ ଜାନକୀ ବାବୁ ହେଉଛନ୍ତି ଆମ ସମୟର ରାଜନୀତିରେ ସର୍ବଶ୍ରେଷ୍ଠ ଲେଖକ ଓ ଚିନ୍ତାନାୟକ । ସେ ଥିଲେ ଓଡିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ ଯେ ଓଡିଆ ଲୋକଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ଜୀବନବୋଧ ସହ ଅଙ୍ଗାଙ୍ଗୀ ଭାବରେ ଜଡିତ ଥିଲେ । ଆମେ କହୁଥିଲୁ ସେ ବେଶ୍‍ ଦୁର୍ନୀତିଖୋର୍‍ । ତେବେ ଗତ ୧୫ ବର୍ଷର ବିଜେଡି ଶାସନର ଦୁର୍ନୀତି ଦେଖିଲା ପରେ ଆଜି ଲାଗୁଛି ଜାନକୀ ବାବୁ ଢ଼େର୍‍ ଭଲ ମୁଖ୍ୟମନ୍ତ୍ରୀ ।

ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଜାନକୀ ବାବୁଙ୍କ ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ପରିମାଣ ନବୀନ ସରକାର ତୁଳନାରେ ଯଥେଷ୍ଟ କମ୍‍ ।’ ଏହି ବକ୍ତବ୍ୟକୁ ନେଇ ମୋର କିଛି ବନ୍ଧୁ ଏତେ କ୍ଷୁବ୍ଧ ଯେ ସେମାନେ ମୋ ସହ ଝଗଡା କରିବାକୁ ମଧ୍ୟ ପ୍ରସ୍ତୁତ ।

ଗତ ୧୫ ବର୍ଷ ଧରି ଆମେ ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରୁଛୁ ଯେ ଲୋକଙ୍କ ଭାଷା ବୁଝନ୍ତି ନାହିଁ, ଲୋକଙ୍କ ସହ ମିଶନ୍ତି ନାହିଁ, ଲୋକଙ୍କ ପାଖକୁ ଯାଆନ୍ତି ନାହିଁ ; ତଥାପି ଆମ ଲୋକେ ତାଙ୍କୁ ଭଲପାଆନ୍ତି ।

ତେବେ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ତାଙ୍କୁ ଭଲ ପାଆନ୍ତି ତାହା ମଧ୍ୟ ନୁହେଁ । ଭ୍ରଷ୍ଟାଚାର ଓ ଦୁର୍ନୀତି ପ୍ରସଙ୍ଗରେ ଉଭୟ ଜାନକୀ ଓ ନବୀନ ସରକାର ସମାନ ଭାବରେ ସମାଲୋଚିତ । ତେବେ ୮୦ ଦଶକରେ ଓଡିଶା ଓ ଆଜିର ଓଡିଶା ଭିତରେ ଯଥେଷ୍ଟ ଫରକ ଅଛି ।

ସେତେବେଳେ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ସମାଲୋଚନା କରୁଥିବା ବେଳେ ଆଜି ଶାସକ ଦଳର ପରୋକ୍ଷ ନିୟନ୍ତ୍ରଣରେ ଗଣମାଧ୍ୟମ ପରିଚାଳିତ ହେଉଛି । ଜାନକୀ ବାବୁଙ୍କୁ ସେତେବେଳେ ଓଡିଶାର ଦୁଇଟି ପ୍ରମୁଖ ଖବରକାଗଜ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ ପ୍ରଚୁର ଆକ୍ରମଣ କରିଥିଲେ ।

ନିରନ୍ତର ଓ ନିୟମିତ ଭାବରେ ଜେବିଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଛି । ସେଥିପାଇଁ ସେତେବେଳେ ଓଡିଆ ସାମ୍ବାଦିକତା କ୍ଷେତ୍ରରେ ଜାନକୀ ସପକ୍ଷବାଦୀ ଓ ବିପକ୍ଷବାଦୀ ଦୁଇଟି ସାମ୍ବାଦିକ ଗୋଷ୍ଠୀ ମଧ୍ୟ ତିଆରି ହୋଇଥିଲେ । ବିରୋଧୀ ଦଳ ଅପେକ୍ଷା ଗଣମାଧ୍ୟମ ଥିଲା ଜାନକୀଙ୍କ ପାଇଁ ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ।

ସେଥିପାଇଁ ଗଣମାଧ୍ୟମର ସେ ଦୀର୍ଘ ବର୍ଷ ଧରି ନିନ୍ଦିତ ନାୟକ ଭାବରେ ଚିତ୍ରିତ ହୋଇଥିଲେ । ତେବେ ତାଙ୍କର ନେତୃତ୍ୱର ପରାକାଷ୍ଠା ଏହାରି ମାଧ୍ୟମରେ ହିଁ ପ୍ରକଟିତ ହୋଇଛି । ସବୁପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିଜକୁ ଜାହିର୍‍ କରିବାର ରାଜନୈତିକ କୌଶଳ ଜାନକୀ ବାବୁଙ୍କୁ ଜଣାଥିଲା । ନିଜ ବିରୋଧୀଙ୍କୁ ସାମ୍ନା କରିବାର ଚତୁରତା ଓ ଗୋଟି ଚାଳନାରେ ତାଙ୍କର ସମକକ୍ଷ ଓଡିଆ ରାଜନେତା ନାହାନ୍ତି ।

ଜଣେ ଲେଖକ ଭାବରେ ସେ ଭାଷାକୁ ରାଜନୀତିରେ ପ୍ରୟୋଗ କରିବାର ଓ ରାଜନୀତିକୁ ସାହିତ୍ୟରେ ଉପଯୋଗ କରିବାର କୌଶଳ ଜାଣିଥିଲେ । ସାମ୍ବାଦିକତା, ସାହିତ୍ୟ, ଅନୁବାଦ, ରାଜନୀତି, ପ୍ରଶାସନ, ସଙ୍ଗଠନ ଓ ଗବେଷଣା ଭଳି ଭିନ୍ନ ଭିନ୍ନ କ୍ଷେତ୍ରରେ ତାଙ୍କର ସଫଳ ପ୍ରବେଶ ଥିଲା । ଜାନକୀ ବାବୁ ଅତ୍ୟନ୍ତ ଜ୍ଞାନୀ ଓ ସର୍ଜନଶୀଳ । ସେହିପରି ରାଜନୀତିରେ ଭୀଷଣ କୁଶଳୀ ଓ ନିଜ ବିରୋଧୀଙ୍କୁ ହଲାପଟା କରିବାର କଳାରେ ବେଶ୍‍ ମାହିର୍‍ ।

ତାଙ୍କର ରାଜନୈତିକ ପ୍ରତିପକ୍ଷ ଭାବରେ ବିଜୁ ପଟ୍ଟନାୟକ ବ୍ୟକ୍ତିତ୍ୱ ଦୃଷ୍ଟିରୁ ଯଥେଷ୍ଟ ଡେଙ୍ଗା । ତେବେ ବିଜୁ ବାବୁ ରାଜନୀତିରେ ଚତୁର ଓ କୁଶଳୀ ନୁହନ୍ତି । ସେଥିଲାଗି ସବୁପ୍ରକାର ପ୍ରତିଭା ସତ୍ତ୍ୱେ ବିଜୁ ବାବୁ ଓଡିଶାରେ ମାତ୍ର ୬ ବର୍ଷର ମୁଖ୍ୟମନ୍ତ୍ରୀ । ଜାନକୀ ବାବୁ କିନ୍ତୁ ବିଜୁ ବାବୁଙ୍କ ବିପରୀତ ।

ବିଜୁ ବାବୁ ‘ଝଡର ଇଗଲ୍‍’ ହେଲେ ଜାନକୀ ବାବୁ ‘ଧରଣୀର କୃଷ୍ଣସାର’ । ତାଙ୍କୁ ଉଡିବାର କେହି ଦେଖିନାହିଁ, ହେଲେ ବହୁ ବଡବଡ ଦ୍ରୁମଙ୍କୁ ରାଜନୀତିରେ ସେ ଉଡାଇ ଦେଇଛନ୍ତି । ବହୁ ପ୍ରତିକୂଳ ରାଜନୈତିକ ପରିସ୍ଥିତିକୁ ସାମ୍ନା କରି ସେ ନିଜର ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିଛନ୍ତି ।

ଆଜି ଯେତେବେଳେ ଅଣଓଡିଆ ଜୀବନବୋଧ ଆମ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି ସେତେବେଳେ ଜାନକୀ ବାବୁଙ୍କ କଥା ଓ ତାଙ୍କ ନେତୃତ୍ୱର ପ୍ରାସଙ୍ଗିକତା ଅଧିକ ଉପଯୋଗୀ । ଜାନକୀ ବାବୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ପ୍ରାଣବନ୍ତ ରାଜନୀତି କରିଥିବା ଶେଷତମ ଦିଗପାଳ ।

ଫୋନ୍‍ : ୯୪୩୭୧୫୪୪୪୫

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Exit mobile version