Site icon Odisha.com

ମଧୁସୂଦନ ସୋସାଇଟି ଦ୍ଵାରା ମଧୁବାବୁ ଜୟନ୍ତୀ ପାଳନ

ଭୁବନେଶ୍ୱର, ଏପ୍ରିଲ ୨୯ (ଓଡିଶା ଡଟ କମ) ମଧୁସୂଦନ ମଲଟିପରପୋଜ କୋ-ଅପରେଟିଭ ସୋସାଇଟି ଲିମିଟେଡ ତରଫରୁ ଉତ୍କଳ ଗୌରବ ମଧୁ ବାବୁଙ୍କ ଜୟନ୍ତୀ ସ୍ଥାନୀୟ ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପାଳନ କରାଯାଇଛି ।

ଏହି ଉତ୍ସବରେ ମୁଖ୍ୟବକ୍ତା ସମାଜସଂସ୍କାରକ ତଥା ସୋସାଇଟିର ବୋର୍ଡ ଅଫ ଡାଇରେକ୍ଟର ଶ୍ରୀ ଘନଶ୍ୟାମ ମହାପାତ୍ର ମଧୁ ବାବୁଙ୍କ ବିଷୟରେ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିବା ସହ କହିଥିଲେ ଯେ, ମଧୁ ବାବୁ  ସର୍ବଦା ରାଷ୍ଟ୍ରୀୟ କାର୍ଯ୍ୟ କରୁଥିଲେ ।

ଓଡିଶାର ପାରମ୍ପରିକ କାର୍ଯ୍ୟ ଗୁଡିକୁ ଯଥା-ତାରକସି କାମ,ଶିଙ୍ଘ କାମ, ତନ୍ତ୍ରକାମ ତଥା ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱାବଲମ୍ବୀ ଭାରତର ନିଦର୍ଶନ ଉତ୍କଳ ଟ୍ୟାନେରୀ ଯୋତା କାରଖାନାରେ ନିର୍ମିତ ହେଉଥିବା ଯୋତାର ମାନ ଇତ୍ୟାଦିର ଉତ୍କର୍ଷକୁ ଓଡିଶାର ମାନ ବଢାଇବା ପାଇଁ ପରିବ୍ୟାପ୍ତ କରିଥିଲେ ।

ସ୍ୱୟଂ ମହାତ୍ମା ଗାନ୍ଧୀ ଏହାକୁ ପରିଦର୍ଶନ କରି ଅଭିଭୂତ ହୋଇଥିଲେ । ତାଙ୍କରି ଦ୍ୱାରା ଉତ୍କଳୀୟ ମାନଙ୍କୁ ସଂଗଠିତ କରିବା ପାଇଁ ‘ଉତ୍କଳ ସମ୍ମିଳନୀ’ ତିଆରି ହୋଇଥିଲା । ଯାହାର ଲକ୍ଷ୍ୟ ଥିଲା ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ଓ ଓଡିଶା ଲୋକଙ୍କର ସାମୁହିକ ଉତ୍ଥାନ ।

ସେ ଭାରତର ତୃତୀୟ ବ୍ୟକ୍ତି ଥିଲେ ଯିଏକି ସେ ସମୟରେ ଇଂଲଣ୍ଡର ସିନେଟରେ ଭାଷଣ ଦେଇଥିଲେ । ସେ ଓଡିଶାର ପ୍ରଥମ ସ୍ନାତକ, ସ୍ନାତକୋତ୍ତୋର,ବାରିଷ୍ଟର, ମନ୍ତ୍ରୀ, ବିଲାତ ଗସ୍ତ କରିଥିବା ବିଶିଷ୍ଟ ବ୍ୟକ୍ତି ରୂପେ ପ୍ରଦେଶର ବିକାଶରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥିଲେ ।

ଇଂଲଣ୍ଡରୁ କୋ-ଅପରେଟିଭ ବିଷୟରେ ଜାଣିକରି ଫେରିବା ପରେ ୧୮୯୮ ମସିହାରେ ଭାରତ ବର୍ଷର ପ୍ରଥମକରି ଏକ କୋ-ଅପରେଟିଭ ୟୁନିଟ ‘କଟକ ଷ୍ଟୋର’ ନାମରେ ପ୍ରାରମ୍ଭ କରିଥିଲେ । ଏଥିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଶ୍ରୀ ଜାନକୀ ବଲ୍ଲଭ ବୋଷ ପରିଚାଳକ ଥିଲେ ।

ସେହି ସମୟରେ କୋ-ଅପରେଟିଭିର କୌଣସି ନିୟମ କାନୁନ ଭାରତ ବର୍ଷରେ ପ୍ରାରମ୍ଭ ହୋଇନଥିଲା । ଏଣୁ ସେହି ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଅନୁସାରେ ମଧୁସୂଦନ ମଲ୍ଟିପରର୍ପୋଜ କୋ-ଅପରେଟିଭ ସୋସାଇଟି ଲିମିଟେଡ ରଖାଯାଇଛି । ଶେଷରେ ଶ୍ରୀ ମହାପାତ୍ର କହିଥିଲେ ଯେ, ସେ କେବଳ ଉତ୍କଳ ଗୌରବ ନଥିଲେ, ପ୍ରକୃତରେ ଭାରତ ଗୌରବ, ସ୍ୱାଭିମାନି, ଦେଶଭକ୍ତ ଓ ସମାଜ ସଂସ୍କାରକ ରୂପେ ଚିରସ୍ମରଣୀୟ ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ବ୍ରହ୍ମଚାରୀ ବେହେରା ମୁଖ୍ୟ ଅତିଥିରୂପେ ଯୋଗଦେଇଥିବା ବେଳେ ବ୍ରହ୍ମାନନ୍ଦ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ସଂଗଠନ ମନ୍ତ୍ରରେ ପ୍ରାରମ୍ଭ ହୋଇ ସର୍ବେ ଭବନ୍ତୁ ସୁଖିନଃ… ମନ୍ତ୍ରରେ ଶେଷ ହୋଇଥିଲା ।

ଓଡିଶା ଡଟ କମ

Exit mobile version