Site icon Odisha.com

ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ଚିହ୍ନଟ

ଭୁବନେଶ୍ଵର ଏପ୍ରିଲ ୨୯ (ଓଡିଶା ଡଟ କମ) ଚଳିତ ବର୍ଷ ପୁରୀରେ ହେବାକୁ ଥିବା ନବ କଳେବର ପାଇଁ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଦାରୁ ଚିହ୍ନଟ ସରିଥିବା ବେଳେ ବୁଧବାର ମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷ ଜଗତସିଂପୁରରେ ଠାବ ହୋଇଥିବା ଘୋଷଣା ପରେ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି ।

ବନଯାଗ ଯାତ୍ରୀଙ୍କ ଦଳପତି ହଳଧର ଦାସ ମହାପାତ୍ର ଶ୍ରୀ ଜଗନ୍ନାଥଙ୍କ ଦାରୁକୁ ମଙ୍ଗଳବାର ବିଳମ୍ବିତ ରାତିରେ ରଘୁନାଥପୁର ବ୍ଲକର ଖରିପଡିଆ ଗାଁରେ ଚିହ୍ନଟ କରି ଜଣାଇବାପରେ ସେଠାରେ ବ୍ୟାପକ ଜନ ସମାଗମ ଆଶଙ୍କା କରି ପୁଲିସ ମୁତୟନ କରାଯାଇଥିବା ସେ କହିଛନ୍ତି ।

ଦଳପତି ହଳଧର ଦାସ ମହାପାତ୍ର କହିଛନ୍ତି ଯେ ସେ ପୂର୍ବରୁ ଦୁଇ ଥର ନବକଳେବରରେ ଅଂଶଗ୍ରହଣ କରିଛନ୍ତି ହେଲେ କେବେ ବି ଏତେ ସହଜରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ମିଳେ ନାହି। କିନ୍ତୁ ଏହିଥର ଅତି ସହଜରେ ଦାରୁ ଚିହ୍ନଟ କରାଯାଇପାରିଥିଲା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ଚିହ୍ନିବାର ସଂକେତ ହେଉଛି ଦାରୁ କଳା ବା ଇଷତ କଳା ହୋଇଥିବ,ଏହାର ଗଣ୍ଡି ସିଧା ଏବଂ ଉଚ୍ଚତା ୭ ହାତ ରୁ ୧୨ ହାତ ହୋଇଥିବ, ଏହାର ଉପରିଭାଗ ୪ଟି ଶାଖା ବିଶିଷ୍ଟ ହୋଇଥିବ ।

ଦାରୁଙ୍କ ଦେହରେ ଭଗବାନଙ୍କର ଚାରୋଟି ଆୟୁଧ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ମଧ୍ୟରୁ ଅନ୍ତତଃ ଦୁଇଟି ଚିହ୍ନ ରହିଥିବା ଆବଶ୍ୟକ । ଏହି ଦୁଇଟି ଚିହ୍ନ ଯଦି ଶଙ୍ଖ, ଚକ୍ର ହୋଇଥିବା ତେବେ ତାହାକୁ ଅଧିକ ଗୁରୁତ୍ଵ ଦିଆଯାଏ । ଏଥିରେ କେହି ପକ୍ଷୀ ବସ କରିନଥିବେ ଆଦି ।

ପୂର୍ବରୁ ଶ୍ରୀସୁଦର୍ଶନଙ୍କ ଦାରୁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ଗଡକଣ୍ଟୁଣିଆ ଠାରେ, ଶ୍ରୀବଳଦେବଙ୍କ ଦାରୁ ଜଗତସିଂପୁର ଜିଲ୍ଲାର ଝଙ୍କଡର ମା ସାରଳାଙ୍କ ପୀଠ ଠାରେ ଓ ଦେବୀ ସୁଭଦ୍ରାଙ୍କ ଦାରୁ ଜଗତସିଂପୁର ଜିଲ୍ଲାର ବିରିଡି ବ୍ଲକର ଅଢଙ୍ଗଗଡ ଠାରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଚିହ୍ନଟ କରଯାଇଥିଲା । ଦଇତା ପତିମାନେ ଏହି ଦାରୁ ସଂଗ୍ରହ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛନ୍ତି।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା ।

ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣ ପାଇଁ ନିମ କାଠ ସଂଗ୍ରହ ନିମନ୍ତେ ‘ବନଯାଗ ଯାତ୍ରା’ ନାମକ ସ୍ଵତନ୍ତ୍ର ଯାତ୍ରା (ଦାରୁବ୍ରହ୍ମ ଅନ୍ଵେଷଣ କାର୍ଯ୍ୟକ୍ରମ) ପାଳିତ ହୁଏ । ବାସନ୍ତିକ ଦୁର୍ଗାପୂଜା ଦଶହରା ଅର୍ଥାତ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହାର ଅୟମାରମ୍ଭ ହୋଇଥାଏ । ଏହି ଦିନ କୋଇଲି ବୈକୁଣ୍ଠରେ ଦାରୁଗୃହ ଓ ଯଜ୍ଞଶାଳା ଅନୁକୂଳ କର୍ମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ନବ କଳେବର ଯାତ୍ରା ୧୮ ଜୁଲାଇ ରେ ଅନୁଷ୍ଠିତ ହେବ । ନବ କଳେବର ପାଇଁ ପୁରୀ ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ଓଡିଶା ଡଟ କମ

ନବ କଳେବର ସମ୍ପର୍କରେ ବିଶେଷ ତଥ୍ୟ

Exit mobile version